News 18 Odia Digital
ଗଞ୍ଜାମ: ମାଟିରେ ମିଶିଲା ବ୍ରହ୍ମପୁରର ସର୍ବପୁରାତନ ଗିରି ମାର୍କେଟ । ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷ ଧରି ରହିଥିବା ବେଳେ ଏବେ ମାର୍କେଟକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦିଆଯାଇଛି । ବିଏମସି ଏକ ଠିକା ସଂସ୍ଥାକୁ ମାର୍କେଟକୁ ଭାଙ୍ଗିବା ନିମନ୍ତେ ଦାୟିତ୍ବ ପ୍ରଦାନ କରିଛି । ଏହି ଠିକା ସଂସ୍ଥା ମାର୍କେଟକୁ ଭାଙ୍ଗିବା ପରେ ସେଠାରେ ବାହାରିଥିବା ଲୁହା ଓ ସ୍ଲାବ ସହ ଅନ୍ୟାନ୍ୟ ସାମଗ୍ରୀ ନେବ ଆଉ ଏଥିପାଇଁ ବିଏମସି ନିକଟରେ ୧୪ ଲକ୍ଷ ଟଙ୍କା ଜମା କରିଛି ସମ୍ପୃକ୍ତ ସଂସ୍ଥା । ମାର୍କେଟକୁ ଭଙ୍ଗା ସରିବା ପରେ ପୁନଃ ଏକ ଅତ୍ୟାଧୁନିକ ସପିଂ ମଲ କରାଯାଇ ଯେଉଁମାନେ ପୂର୍ବରୁ ସେଠାରେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଦିଆଯିବା ସହିତ ବଳକା ସ୍ଥାନରେ ମଧ୍ୟ ଅନ୍ୟ ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ନିମନ୍ତେ ସୁଯୋଗ ଦିଆଯିବ।
ସେପଟେ ଗିରି ମାର୍କେଟରେ ୧୫୦ରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଅନ୍ଧପସରା ରୋଡ଼ରେ ଥିବା ଏକ ଘରୋଇ ସୋପିଂ ମଲ୍କୁ ୪୦ ଜଣ ବ୍ୟବସାୟୀ ସ୍ଥାନାନ୍ତର ହୋଇଛନ୍ତି । ତଥାପି ମଧ୍ୟ ପୂର୍ବ ଅପେକ୍ଷା ବ୍ୟବସାୟ ହେଉନଥିବା କହିଛନ୍ତି ବ୍ୟବସାୟୀ ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ ‘ମାର୍କେଟଟି ଜାରଜୀର୍ଣ୍ଣ ହୋଇ ପଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ମାର୍କେଟକୁ ବିପଦପୂର୍ଣ୍ଣ ବୋଲି ହାଇକୋର୍ଟ ଘୋଷଣା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗିରି ମାର୍କେଟରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଦୋକାନ ସ୍ଥାନାନ୍ତର କରନ୍ତୁ ବୋଲି ସୂଚନା ଦିଆଯାଇଥିଲା । ଏହାପରେ ସମସ୍ତ ଦୋକାନୀ ମାନେ ନିଜର ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ଏହି ମାର୍କେଟକୁ ଭଙ୍ଗାଯାଉଛି । ମାର୍କେଟକୁ ଭଙ୍ଗାଯିବା ପରେ ସେହି ସ୍ଥାନରେ ପୁଣି ଆଉ ଏକ ଅତ୍ୟାଧୁନିକ ସୋପିଂ ମଲ୍ କରାଯିବ । ଯେଉଁଠି ସମସ୍ତ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବ ସେ ନେଇ ଯୋଜନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି।
‘ଦୀର୍ଘ ୫୦ ବର୍ଷ ଧରି ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ରହିଥିଲା ଏହି ଗିରି ମାର୍କେଟ । ଏହି ମାର୍କେଟରେ ପ୍ରାୟ ୧୫୦ରୁ ଅଧିକ ବ୍ୟବସାୟୀ ବିଭିନ୍ନ ସାମଗ୍ରୀକୁ ବିକ୍ରି କରୁଥିଲେ। ଏହି ମାର୍କେଟରୁ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଲୁଗା, ଇଲୋଟ୍ରୋନିକ ସହ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ ହେଉଥିଲା । ମାର୍କେଟରେ ସମସ୍ତ ସାମଗ୍ରୀ ହୋଲସେଲରେ ବିକ୍ରି କରାଯାଉଥିବା ବେଳେ ରିଟେଲର ମାନେ ଏଠାକୁ ଆସି ସାମଗ୍ରୀ କିଣିଥାନ୍ତି । ତେବେ ମାର୍କେଟ ଦୀର୍ଘ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଯୋଗୁଁ ଏହାର ମରାମତି ପାଇଁ ବାରମ୍ବାର କୁହାଯିବା ପରେ ଏହାକୁ ଭାଙ୍ଗିବା ନିମନ୍ତେ ବିଏମସି ସ୍ଥିର କରି ଏଭଳି ପଦକ୍ଷେପ ନେଇଛି । କିନ୍ତୁ ପୂର୍ବରୁ ଗିରି ମାର୍କେଟରେ ୧୫୦ ଜଣ ବ୍ୟବସାୟୀ ବ୍ୟବସାୟ କରୁଥିବା ବେଳେ ଅନ୍ଧପସରାରେ ରହିଥିବା ଏକ ଘରୋଇ ସପିଂ ମଲକୁ ମାତ୍ର ୪୦ ଜଣ ବ୍ୟବସାୟୀ ସ୍ଥାନାନ୍ତର ହୋଇ ନିଜର ବ୍ୟବସାୟ ପୁଣି କରିଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।