‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ।

‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ

‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ବର ସର୍ବ ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ମିଳନୀ' ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ଥାନୀୟ ଜୟଦେବ ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛିl ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସଵକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେl

ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ମିଳନୀର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଶୁଭ ଉନ୍ମୋଚନ କରିବା ସହ ମିଳନୀର ବର୍ତ୍ତମାନ ସଭାପତି ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ‘ମୋ ଜୀବନର ସଙ୍ଘର୍ଷମୟ କାହାଣୀ' ଓ 'ଆବର୍ଜନାର ଫୁଲ' ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେl

ପରେ ପରେ ଭଦ୍ରକ ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନାମ ଅର୍ଜନ କରିଥିବା ଛଅ ଜଣ ବ୍ୟକ୍ତିତ୍ୱ ଯଥା ଡ଼ଃ. ନନ୍ଦ ନନ୍ଦନ ଦାସ, ବିନୋଦ ବିହାରୀ ପଲେଇ, ଡ଼ଃ ରମାକାନ୍ତ ରାଉତ, ଡ଼ଃ. ହୃଷିକେଶ ମଲ୍ଲିକ, ଅଶୋକ କୁମାର ମହାନ୍ତି ଓ ପ୍ରଫେସର ଶୈଳେନ୍ଦ୍ର କୁମାର ମହାପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେl

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ବିଗତ ୫୦ ବର୍ଷରୁ ରାଜଧାନୀରେ ରହୁଥିବା ଭଦ୍ରକବାସୀଙ୍କ ମଧ୍ୟରେ ସମନ୍ୱୟ, ଭାଇଚାରା ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଥିବାରୁ ସେ ଏହାର ଉଚ୍ଚ ପ୍ରଂଶସା କରିଥିଲେl ଏହାର ମୁଖ୍ୟ ପୁରୋଧା ଡ଼ଃ. ହରେକୃଷ୍ଣ ମହତାବ ତାଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ କେବଳ ଭଦ୍ରକ କାହଁକି ସାରା ଓଡ଼ିଶାର ଜନମାନସରେ ମନେ ରହିବେ ବୋଲି ସେ କହିଥିଲେl

ମିଳନୀର ସଭାପତି ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର ସର୍ବ ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏହାର ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ଖଣ୍ଡିଏ ଜାଗା ଯୋଗାଇ ଦିୟା ଯାଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେl

ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନଇ ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠି ଯୋଗ ଦେଇ ମିଳନୀର ଉନ୍ନତି କାମନା ସହ ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ମିଳନୀ ରାଜଧାନୀରେ ଅବସ୍ଥିତ ହୋଇ ମଧ୍ୟ ଭଦ୍ରକର କଳା, ସଂସ୍କୃତି ଓ ପରମ୍ପରାକୁ କେବଳ ଓଡ଼ିଶା ନୁହେଁ, ସର୍ବଭାରୀତୀୟ ସ୍ତରରେ ବିକଶିତ କରି ପାରିଥିବାରରୁ ଖୁସି ବ୍ୟକ୍ତ କରିବା ସହ ମିଳନୀର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଶେଷରେ ଗୁରୁ ଜଗନ୍ନାଥ କୁଅଁରଙ୍କ ନିର୍ଦ୍ଦେଶନାରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ରଜ ଦୋଳି ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲାl

ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ପୁରୁଷୋତ୍ତମ ବଳ, ନିରୋଦ ନାରାୟଣ ମହାନ୍ତି ଓ ଭାସ୍କର ଚନ୍ଦ୍ର ଜେନା ପରିଚାଳନା କରିଥିଲେl
Published by:Lipina Das
First published: