News18 Odia Digital
ଭୁବନେଶ୍ୱର: ପୌର ଭୋଟ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ନିର୍ବାଚନ କମିଶନ ବି ପ୍ରସ୍ତୁତ। ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ। ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ସମସ୍ତ ରାଜନୈତିକ ଦଳ ନିର୍ବାଚନକୁ ନେଇ ପ୍ରସ୍ତୁତ ଥିବା କହିଥିବା ବେଳେ ସୀମା ଓ ଆସନ ସଂରକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ।
ପୌର ନିର୍ବାଚନ ପାଇଁ ସରକାର ଅଣ୍ଟା ଭିଡ଼ିଲେଣି । ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ । ନିର୍ବାଚନ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଛନ୍ତି ସରକାର । ୩ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ନିର୍ବାଚନ ପାଇଁ ଜାରି ହୋଇଛି ବିଜ୍ଞପ୍ତି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ହେବ ନିର୍ବାଚନ । ସେହିପରି ଅନ୍ୟ ୧୦୭ ମ୍ୟୁନିସିପାଲଟି ଓ ଏନଏସି ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ପୌର ପରିଷଦ,ବିଜ୍ଞାପିତ ଆଂଚଳ ପରିଷଦ , ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୋୖରାଧ୍ୟକ୍ଷ ଓ ମେୟର ପାଇଁ ବିଭାଗ ପ୍ରକାଶ କଲା ବିଂଜ୍ଞପ୍ତି।ବିଂଜ୍ଞପ୍ତି ଜରିଆରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଲେ ସରକାର। ୪୮ଟି ପୌର ପରିଷଦ, ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିର୍ବାଚନ ପାଇଁ ହେବ ନିର୍ବାଚନ।
ପୌର ନିର୍ବାଚନ ପ୍ରସ୍ତୁତିକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି," "ସରକାର ନିଜ ଇଚ୍ଛା ଅନୁସାରେ ସଂରକ୍ଷଣ କରୁଛନ୍ତି। ଆମେ ଦେଉଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଉନାହିଁ। ତାଙ୍କୁ ସୁହାଇବା ଭଳି ସଂରକ୍ଷଣ କରାଯାଇଛି ତଥାପି ଆମେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। ଭଲ ଭାବେ ଲଢିବୁ।"
ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, " ଖୁସି ଲାଗିଲା ସରକାର ଆଠବର୍ଷ ପରେ ପ୍ରସ୍ତୁତ ହେଲେ। ସବୁଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଥାଆନ୍ତି। କିନ୍ତୁ ଯେଉଁ ଗୁରୁ ଦାୟିତ୍ବ ରହିଛି ସରକାରଙ୍କର ବା ନିର୍ବାଚନ କମିଶନଙ୍କ ସେ ଦାୟିତ୍ବ ସେ ଭୁଲିଯାଇଛନ୍ତି। ଏବେ ଦାୟିତ୍ୱକୁ ମନେପକେଇଲେ ନିର୍ବାଚନ କରିବାକୁ ଯାଉଛନ୍ତି। ଵିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଲଢେ଼ଇ ନିର୍ଣ୍ଣାୟକ ହେବ "।
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି,"ନିର୍ବାଚନ ପରଠୁ ଲୋକଙ୍କ ସହ ଯୋଡ଼ି ହୋଇ ରହିଛୁ। ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ।ଯେତେବେଳେ ଯେଉଁ ଯୋଜନା ଲୋକଙ୍କ ପାଇଁ ହୋଇଛି ତାହା ପହଞ୍ଚିଛି। ଲୋକଙ୍କ ଦୁଃଖ ସୁଖରେ ଛିଡା ହୋଇଛି। ଯେଉଁ ମାନେ ପ୍ରାର୍ଥୀ ହେବେ ଜିତିବେ। ସୁପ୍ରିମୋ ଯାହା ନାଁ ଘୋଷଣା କରିବେ ତା ପାଇଁ ଆମେ କାମ କରିବୁ"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।