News18 Odia Digital
କଟକ: ପୂର୍ବରୁ ଗିରଫ ହୋଇଥିଲେ ଓ ଏବେ ତଡ଼ା ଖାଇଲେ । ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା ପୋଲିସ କମ୍ୟୁନିକେସନ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଚାକିରିରୁ ବିଦା ହେବାକୁ ପଡ଼ିଛି । ଦୁର୍ନୀତିଖୋର ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ରେଡ କରାଯାଇଥିଲା । ରେଡ୍ରୁ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ତ୍ରିନାଥଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୫୨ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ସେପଟେ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହେବାକୁ ଥିବା ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖକୁ ଘଞ୍ଚିଛି । ଆସନ୍ତା ତିନିଦିନ ମଧ୍ୟରେ ଅପ ଟୁ ଡେଟ୍ କେସ ଡାଏରୀ ଦାଖଲ କରିବାକୁ କୋର୍ଟ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଖୋଲୁଛି ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତିର ପରିମାଣ ବଢ଼ିବାରେ ଲାଗିଛି। ପୂର୍ବରୁ ୯ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ ବନିଥିବା ଦୁର୍ନୀତିଖୋର ପୋଲିସ ଅଧିକାରୀଙ୍କର ୮ ଟି ନୂଆ ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ପାଇଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ବରର ବିଭିନ୍ନ ବ୍ୟାଙ୍କ ସହିତ ଦିଲ୍ଲୀ ଓ ପୁଣେରେ ଥିବା ଦୁଇଟି ବ୍ୟାଙ୍କରେ ରହିଛି ତ୍ରିନାଥଙ୍କ ଆକାଉଣ୍ଟ । ଭିଜିଲାନ୍ସ ବିଭାଗ କଟକର ବଜ୍ରକବାଟୀ ଓ କଲେଜ ଛକ ଏସସବିଆଇରେ ପହଞ୍ଚି ଦୁଇଟି ଆକାଉଣ୍ଟ ଡିଟେଲ୍ ହାସଲ କରିଛି । ଦିଲ୍ଲୀ ଓ ପୁଣେର ଶାଖାଗୁଡ଼ିକୁ ମଧ୍ୟ ତ୍ରିନାଥଙ୍କ ଆକାଉଣ୍ଟ ଡିଟେଲ୍ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ରିକ୍ୟୁଜିସନ୍ ହୋଇଛି ।
ଏହି ଘଟଣାକୁ ନେଇ ପୂର୍ବତନ ଭିଜିଲାନ୍ସ ଏସପି ଦେବଦତ୍ତ ପଟ୍ଟନାୟକ କହିଛନ୍ତି "ଯେହେତୁ ତ୍ରିନାଥ ମିଶ୍ରଙ୍କ ଠାରୁ ଜବତ ହୋଇଥିବା ଅନେକ ସମ୍ପତ୍ତି ତାଙ୍କ ପତ୍ନୀଙ୍କ ନାମରେ ରହିଛି, ସେଥିପାଇଁ ଭିଜିଲାନ୍ସକୁ ଚ୍ୟାଲେଞ୍ଜ ହୋଇପାରେ । ଯଦି ତାଙ୍କ ପତ୍ନୀଙ୍କ ବିରୋଧରେ ଭିଜିଲାନ୍ସକୁ ପ୍ରମାଣ ମିଳେ, ତେବେ ସେ ମଧ୍ୟ ଗିରଫ ହୋଇପାରନ୍ତି "।
ଗତ ୧୫ ତାରିଖରେ ତ୍ରିନାଥ ମିଶ୍ରଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା । ୧୬ ତାରିଖରେ ବନ୍ଧା ହୋଇଥିଲେ ତ୍ରିନାଥ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।