News18 Odia Digital
ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେବା ସହ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଖୁବଶୀଘ୍ର ଲାଗୁ ହେବ ଆଇଏଲବିଏସ ବା ଇନଲାଇନ ବ୍ୟାଗେଜ ସ୍କ୍ରିନିଂ ସିଷ୍ଟମ। ଏହା ଦ୍ୱାରା ଚେକ ଇନ ସମୟରେ ବିମାନ ଯାତ୍ରା ସମୟରେ ନିଜ ପାଖରେ ପାଖରେ ରଖୁଥିବା ସାମଗ୍ରୀ ବା ବ୍ୟାଗେର ସ୍କାନିଂକୁ ନେଇ ବିମାନ ଯାତ୍ରୀଙ୍କୁ ଆଉ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ନ୍ୟୁଜ ୧୮ ଓଡ଼ିଆକୁ ଦେଇଥିବା exclusive ସୂଚନାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ଦ୍ଦେଶକ ଡ଼ଃ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି," ଧିରେ ଧିରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେହି ଅନୁସାରେ ବିମାନ ଯାତ୍ରୀଙ୍କୁ ତ୍ୱରାନ୍ୱିତ ଅତ୍ୟାଧୁନିକ ସେବା ପ୍ରଦାନ କରିବାକୁ AAI ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଏହାକୁ ଆଖିରେ ରଖି ଦେଶର ଅନ୍ୟକିଛି ଆଗଧାଡ଼ିର ବିମାନ ବନ୍ଦର ଭଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ।
ସେ କହିଛନ୍ତି ଯେ, ଆଇଏଲବିଏସ (ILBS) ବା ଇନ-ଲାଇନ ବ୍ୟାଗେଜ ସ୍କ୍ରିନିଂ ସିଷ୍ଟମ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ଦେଖାଯାଉଛି ଯେ, ବିମାନ ଭିତରକୁ ଚେକ ଇନ ସମୟରେ ଯାତ୍ରୀଙ୍କୁ ଲମ୍ବା କ୍ୟୁରେ ଅପେକ୍ଷା କରିବାକୁ ପଡୁଛି। ଏହା ଦ୍ବାରା ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ତା ଛଡ଼ା ଚେକ ଇନ ସମୟରେ ବିମାନ ଭିତରକୁ ଯାତ୍ରୀମାନେ ନେଉଥିବା ବ୍ୟାଗେଜର ସାମଗ୍ରୀ ଗୋଟି ଗୋଟି ଚେକିଂ କରିବାକୁ ପଡୁଛି। କିନ୍ତୁ ଏହି ILBS ବ୍ୟବସ୍ଥା ଲାଗୁହେବା ପରେ ଚେକ ଇନ ଲାଗି ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଯାତ୍ରୀ। ମାତ୍ର କିଛି ସେକେଣ୍ଡ ଭିତରେ ସମ୍ପୂର୍ଣ୍ଣ ହେବ ସ୍କ୍ରିନିଂ।
ବିମାନ ବନ୍ଦର ନିର୍ଦ୍ଦେଶକ ଡ଼ଃ ବେଉରିଆ କହିଛନ୍ତି,"ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଉ କିଛି ଦିନ ଭିତରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ସବୁଜ ସଙ୍କେତ ଦେଇସାରିଥିବା ବେଳେ କେବଳ କଷ୍ଟମ କ୍ଲିୟରାନସ ବାକି ଅଛି। ଖୁଵ ଶୀଘ୍ର ଏହି କ୍ଲିଅରାନ୍ସ ମିଳିଗଲା ପରେ ବିମାନ ଯାତ୍ରାରେ ଏହି ବ୍ୟବସ୍ଥା ଲାଗୁ କରାଯିବ।
ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଓଡ଼ିଶା ଇନଫରମେସନ ଓ ଟେକ୍ନୋଲୋଜି ବ୍ୟବସାୟୀ ଆସୋସିଏସନର ସମ୍ପାଦକ ଦେବାଶିଷ ମିଶ୍ର କହିଛନ୍ତି," ଏହା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଭଲ ଉଦ୍ୟମ। ନିହାତି ଭାବେ ବିମାନ ଯାତ୍ରୀଙ୍କୁ ଏହି ବ୍ୟବସ୍ଥାରୁ ଫାଇଦା ମିଳିବ"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।