News18 Odia Digital
କଟକ: ନିଜେ ରଚିଥିବା ପ୍ଲାନରେ ନିଜେ ଫସିଗଲେ। ସ୍ତ୍ରୀଙ୍କୁ ଡ଼ରାଇବା ଲାଗି ନିଜେ ଆତ୍ମହତ୍ୟାର ନାଟକର ପ୍ଲଟ ପ୍ରସ୍ତୁତ କରିଥିବା ସ୍ବାମୀ ନାଟକଟି ଆଶା ଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇଯିବାରୁ ବାଧ୍ୟ ହୋଇ ଆତ୍ମପ୍ରକାଶ କଲେ। ପୋଲିସ ପାଖରେ ଅଣ୍ଡର ଟେକିଂ ଦେଇ ଘରକୁ ଗଲେ ।
ମଙ୍ଗଳବାର ବଡ଼ି ଭୋରୁ ମୁଣ୍ଡଳି ବ୍ୟାରେଜ ଉପରେ ମାଲିକ ବୀହିନ ଏକ ଦୁଇ ଚକିଆ ଗାଡି ଠାବ ହୋଇଥିଲା । ସେହି ସ୍ଥାନରେ ଗୋଟିଏ ଚପଲ ପଡ଼ିଥିବା ଜଣା ପଡ଼ିବା ପରେ ଚାଳକ ଜଣକ ମହାନଦୀକୁ ଡ଼େଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଖବର ପାଇ ପ୍ରଥମେ ବାରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗକୁ ଖବର ଦିଆଗଲା । ତେବେ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନକୁ ଜୋରଦାର ମଧ୍ୟ କରି ଥିଲା ।
ସମ୍ପୃକ୍ତ ଗାଡ଼ିର ପଞ୍ଜିକରଣ ନମ୍ବରରୁ ଗାଡ଼ି ଅନୁଗୁଳ ଜିଲ୍ଲା ଶିମିଳିପଡ଼ା ବାସିନ୍ଦା ଝରଣା ମହାକୁଡଙ୍କ ନାଁରେ ପଞ୍ଜିକୃତ ହୋଇଛି ଓ ଝରଣାଙ୍କ ସ୍ବାମୀ ରଘୁରଞ୍ଜନ ମହାକୁଡ଼ ସେହି ଗାଡ଼ିଟିକୁ ବ୍ୟବହାର କରନ୍ତି ଓ ସେ ସୋମବାର ରାତିରୁ ତାଙ୍କ ମୋବାଇଲ ସୁଇଚଅଫ ଅଛି ଓ ଘରକୁ ଆସି ନଥିବା କଥା ପୋଲିସ ଜାଣିବାକୁ ପାଇଥିଲା । ତେବେ ପତ୍ନୀଙ୍କ ସହ ଝଗଡ଼ା ପରେ ରଘୁରଞ୍ଜନ ନିଖୋଜ ହେବା ଏବଂ ମୁଣ୍ଡଳି ବ୍ୟାରେଜରୁ ତାଙ୍କ ଦୁଇ ଚକିଆ ଜାନଟି ମିଳିବା ପରେ ରଘୁରଞ୍ଜନ ମୁଣ୍ଡଳିରେ ପାଣିକୁ ଡ଼େଇଁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଆଶଙ୍କା ଦୃଢୀଭୂତ ହୋଇଥିଲା ।
ଏହି ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମପ୍ରକାଶ କରିଥିଲେ ନିଖୋଜ ରଘୁରଞ୍ଜନ । ସ୍ଥାନୀୟ ଗୋଡ଼ିସାହି ଫାଣ୍ଡି ପୋଲିସ ପାଖରେ ହାଜର ହୋଇ ପତ୍ନୀଙ୍କୁ ପାନେ ଚଖାଇବା ପାଇଁ ସେହି ଏହି ନାଟକ ରଚନା କରିଥିବା କଥା କହିଥିଲେ । ତେବେ ତାଙ୍କ ଦ୍ବାରା ଚରନା କରାଯାଇଥିବା ନାଟକ ଏତେ ଭୟଙ୍କର ମୋଟ ନେବ ବୋଲି ସେ ଭାବି ନଥିଲେ ଓ ଏଥିପାଇଁ ସେ ଅନୁତପ୍ତ ବୋଲି କହିଥିଲେ । ଏହା ପରେ ରଘୁରଞ୍ଜନଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ଅଣ୍ଡର ଟେକିଂ ଗ୍ରହଣ କରି ପୋଲିସ ରଘୁରଞ୍ଜନ ସେମାନଙ୍କ ସହ ଛାଡ଼ିଥିଲା ।
ପେଶାରେ ଜଣେ ରାଜମିସ୍ତ୍ରୀ ଥିବା ରଘୁରଞ୍ଜନ ନିୟମିତ ଭାବେ ନିଶା ସେବନ କରନ୍ତି । ଏହାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୋଇଥାଏ । ତେବେ ଆଗକୁ ଗଣେଶ ପୂଜା ଥିବାରୁ ନିଜ ପୁଅ ଝିଅଙ୍କ ପାଇଁ ନୂଆ କପଡ଼ା ଆଣିବା ବଦଳରେ ସେ ନିଜ ରୋଜଗାରକୁ ନିଶା ସେବନରେ ଖର୍ଚ୍ଚ କରି ଦେଇଥିବାରୁ ଏହାକୁ ନେଇ ସ୍ତ୍ରୀ ଝରଣା ରଘୁରଞ୍ଜନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଫଳସ୍ବରୂପ ପତି ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୋଇଥିଲା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।