ଦୁଗ୍ଧଜାତ ସାମଗ୍ରୀର ଦର ବଢିବା ପ୍ରସଙ୍ଗ:ମିଠା ଦର ବଢିବ: ବ୍ୟବସାୟୀ

ଦୁଗ୍ଧଜାତ ସାମଗ୍ରୀର ଦର ଯେତିକି ବଢ଼ିବ ମିଷ୍ଠାନ୍ନର ଦର ତା'ଠାରୁ ଦୁଇଗୁଣ ଅଧିକ ବଢ଼ିବ ବୋଲି କହିଛନ୍ତି ମିଠା ବ୍ୟବସାୟୀ । ସେପଟେ ଗ୍ରାହକ ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି କଥା ଶୁଣି ଚିନ୍ତାରେ ପଡିଛନ୍ତି ।

ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି ହେଲେ ମିଠା ଦର ବୃଦ୍ଧି ହେବ (ପ୍ରତୀକାତ୍ମକ ଛବି)

ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି ହେଲେ ମିଠା ଦର ବୃଦ୍ଧି ହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଆସନ୍ତା ମେ ପହିଲାରୁ କଟକରେ ଦୁଗ୍ଧଜାତ ସାମଗ୍ରୀର ଦର ବଢ଼ାଇବାକୁ ବ୍ୟବସାୟୀ ସଂଘ ଘୋଷଣା କରିବା ପରେ ଏହାର ସିଧାସଳଖ ପ୍ରଭାବ ମିଷ୍ଠାନ୍ନ ଦର ଉପରେ ପଡ଼ିବାକୁ ଯାଉଛି । ବିଶେଷ କରି ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି ନେଇ ଘୋଷଣା ହେବା ପରେ ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର କରି ମିଷ୍ଠାନ୍ନ ପ୍ରସ୍ତୁତ କରୁଥିବା ମିଠା ବ୍ୟବସାୟୀମାନେ ମିଷ୍ଠାନ୍ନର ଦର ବୃଦ୍ଧି କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ବଡ଼ କଥା ହେଉଛି ଦୁଗ୍ଧଜାତ ସାମଗ୍ରୀର ଦର ଯେତିକି ବଢ଼ିବ ମିଷ୍ଠାନ୍ନର ଦର ତା'ଠାରୁ ଦୁଇଗୁଣ ଅଧିକ ବଢ଼ିବ ବୋଲି କହିଛନ୍ତି ମିଠା ବ୍ୟବସାୟୀ । ସେପଟେ ପୂର୍ବରୁ ମହଙ୍ଗା ମାଡ଼ର ଶିକାର ହୋଇଆସୁଥିବା ଗ୍ରାହକ ମିଷ୍ଠାନ୍ନ ବିଶେଷ କରି ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି କଥା ଶୁଣି ଚିନ୍ତାରେ ପଡିଛନ୍ତି ।

"ଯଦି ଛେନା କେଜି ପ୍ରାୟ ୧୫ ଟଙ୍କା ବଢିବ ତା' ହେଲେ ମିଠା କେଜି ୩୦ଟଙ୍କା ବଢିବ । ତା ଭିତରେ ଲେବର ଚାର୍ଜ,  ଗ୍ୟାସ ଖର୍ଚ୍ଚ ସହିତ ଅନ୍ୟାନ୍ୟ ଖର୍ଚ୍ଚ ରହିଛି । ମିଠା ଦର ନ ବଢ଼ିଲେ ବହୁତ କ୍ଷତି ହବ । କେରୋନା ପାଇଁ କ୍ଷତି ସହି ସହି ଆମେ ଆଉ କ୍ଷତି ସହିବା ଅବସ୍ଥାରେ ନାହୁଁ," କହିଛନ୍ତି କଟକ ଲିଙ୍କ ରୋଡ ଠାରେ ମିଠା ଦୋକନ କରିଥିବା ନିବାରଣ ବାଲ ।

"ଏମିତି ତ ଦର ଦାମ ବଢ଼ିବା ପରେ ଆମର ମାସିକ ବଜେଟ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି । ଏବେ ପୁଣି ଛେନା ଓ ପନୀରର ଦର ବୃଦ୍ଧି କରିବାକୁ ଯାଉଛନ୍ତି । ଯାହା ଜଣା ପଡୁଛି ମିଠା ବି ଆଉ ପାଟିରେ ବାଜି ପାରିବ ନାହିଁ । ମାସକୁ ଦୁଇ ଥର କରି ଘରକୁ ମିଠା ନେଉଥିଲି । ଏବେ ଥରେ ନେବାର କ୍ଷମତା ବି ରହିବ ନାହିଁ," କହିଛନ୍ତି ପଙ୍କଜ ଜେନା ।

ଏହି ଦର ବୃଦ୍ଧି ଯୋଗୁଁ ବଜାରେ ଉପଲବ୍ଧ ଥିବା ୫ ଟଙ୍କିଆ ରସଗୋଲା ସମ୍ପୂର୍ଣ୍ଣ ଭାବେ ନିଜର ଅସ୍ତିତ୍ବ ହରାଇବ । ତେବେ କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଏହି ନୂଆ ଦର ଉପକୁଳ ଓଡ଼ିଶାରେ ଲାଗୁ ହେବାକୁ ଥିବା ବେଳେ ଖୁବ ଶିଘ୍ର ରାଜ୍ୟର ଭିନ୍ନ ଜିଲ୍ଲାରେ ଏହି ବର୍ଦ୍ଧିତ ଦରର ପ୍ରଭାବ ଦେଖିବାକୁ ମିଳିବ ।

ଆସନ୍ତା ମେ ମାସ ଏକ ତାରିଖରୁ ଏହି ବର୍ଦ୍ଧିତ ଦରକୁ ଲାଗୁ କରାଯିବ ବୋଲି କହିଛନ୍ତି କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ । ସଂଘ ଧାର୍ଯ୍ୟ ହୋଇଥିବା ନୂଆ ଦର ମୁତାବକ କଞ୍ଚା ଛେନା କେଜି ପ୍ରତି ୧୦ଟଙ୍କା ବୃଦ୍ଧି ପାଇ ଏଣିକି କେଜି ପ୍ରତି ୧୭୫ ଟଙ୍କାରେ ବିକ୍ରି ହେବ । ସେହିପରି ପନୀର କେଜି ପ୍ରତି ୧୫ ଟଙ୍କା ବୃଦ୍ଧି ପାଇ ୨୨୫ ଟଙ୍କା, କଞ୍ଚାଖୁଆ କେଜି ପ୍ରତି ୩୦ ଟଙ୍କା ବୃଦ୍ଧି ପାଇ ୨୬୦ ଟଙ୍କାରେ ବିକ୍ରି କରିବା ପାଇଁ ନୂଆ ଦର ଧାର୍ଯ୍ୟ କରିଛି କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ  ।
Published by:Soumya Das
First published: