News18 Odia Digital
କଟକ: ପୁଣି ଝଲସିବ ବାଲିଯାତ୍ରା ପଡିଆ।ଜମିବ ଲୋକଙ୍କ ଭିଡ଼। କିଣାବିକା ସାଙ୍ଗକୁ ଖାଇବା ପିଇବାର ମଜା ନେବେ ଲୋକେ।ଆଉ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ। କୋଭିଡ ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିବା ବାଲିଯାତ୍ରାକୁ ଚଳିତ ବର୍ଷ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଦେଇଛି ଗ୍ରୀନ ସିଗନାଲ। ତେବେ ଦୁଇବର୍ଷ ଧରି ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବ୍ୟବସାୟୀମାନଙ୍କୁ ଏଥର ଦିଆଯିବ ପ୍ରାଧାନ୍ୟ।
୨୦୧୯ ରେ ରାଜ୍ୟ ସରକାର ଏହି ମେଳାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିଥିଲେ। ତେବେ ଏହାକୁ ଜାତୀୟ ମେଳାର ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି।
୮ ଦିନ ଧରି ଏହି ବାଣିଜ୍ୟିକ ମହାକୁମ୍ଭରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। "ମେଳା ପଡ଼ିଆରେ ୧୪୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀମାନେ ନିଜ ନିଜ ପସରା ମେଳାଇଥାନ୍ତି। ଆଉ ପ୍ରତିବର୍ଷ ପାଖାପାଖି ୧୦୦ କୋଟି ଟଙ୍କାର ବ୍ୟବସାୟ ମଧ୍ୟ ହୋଇଥାଏ। ଚଳିତବର୍ଷ ମେଳାକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟଲ ସଂଖ୍ୟ ବୃଦ୍ଧି କରାଯିବା ସହ ମିଶନ ଶକ୍ତି ଓ ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯିବ,"କହିଛନ୍ତି ଓରମାସର ଯୁଗ୍ମ ନିର୍ଦ୍ଦେଶକ ବିପିନ ରାଉତ।
ମେଳା ଆୟୋଜନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନୋଡାଲ ଅଫିସର ଭାବରେ କାର୍ଯ୍ୟ କରିବେ। ଆଉ ତାଙ୍କ ସହ ଏକ ୭ ଜଣିଆ କମିଟି ବାଲିଯାତ୍ରା ଆୟୋଜନ ନେଇ ତଦାରଖ ମଧ୍ୟ କରିବେ। ତେବେ ବାଲିଯାତ୍ରାକୁ ମଝିରେ ଆହୁରି ୪ ମାସ ଥିବାବେଳେ କୋଭିଡ ସଂକ୍ରମଣ ସମ୍ପୂର୍ଣ୍ଣ କମିଯାଇଥିବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ଆଉ ପାରମ୍ପରିକ ବାଲିଯାତ୍ରାକୁ ନୂଆ ରୂପ ଦିଆଯିବ,"କହିଛନ୍ତି ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।