ବିଜେଡି କର୍ପୋରେଟର ପ୍ରାର୍ଥୀ ସୁଚିସ୍ମିତା ସାହୁ ଓ ଇଞ୍ଜିନିୟର ଶ୍ବେତା ମହାନ୍ତି
News18 Odia Digital
କଟକ: କଟକ ସହର ବିକାଶ ପାଇଁ ନିର୍ବାଚନ ରଣାଙ୍ଗନରେ ଉଚ୍ଚଶିକ୍ଷିତା । ମାଇକ୍ରୋବାୟୋଲୋଜିରେ ଏମଏସି କରିଥିବା ୨୩ ବର୍ଷୀୟା ଯୁବତୀ ସିଏମସିର ୫୯ ନମ୍ବର ଓ୍ବାର୍ଡର ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ୫୬ ନମ୍ବର ୱାର୍ଡ଼ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଜଣେ ସଫ୍ଟଓୟାର ଇଞ୍ଜିନିୟର ।
କଟକ ମହାନଗର ନିଗମର ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି ୨୫୬ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ କିଛି ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ମଧ୍ୟ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ପାଦ ଥାପିଛନ୍ତି । ସହରର ବିକାଶ ପାଇଁ ଅଣ୍ଟା ମଧ୍ୟ ଭିଡ଼ିଛନ୍ତି । ସିଏମସିର ୫୯ ନମ୍ବର ଓ୍ବାର୍ଡ଼ରୁ ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି ସୁଚିସ୍ମିତା ସାହୁ । ମାଇକ୍ରୋବାୟୋଲୋଜିରେ ଏମଏସି କରୁଥିବା ସୁଚିସ୍ମିତାଙ୍କ ବୟସ ମାତ୍ର ୨୩ ବର୍ଷ । ଆଗକୁ ପିଏଚ୍ଡି କରିବାକୁ ଲକ୍ଷ୍ୟ ରଖିଥିବା ସୁଚିସ୍ମିତା ଦଳୀୟ ଟିକେଟ ପାଇବା ପରେ ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି । ଦଳୀୟ କର୍ମୀ ଓ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ବୁଲି ଜୋରଦାର ପ୍ରଚାର ବି କରୁଛନ୍ତି । ରାଜନୀତି ଜରିଆରେ ଜନସେବା କରିବା ପାଇଁ ଯୁବ ତଥା ଶିକ୍ଷିତ ନେତୃତ୍ବ ଆଗକୁ ଆସିବାର ଆବଶ୍ୟକତା ଥିବା କହିଛନ୍ତି ସୁଚିସ୍ମିତା ସାହୁ ।
"ମୋର ପରିବାର ଲୋକ ବହୁତ ପୂର୍ବରୁ ରାଜନୀତି ସହିତ ଜଡ଼ିତ ଅଛନ୍ତି । ସେଥିପାଇଁ ମୋ ମନରେ ବି ଲୋକ ସେବା କରିବା ପାଇଁ ବହୁତ ଦିନରୁ ଇଚ୍ଛା ଥିଲା । ଏବେ ସୁଯୋଗ ମିଳିବାରୁ ମୁଁ ରାଜନୀତିକୁ ଆସିଛି । ମୋ ମତରେ ସମାଜ କଲ୍ୟାଣ ଯୁବ ଗୋଷ୍ଠୀ ବିଶେଷ କରି ଶିକ୍ଷିତ ବର୍ଗ ରାଜନୀତିକୁ ଆସିବା ଦରକାର," କହିଛନ୍ତି ସୁଚିସ୍ମିତା ସାହୁ ।
ସେହିଭଳି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆଉ ଜଣେ ଉଚ୍ଚଶିକ୍ଷିତା ମହିଳା ହେଲେ ୫୬ ନମ୍ବର ଓ୍ବାର୍ଡ଼ର କର୍ପୋରେଟର ପ୍ରାର୍ଥୀ ଇଞ୍ଜିନିୟର ଶ୍ବେତା ମହାନ୍ତି । ଇନିଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଶ୍ବେତା ରାଜନୀତିରେ ପାଦ ଥାପିଛନ୍ତି । ସଫ୍ଟଓୟାର ଇନିଞ୍ଜିନିୟରିଂରେ ଆଗକୁ ବଢ଼ିବା ଅପେକ୍ଷା ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶ୍ବେତା ଭୋଟ ଭିକ୍ଷା କରିବା ପାଇଁ ସମର୍ଥକମାନଙ୍କ ସହ ନିଜ ଓ୍ବାର୍ଡର ଘରକୁ ଘର ବୁଲୁଛନ୍ତି।
"ମୁଁ ଉଚ୍ଚଶିକ୍ଷିତା ହୋଇଥିବାରୁ ଲୋକମାନେ ବୁଝୁଛନ୍ତି କି ମୁଁ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ବଡ଼ ଅଫିସରଙ୍କ ପାଖରେ ପହଞ୍ଚାଇ ପାରିବି ଆଉ ଦୂର କରିପାରିବି । ମୋର ବିଶ୍ବାସ ମଧ୍ୟ ରହିଛି ମୋର ଓ୍ବାର୍ଡ଼ବାସୀଙ୍କ ସମର୍ଥନ ମୋ ପ୍ରତି ରହିବ," କହିଛନ୍ତି ଇଂ ଶ୍ବେତା ମହାନ୍ତି ।
କେବଳ ସୁଚିସ୍ମିତା ଓ ଶ୍ବେତା ନୁହଁନ୍ତି । ତାଙ୍କ ଭଳି ଆହୁରି ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ନିଜର ମୂଳ ପେଶା ଛାଡ଼ି ଏବେ ରାଜନୀତିକୁ ଓହ୍ଲାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବି ଏଭଳି ବହୁ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଥିଲା । ବହୁ ଉଚ୍ଚଶିକ୍ଷିତ ଯୁବକ ଓ ଯୁବତୀ ଭଲ ଭଲ ଚାକିରି ଛାଡ଼ି ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ସଫଳ ହୋଇଥିବା ବେଳେ ଅଧିକାଂଶ ଜୟଯୁକ୍ତ ହୋଇପାରିନଥିଲେ । ତେବେ ରାଜନୀତି ଆଡ଼କୁ ଶିକ୍ଷିତ ଯୁବବର୍ଗ ଆକର୍ଷିତ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ । ରାଜନୀତିରେ ମହିଳାମାନଙ୍କ ଅଧିକ ସଂଖ୍ୟାରେ ପ୍ରବେଶ ନିଶ୍ଚିତ ଭାବେ ଆଗାମୀ ଦିନରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।