News18 Odia Digital
କଟକ: ରାଜ୍ୟର ନଦୀ ଜଳ ପ୍ରଦୂଷଣ ରୋକିବାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁ ଥିବା କଟକ ସହରର ପ୍ରଦୂଷିତ ପାଣିକୁ ତୁରନ୍ତ ବନ୍ଦ କରିବାକୁ ସୋମବାର ଦିନ କୋର୍ଟ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ପ୍ରଦୂଷିତ ପାଣିକୁ ବିନା ବିଶୋଧନରେ ରାଜ୍ୟର ବିଭିନ୍ନ ନଦୀକୁ ଛଡ଼ା ଯାଉଥିବାରୁ ଏହାକୁ ଗୁରୁତର ସହ ନେଇ କୋର୍ଟ ରାଜ୍ୟରେ କେଉଁ କେଉଁ ନଦୀରେ ପ୍ରଦୂଷିତ ଜଳ ମିଶୁଛି ତାହା ଜଣାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
କଟକ ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡ଼ାଯିବାକୁ ବିରୋଧ କରି ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ଏଭଳି ବର୍ଯ୍ୟ ପାଣିକୁ ତୁରନ୍ତ ବନ୍ଦ କରିବା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହ ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀ ଫଟୋ ଓ ଭିଡ଼ିଓ ଦାଖଲ କରିଥିଲେ। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସିଏମସି କି ପଦକ୍ଷେପ ନେଉଛି, ସେ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
"ପୂର୍ବ ଶୁଣାଣିରେ କୋର୍ଟ କାଠଯୋଡ଼ି ନଦୀ ପାଣିର ମାନ ଯାଞ୍ଚ କରିବା ପାଇଁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼କୁ ନିର୍ଦ୍ଦେଶ ଦେଇଥିଲେ । କାଠଯୋଡ଼ି ନଦୀର ପାଣି ମାନ ଯାଞ୍ଚ କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋର୍ଟରେ ତାର ରିପୋର୍ଟ ଦାଖଲ କରିଥିଲା । ଯେଉଁଥିରେ କି ନଦୀ ପାଣି ଭୟଙ୍କର ଭାବେ ପ୍ରଦ୍ୟୁଷିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା । ଆମ ପାଖରେ ଯାହା ସୂଚନା ରହିଛି ରାଜ୍ୟର ପ୍ରାୟ ସମସ୍ତ ନଦୀ ପ୍ରଦୂଷିତ ହୋଇସାରିଛି । ତେବେ ପ୍ରଦୂଷଣ ବୋର୍ଡ଼ର ରିପୋର୍ଟ ଆସିବା ପରେ ହିଁ କୋର୍ଟ ପରବର୍ତ୍ତୀ ଶୁଣାଣିରେ ଗୋଟିଏ ନିଶ୍ପତି ନେଇ ପାରନ୍ତି," କହିଛନ୍ତି ଆବେଦନକାରୀଙ୍କ ଓକିଲ କ୍ଷୀରୋଧ ରାଉତ ।

ଖାନନଗର ଗେଟ ଦେଇ କାଠଯୋଡ଼ି ନଦୀରେ ମିଶୁଛି ସହର ଭିତରୁ ବାହାରୁ ଥିବା ପରିତ୍ୟକ୍ତ ପାଣି 1
ସିଏମସି କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ହେଲା ଖାନନଗର ଗେଟ ଦେଇ କାଠଯୋଡ଼ି ନଦୀକୁ ସହରର ପ୍ରଦ୍ୟୁଷିତ ଜଳକୁ ଛାଡ଼ି ଆସୁଛନ୍ତି । ଫଳରେ ନଦୀ ଜଳ ପ୍ରଦୁଷିତ ହେବା ସହ ନଦୀ ଉପରେ ନିର୍ଭର କରୁଥିବା ଓ ନଦୀ ଅବବାହିକାରେ ବସବାସ କରୁଥିବା ଲୋକମାନଙ୍କର ଗୁରୁତର ସ୍ବାସ୍ଥ ସମସ୍ୟା ମଧ୍ୟ ଉପୁଜୁଥିଲା । ଏନେଇ ବିଭିନ୍ନ ସମୟରେ ସହରବାସୀ ତଥା ବୁଦ୍ଧିଜୀବୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଦିଗରେ ସିଏମସି କତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ । ଫଳସ୍ବରୂପ ଏହାକୁ ନେଇ ଖାନନଗର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଆବେଦନକାରୀ ସ୍ବାଗତ କରିବା ସହ ରାଜ୍ୟର ଅଧିକାଶଂ ନଦୀରେ ପ୍ରଦ୍ୟୁଷିତ ଜଳ ମିଶୁଛି ଓ କୋର୍ଟଙ୍କ ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ନଦୀକୁ ନୂଆ ଜୀବନ ଦେବ ବୋଲି କହିଛନ୍ତି ଆବେଦକାରୀ ।
"ଗୋଟିଏ ପଟେ ନଦୀ ପାଣି ପ୍ରଦୁଷିତ ହୋଇଯିବ ବୋଲି ରାଜ୍ୟର ନଦୀଗୁଡ଼ିରେ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲଗାଯାଇଛି । ଅନ୍ୟ ପଟେ ସେହି ନଦୀକୁ ବିନା ବିଶୋଧନରେ ଅପରିଷ୍କାର ପାଣି ଛାଡ଼ି ତାକୁ ବିଶାକ୍ତ କରାଯାଉଛି । ଏଇଟା କେଉଁ ପ୍ରକାରର ନିୟମ । ନଦୀକୁ ସୁରକ୍ଷିତ ରଖିବା ପାଇଁ ଆମେ ବହୁ ବର୍ଷ ହେଲା ସ୍ବର ଉତ୍ତୋଳନ କରି ଆସୁଛୁ । କିନ୍ତୁ ଆମେ କଥାକୁ କେହି କର୍ଣ୍ଣପାତ କଲେ ନାହିଁ । ସେଥିପାଇଁ ଆମେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲୁ," କହିଛନ୍ତି ଖାନନଗର ଖପୁରିଆ ପୂଜା କମିଟିର ସମ୍ପାଦକ ପ୍ରଫୁଲ ସାହୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।