ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ୟା ୟସ ପରେ ବଦଳିଯାଇଛି ଚାନ୍ଦିପୁର ବେଳାଭୂମି ଚିତ୍ର; ସ୍ଥାନୀୟରେ ଉଠୁଛି ଅସନ୍ତୋଷ

ବାତ୍ୟା ୟସ ପରେ ବଦଳିଯାଇଛି ଚାନ୍ଦିପୁର ବେଳାଭୂମି ଚିତ୍ର; ସ୍ଥାନୀୟରେ ଉଠୁଛି ଅସନ୍ତୋଷ

ବାତ୍ୟା ୟସ ପରେ ବଦଳି ଯାଇଛି ବାଲେଶ୍ୱର ଚାନ୍ଦିପୁର ବେଳାଭୂମିର ଚିତ୍ର। ଭାଙ୍ଗି ଯାଇଛି ବେଳଭୂମିର ନିର୍ମାଣ ହୋଇଥିବା ସୌନ୍ଦର୍ଯ୍ୟରାଜି ଓ ସଫେଇକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।

ବାତ୍ୟା ୟସ ପରେ ବଦଳିଯାଇଛି ଚାନ୍ଦିପୁର ବେଳାଭୂମି ଚିତ୍ର; ସ୍ଥାନୀୟରେ ଉଠୁଛି ଅସନ୍ତୋଷ
ଚାନ୍ଦିପୁର ବେଳାଭୂମିରେ ସିଟିଂ ଓ୍ବାଲ ଭାଙ୍ଗିଯାଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 28, 2021, 7:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାତ୍ୟା ୟସ ପରେ ବଦଳି ଯାଇଛି ବାଲେଶ୍ୱର ଚାନ୍ଦିପୁର ବେଳାଭୂମିର ଚିତ୍ର। ଭାଙ୍ଗି ଯାଇଛି ବେଳଭୂମିର ନିର୍ମାଣ ହୋଇଥିବା ସୌନ୍ଦର୍ଯ୍ୟରାଜି ଓ ସଫେଇକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଏନେଇ ବିଭାଗରୁ ଟଙ୍କା ଆସିଲେ ଆସିଲେ ପୁନଃ ନିର୍ମାଣ ହେବ ବୋଲ ପର୍ଯ୍ୟଟନ ବିଭାଗ କହିଛି।

ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର ହେଉଛି ଓଡ଼ିଶା। ପ୍ରତିବର୍ଷ ଓଡ଼ିଶା ବନ୍ୟା, ବାତ୍ୟାର ସମ୍ମୁଖୀନ କରୁଛି। ବିପର୍ଯ୍ୟୟ ଆସିବା ସଙ୍ଗେସଙ୍ଗେ ବହୁ କ୍ଷତି ମଧ୍ୟ ଘଟାଉଛି। ଏପରି କ୍ଷେତ୍ରରେ ଭାରତର ଏକ ବିରଳ ବେଳଭୂମି ହେଉଛି ବାଲେଶ୍ୱରର ଚାନ୍ଦିପୁର ବେଳାଭୂମୀ । ୪ ରୁ ୫ କିଲୋମିଟର ଏହି ବିସ୍ତୀର୍ଣ୍ଣ ବେଳାଭୂମିରେ ଦିନରେ ଦୁଇ ଥର ଜୁଆର ଓ ଭଟ୍ଟା ଦେଖିବାକୁ ମିଳିଥାଏ । ଆଉ ଭଟ୍ଟା ସମୟରେ ୪ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଲୋକେ ପାଦରେ ଚାଲି ଯାଇପାରନ୍ତି। ଏଣୁ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଚାନ୍ଦିପୁର ବେଳାଭୂମି ରହି ଆସିଛି । କିନ୍ତୁ ଚଳିତ ବର୍ଷ ବାତ୍ୟା ୟସର ପ୍ରଭାବ ସତେ ଚାନ୍ଦିପୁର ବେଳାଭୂମିକୁ ନିଶ୍ଚିହ୍ନ କରିଦେଇଛି । ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ବାତ୍ୟା ସମୟରେ ନଷ୍ଟ ହୋଇଥିବା ନିର୍ମାଣ ଏଯାଏଁ ମରାମତି ହୋଇ ପାରିନି ।

ବାତ୍ଯା ଯୋଗୁଁ ଚାରିଆଡ଼େ ଅଳିଆ ଗଦା ହୋଇ ପଡ଼ିଛି (ପ୍ରତୀକାତ୍ମକ ଛବି)


ବାତ୍ୟା ସମୟରେ ଉଠିଥିବା ଜୁଆର ମାଡ଼ରେ ବେଳଭୂମିର 'ସିଟିଂ ଓ୍ବାଲ୍' ଭାଙ୍ଗି ଯାଇଥିଲା ଫଳରେ ଚାନ୍ଦିପୁର ବେଳାଭୂମିର ମୁଖ୍ୟ ସୌନ୍ଦର୍ଯ୍ୟରେ ଏକ ପ୍ରକାର କଳା ଦାଗ ଲାଗିଯାଇଛି କହିଲେ ଭୁଲ ହେବ ନାହିଁ । ପୁରା ସିଟିଂ ଓ୍ବାଲ ଭାଙ୍ଗି ଯାଇଥିବାବେଳେ ଅନ୍ୟାନ୍ୟ ନିର୍ମାଣ ଯଥା ସୁନ୍ଦର ସୁନ୍ଦର ମନଲୋଭା ଆଲୋକ ଖୁଣ୍ଟ , ପାଚେରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏବେ ପର୍ଯ୍ୟନ୍ତ ସେସବୁର ମରାମତି ନହୋଇ ସେମିତି ପଡ଼ି ରହିଛି। ସେହିପରି ବେଳଭୂମିର ସଫେଇ ମଧ୍ୟ ବନ୍ଦ ହୋଇଯାଇଥିବାରୁ ଚାରିଆଡ଼େ କୁଢ଼କୁଢ଼ ଅଳିଆ ପଡ଼ି ରହିଛି । ଏନେଇ ବେଳାଭୂମିକୁ ଆସୁଥିବା ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ପର୍ଯ୍ୟଟନ ଋତୁ ପୂର୍ବରୁ ଏହାର ମରାମତି ପାଇଁ ଦାବି ହୋଇଛି ।

"ବାତ୍ୟା ପରେ ବେଳାଭୂମିର ମରାମତି ନିହାତି ଆବଶ୍ୟକ ରହିଛି। ପ୍ରତ୍ୟେକ ଦିନ ଏଠାକୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନରୁ ଆସୁଛନ୍ତି ହେଲେ ବେଳାଭୂମିର ଏପରି ଭଗ୍ନ ରୂପ ସେମାନଙ୍କ ପ୍ରତି ପ୍ରତିକୂଳ ମନୋଭାବ ସୃଷ୍ଟି କରୁଛି," କହିଛନ୍ତି ଚାନ୍ଦିପୁର ସରପଞ୍ଚ ତପନ ଦାସ।

"ଚାନ୍ଦିପୁର ହେଉଛି ଆମ ବାଲେଶ୍ୱରବାସୀଙ୍କ ପରିଚୟ। ଏପରି ବେଳଭୂମି ଆଉ କେଉଁଠି ଦେଖା ଯାଉନଥିବାରୁ ଏଠାକୁ ଲୋକେ ବେଶ ଉତ୍ସାହ ସହିତ ପରିବାର ସହ ଏଠାକୁ ଆସିଥାନ୍ତି। ଏଣୁ ଏହାର ସୌନ୍ଦର୍ଯ୍ୟ ବଜାଇ ରଖିବା ପାଇଁ ପର୍ଯ୍ୟଟନ ବିଭାଗ ଯତ୍ନବାନ ହେବା ଆବଶ୍ୟକ", କହିଛନ୍ତି ବାଲେଶ୍ୱର ବସିନ୍ଦା ଅଧିପ ଜେନା।

ବେଳାଭୂମିରେ ମରାମତି ପାଇଁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି (ପ୍ରତୀକାତ୍ମକ ଛବି)


ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ କହିଛନ୍ତି,"ସିଟିଂ ଓ୍ବାଲ୍ ବାତ୍ୟା ଫଳରେ ଦବି ଯାଇଥିବା ବେଳେ ଏନେଇ ଜିଲ୍ଲାପାଳଙ୍କ ଜରିଆରେ ୬୦ ଲକ୍ଷ ଟଙ୍କାର ଏକ ଏଷ୍ଟିମେଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଟଙ୍କା ଆସିଲେ ଜଳସେଚନ ବିଭାଗ ଏହାର କାର୍ଯ୍ୟ ଆରମ୍ଭ କରିବ । ସେହିପରି ଚାନ୍ଦିପୁରର ବିକାଶ ପାଇଁ ୨ କୋଟି ୯୪ଟଙ୍କା ଆସିଥିବା ବେଳେ ଏହାର ସୌନ୍ଦଯ୍ୟକରଣ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ଅନ୍ୟପଟେ ଶୀଘ୍ର ସଫେଇ ଆରମ୍ଭ ହେବ"।

ଦୂର ଦୁରନ୍ତାରୁ ପର୍ଯ୍ୟଟକ ଚାନ୍ଦିପୁରକୁ ସୌନ୍ଦର୍ଯ୍ୟ ଓ ପ୍ରକୃତିର ଏହି ନିଆରା ରୂପକୁ ଦେଖିବାକୁ ଆସୁଥିବା ବେଳେ ଏହାର ପାରିପାର୍ଶ୍ବିକ ଅଞ୍ଚଳ ତୁରନ୍ତ ମରାମତି କରିବା ଆବଶ୍ୟକ ବୋଲି ସ୍ଥାନୀୟରେ ଦାବି ଉଠିଛି।
Published by: Soumya Das
First published: September 28, 2021, 7:15 PM IST