News 18 Odia Digital
ଭୁବନେଶ୍ୱର: କାଶିପୁର ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭା ଗୃହ ହୁଲସ୍ତୁଲ ହୋଇଛି। ବିଧାନସଭା ଶୂନ୍ୟ କାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି କଂଗ୍ରେସ। ଗୃହ ବାହାରେ ବିଜେପି ବି ସରକାରଙ୍କୁ ସମାଲୋଚନା କରିଛି। ଶୂନ୍ୟ କାଳରେ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ନମ୍ୱର୍ ୱାନ। କିନ୍ତୁ କାଶିପୁରରେ ଲୋକେ ଚାଉଳ ଓ ଆଖାଦ୍ୟ ଖାଇ ମରୁଛନ୍ତି।
ଭାରତରେ ୭୧% ଲୋକ ସୁସ୍ଥ ଖାଦ୍ୟ ଖାଇବାରୁ ବଞ୍ଚିତ । ଲୋକେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଆସୁଛନ୍ତି।। କାଶିପୁରର ଦେଢ଼ ଲକ୍ଷ ଜନସଂଖ୍ୟାରୁ ଏକ ଲକ୍ଷ ଛତିଶ ହଜାର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏକ ଲକ୍ଷ ସତର ହଜାର ୫୬୮ ଲୋକେ ସାମିଲ ହୋଇଛନ୍ତି। ତଥାପି ଲୋକେ ଆମ୍ବ ତାକୁଆ ଓ ମଦ ଭଳି ଅଖାଦ୍ୟ ଖାଇ ମୃତ୍ୟୁବରଣ କରୁଛନ୍ତି। କିଭଳି ଓ କେଉଁ ପରିସ୍ଥିତିରେ ଲୋକଙ୍କ ମୃତ୍ୟୁ ଘଟିଛି ସେ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ବି ଉଦବେଗ ପ୍ରକାଶ କରି ଯୁଦ୍ଧ କାଳୀନ ଭିତିରେ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ସ୍ବତନ୍ତ୍ର ମେଡିକାଲ ଟିମ୍ ଗଠନ କରି ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଦାବି କରିଛନ୍ତି ବିଧାୟକ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ମୁଲତବୀ ଆଲୋଚନା ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ପୋଡ଼ିଅମ ନିକଟରେ ହୋ ହଲ୍ଲା ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ। ପ୍ରତିବାଦ ଯୋଗୁଁ ଗୃହ ପ୍ରଥମେ ୧୦ ମିନିଟ ଓ ପରେ ୧୫ମିନିଟ ଗୃହକୁ ମୁଲତବୀ ହୋଇଥିଲା। ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବାରୁ ସ୍ୱାଭାବିକ ହୋଇଥିଲା ଗୃହ କାର୍ଯ୍ୟ।
ଗୃହ ବାହାରେ ବିରୋଧୀ ଦଳ ଉପନେତା ବି ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ଯୋଗାଇ ଦେଇଛନ୍ତି ସରକାର। ବିରୋଧୀଙ୍କ ଅଭିଯୋଗର କୌଣସି ବାସ୍ତବତା ନାହିଁ। ତଦନ୍ତ ହେଲେ ଘଟଣାର ସତ୍ୟା ସତ୍ୟ ସ୍ପଷ୍ଟ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ସେ ଅଞ୍ଚଳକୁ ଏକ ଡ଼ାକ୍ତରୀ ଟିମ ପଠାଇ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କିପରି ରୋକା ଯାଇ ପାରିବି କଣ ପଦକ୍ଷେପ ନେଇ ହେବ ନେଇ ରିପୋର୍ଟ ପ୍ରସ୍ତୁତ କରି ୭୨ ଘଣ୍ଟା ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।