News18 Odia Digital
ଭୁବନେଶ୍ୱର: ୧୦ ଦଫା ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ହୋଇଛି। ମହାସଂଘ-ସରକାର ମଧ୍ୟରେ ହୋଇଥିବା ବୈଠକ ଫଳପ୍ରଦ ହୋଇଛି । ପରିବହନ, ଅର୍ଥ, ଶ୍ରମ ଓ ଗୃହ ବିଭାଗକୁ ନେଇ ଗଠନ ହେବ ଉଚ୍ଚସ୍ତରୀୟ କମିଟି । କମିଟିରେ ରହିବେ ମନ୍ତ୍ରୀ ଓ ସରକାରୀ ଅଧିକାରୀ । ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରିବ କମିଟି, ଯାହାକି ୩ ମାସ ମଧ୍ୟରେ ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଡ୍ରାଇଭର ମହାସଂଘ ସରକାରଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ଓ ଶ୍ରମ ମନ୍ତ୍ରୀ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି," ରାଜ୍ୟ ସରକାର-ଡ୍ରାଇଭର ମହାସଂଘ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ପରେ ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ସୁରକ୍ଷା ପ୍ରଦାନ ନେଇ ଡ୍ରାଭରରମାନଙ୍କ ଯେଉଁ ପ୍ରଥମ ଦାବି ଥିଲା ତାହା ପୂରଣ ହୋଇଛି । ଏ ନେଇ ପଦକ୍ଷେପ ନେବା ଲାଗି ଗତ ୧୬ ତାରିଖରେ ସମସ୍ତ ଏସପିଙ୍କୁ ଚିଠି ଲେଖିଛନ୍ତି ପୋଲିସ ଡିଜି । ଡ୍ରାଇଭରଙ୍କ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି"।
ଅନ୍ୟପଟେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି," ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ନେଇ ଅନ୍ୟ ରାଜ୍ୟ ପଦକ୍ଷେପ ନିଆଯାଇଛି ଜାଣିବା ଲାଗି ଚିଠି ଲେଖିଛୁ । ପଶ୍ଚିମବଙ୍ଗ ସହ ଆଉ କିଛି ରାଜ୍ୟରୁ ଏ ନେଇ ଉତ୍ତର ମିଳିଛି । ଆଉ କିଛି ରାଜ୍ୟରୁ ମିଳିବାର ଅଛି । ଏହା ସହ ଗଠିତ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରିବେ । ଯାହା ଡ୍ରାଇଭରମାନଙ୍କୁ ଅଧିକ ସୁବିଧା ଯୋଗାଇ ପାରିବ ତାହା ସରକାର ଲାଗୁ କରିବେ । ଇନସ୍ୟୁରାନ୍ସ, ମୃତ୍ୟୁ କାଳୀନ ସହାୟତା ଆଦିକୁ ସରକାର ସହୃଦୟତା ଗ୍ରହଣ କରାଯାଇଛି"।
ଡ଼୍ରାଇଭର ମହାସଙ୍ଘ ସଭାପତି ପ୍ରଶାନି ମାଣ୍ଡୁଳି କହିଛନ୍ତି," ଆମେ ଆଶା କରୁଛୁ ସରକାର ତିନିମାସ ମଧ୍ୟରେ ଆମ ଦାବି ପୂରଣ କରିବେ। କିନ୍ତୁ ଆମେ ସ୍ପଷ୍ଟ ହୋଇପାରୁନୁ ସରକାର ତିନିମାସ ଭିତରେ ନା ତିନିମାସ ପରେ ଦାବି ପୂରଣ କରିବେ।ଆଲୋଚନା ହୋଇଛି, ଆମେ ଚାହୁଁଥିଲୁ ସରକାର ଘୋଷଣା କରନ୍ତୁ ବୋଲି। କାରଣ ପୁର୍ବରୁ ବି ଆଲୋଚନା ହୋଇଥିଲା। ଡ୍ରାଇଭର ସୁରକ୍ଷା ନେଇ ହୋଇଥିବା ଦାବିକୁ ପୂରଣ କରାଯାଇଛି ।ସମୟ ଲାଗିବ ଗୋଟିଏ କାର୍ଯ୍ୟ କରିବା ପାଇଁ ତେଣୁ ଆମ ସଂଘ ଏହାକୁ ଗ୍ରହଣ କରୁଛି। ଅନ୍ୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର କରିବୁ ବୋଲି ଆଶା କରୁଛି"।
୧୦ ଦଫା ଦାବି ନେଇ ଆନ୍ଦୋଳନ କୁ ଉହ୍ଲାଇଥିଲା ଡ୍ରାଇଭର ମହାସଙ୍ଘ। ଦାବି ଗୁଡିକ ହେଉଛି
୧. ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣାୟନ କରାଯାଉ ।
୨. ଗାଡ଼ିଗୁଡ଼ିକ ପାର୍କିଙ୍ଗ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାର୍ଲିଙ୍ଗ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା (ପ୍ରତି ୧୦୦ କି.ମି ଅନ୍ତରରେ) କରାଯାଉ ।
୩. ୫୫ ବର୍ଷ ପରେ ପେନସନ୍ ଦିଆଯାଉ।
୪. ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବିମାରାଶି ଓ ଦୁର୍ଘଟଣାରେ ଅର୍କମଣ୍ଯ ଡ୍ରାଇଭରଙ୍କ ପାଇଁ ୧୦ ଲକ୍ଷ୍ୟ ଟଙ୍କାର ବିମାରାଶି ସହିତ ଦୁର୍ଘଟଣାରେ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇଦିଆଯାଉ ।
୫. ଡ୍ରାଇଭର ମାନଙ୍କର ଦରମା ନିର୍ଦ୍ଧାରଣ ଓ ସମୟ ସୀମା ଧାର୍ଯ୍ୟ କରାଯାଉ ।
୬. ଡ୍ରାଇଭର ମାନଙ୍କୁ ଦ୍ବିତୀୟ ସୈନିକର ମାନ୍ୟତା ଦିଆଯାଉ ।
୭. ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ।
୮. ଡ୍ରାଇଭରମାନଙ୍କ ପିଲା ମାନଙ୍କ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଉ ।
୯. ରାଜ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ହଇରାଣ କରାନଯାଉ।
୧୦. ସମୟ ଅସମୟରେ ଜନ ସାଧାରଣ ହଠାତ୍ ରାସ୍ତା ରୋକ କରିବା ହେତୁ ଡ୍ରାଇଭର ମାନଙ୍କ ଅସୁବିଧାକୁ ସରକାରଙ୍କ ତରଫରୁ ଦୃଷ୍ଟି ଦିଆଯାଉ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।