ଶତ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ ସିନେମା ହଲ; ନାଇଟ କର୍ଫ୍ଯକୁ ନେଇ ଚିନ୍ତାରେ ଯାତ୍ରା କଳାକାର
ପୂର୍ବରୁ ୫୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ ଖୋଲୁଥିଲା । ମାତ୍ର ଏଥର ଗାଇଡ଼ ଲାଇନରେ ଶତ ପ୍ରତିଶତ ଲୋକଙ୍କୁ ନେଇ ସିନେମା ଦଲ ଖୋଲିପାରିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଗାଇଡ଼ ଲାଇନ ମାନି ସିନେମା ଦେଖିବେ ଲୋକ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 1, 2021, 6:21 PM IST
ଭୁବନେଶ୍ୱର: ସେପ୍ଟେମ୍ୱର ମାସରେ ନୂଆ ଗାଇଡ଼ ଲାଇନରେ କିଛି ନିୟମକୁ କୋହଳ କରାଯାଇଛି । ପୂର୍ବରୁ ୫୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ ଖୋଲୁଥିଲା । ମାତ୍ର ଏଥର ଗାଇଡ଼ ଲାଇନରେ ଶତ ପ୍ରତିଶତ ଲୋକଙ୍କୁ ନେଇ ସିନେମା ଦଲ ଖୋଲିପାରିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥର ସିନେମା ଦେଖିବାକୁ ଆସୁଥିବା ଲୋକ ବିନା ଟିକା ପ୍ରମାଣପତ୍ରରେ ବି ସିନେମା ହଲରେ ପ୍ରବେଶ କରିପାରିବେ ।
ନୂଆ ଗାଇଡ଼ ଲାଇନରେ ସିନେମା ହଲକୁ ନେଇ ଯେଉଁ କଟକଣା ଥିଲା ତାହା କୋହଳ ହୋଇଯାଇଛି । କିନ୍ତୁ କରୋନା ଯୋଗୁଁ ସୁଟିଂ ବନ୍ଦ ରହିଥିବାରୁ ସିନେମା ହଲ କେମିତି ଚାଲିବ ସେ ନେଇ ହଲ ମାଲିକ ଚିନ୍ତାରେ ପଡ଼ିଯାଇଛନ୍ତି । ସାମ୍ଭାବ୍ଯ ତୃତୀୟ ଲହର ସିନେମା ଶିଳ୍ପକୁ ପ୍ରଭାବିତ କରିବା ନେଇ ସନ୍ଦେହରେ ଉଭୟ କଳାକାର ଓ ମାଲିକ ।
"ପ୍ରାୟ ଦେଢ଼ ବର୍ଷ ପରେ ଶହେ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ ଖୋଲିବ। ଆଗରୁ ୫୦%ଲୋକଙ୍କ ପାଇଁ ଖୋଲିଥିଲା। ଏଥର ବ୍ୟବସାୟ ହେବ ବୋଲି ଆଶା କରୁଛୁ। କିନ୍ତୁ ଏବେ ଭଲ ଆଖି ଦୃଶିଆ ଫିଲ୍ମ ନ ଆସିବା ଯାଏଁ ବେପାର ଭଲ ହେବ ନାହିଁ। ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ସରକାରଙ୍କ ଗାଇଡ଼ ଲାଇନ ମାନି ହଲ ଚଲେଇବୁ" କହିଛନ୍ତି କେଶରୀ ହଲ ଅଧ୍ଯକ୍ଷ ବିନୋଦ ସିଂ।
"କରୋନା ତୃତୀୟ ଲହରକୁ ନେଇ ଏବେ ସବୁ ଅଡ଼ୁଆ ହୋଇ ରହିଛି। ଫିଲ୍ମ ମହଜୁଦ ରହିଛି। ଦଶହରା ଓ କାଳୀ ପୂଜାରେ ହଲରେ ରିଲିଜ ହେବା ଅପେକ୍ଷାରେ ରହିଛି । ଲୋକେ ଦେଖିବାକୁ ଯାଇ ପାରିବେ ନାହିଁ। ସିନେମା ହଲ ଶହେ ପ୍ରତିଶତ ଲୋକଙ୍କୁ ନେଇ ଖୋଲିଲା । ଏହା ଶୁଣି ଖୁସି ଲାଗୁଛି ହେଲେ କରୋନା କାଳରେ ସିନେମା ଶିଳ୍ପ ପୁଣି ପ୍ରଭାବିତ ହେବା ଡର ବି ରହୁଛି," କହିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର।
କେବଳ ସିନେମା ହଲ ନୁହେଁ ଯାତ୍ରା ପାଇଁ ବି ଅନୁମତି ମିଳିଛି। ଅନେକ ଦିନରୁ ଦାବି କରି ଆସୁଥିବା ଯାତ୍ରା କଳାକାର ଯାତ୍ର ପ୍ରଦର୍ଶନ କରିପାରେବେ । କିନ୍ତୁ ନାଇଟ କର୍ଫ୍ଯୁ ଏବେ ବି ବଳବତ୍ତର ରହିଛି । ତେଣୁ ରାତି ସମୟରେ ଯାତ୍ରା ପରିବେଷଣ କରିବା ସମ୍ଭବ ନୁହେଁ । ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବା ଯୋଗୁଁ ଯାତ୍ରା ହୋଇପାରିବ ନାହିଁ। ଗୋଟିଏ ପଟେ ଅନୁମତି ଅନ୍ୟପଟେ କଟକଣା, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରା କଳାକାର।
"ରାଜ୍ୟ ସରକାର ଗୋଟିଏ ପଟେ ନିୟମ କରିଛନ୍ତି ଅନ୍ୟପଟେ ଅନୁମତି ଦେଇଛନ୍ତି। ରାତିରେ ଯାତ୍ରା ହେଇପାରିବ ହେଲେ ନାଇଟ କର୍ଫ୍ୟୁ ଲଗାଇଛନ୍ତି। ଏମିତି ସ୍ଥିତିରେ ଯାତ୍ରା ହେବ କେମିତି? ଲୋକ ନଆସିଲେ ଯାତ୍ରା କେମିତି ହେବ? ଏଣୁ ସରକାର ଗୋଟିଏ ପ୍ରକାର ନିଷ୍ପତ୍ତି ନିଅନ୍ତୁ। ଆଉ କଷ୍ଟ ନ ଦେଇ ଜୀବନ ଜୀବିକା ପାଇଁ ଯାତ୍ରାକୁ ରାତିରେ କରିବାକୁ ଅନୁମତି ଦିଅନ୍ତୁ," କହିଛନ୍ତି ଯାତ୍ରା କଳାକାର ବାପି ପଣ୍ଡା।
ଯାତ୍ରା ହେଉ କି ସିନେମା ହଲ ସବୁଠି କୋଭିଡ଼ କଟକଣାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାନିଟାଇଜେସନ, ମାସ୍କ ସହ କରୋନା ଗାଇଡ଼ ଲାଇନ ମାନି ଲୋକ ସିନେମା ଦେଖି ପାରିବେ। ହେଲେ ଏବେ ବି ଭଲ ଫିଲ୍ମ ଅପେକ୍ଷାରେ ଦର୍ଶକ ଓ ବ୍ଯବସାୟୀ ରହିଛନ୍ତି।






