News18 Odia Digital
ବ୍ରହ୍ମପୁର: ନୂଆ ରୂପ ପାଇବ ବ୍ରହ୍ମପୁରର ସର୍ବପୁରାତନ ଗିରି ମାର୍କେଟ କମ୍ପ୍ଲେକ୍ସ । ଦୀର୍ଘ ବର୍ଷ ହେଲା ମରାମତି ନ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସଟି ପଡ଼ିରହିଥିଲା । ବର୍ତ୍ତମାନ ଏହି ଗିରି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ଅତ୍ୟାଧୁନିକ ମାର୍କେଟ କମ୍ଲେକ୍ସ କରାଯିବା ନେଇ ନିଷ୍ପତ୍ତି ନେଇଛି ବିଏମସି ।
ଏଥିପାଇଁ ଗିରି ମାର୍କେଟ କମ୍ପ୍ଲେକ୍ସରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ତୁରନ୍ତ ଦୋକାନ ଖାଲି କରିବା ନିମନ୍ତେ ବିଏମସି ପକ୍ଷରୁ କୁହାଯାଇଛି । ମାର୍କେଟ କମ୍ପ୍ଲେକ୍ସରୁ ସମସ୍ତ ବ୍ୟବସାୟୀ ନିଜର ସାମଗ୍ରୀ ବାହାର କରିବା ପରେ ମାର୍କେଟ କମ୍ଲେକ୍ସକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗାଯିବ । ୨୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ସୁନ୍ଦର ଓ ଅତ୍ୟାଧୁନିକ ମେର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।
ମାଟିରେ ମିଶିବ ବ୍ରହ୍ମପୁରର ଗିରି ମାର୍କେଟ କମ୍ପ୍ଲେକ୍ସ। ଦୀର୍ଘ ୫୦ରୁ ଅଧିକ ବର୍ଷ ଧରି ଦକ୍ଷିଣ ଓଡ଼ିଶାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳି ରହିଛି ଏହି ଗିରି ମାର୍କେଟ କମ୍ପ୍ଲେକ୍ସ । ପ୍ରତିଦିନ ଶହ ଶହ ଲୋକେ ଏଠାକୁ ବିଭିନ୍ନ ସାମଗ୍ରୀ କିଣାବିକା ନିମନ୍ତେ ଆସୁଥିବା ବେଳେ କମ୍ପ୍ଲେକ୍ସଟି ସମ୍ପୂର୍ଣ୍ଣ ରୂପେ ବିପଦଜନକ ରହିଥିଲା ।
‘‘ନୂତନ କମ୍ପ୍ଲେକ୍ସ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏନେଇ କମ୍ପ୍ଲେକ୍ସର ବ୍ୟବସାୟୀ ମାନଙ୍କୁ ଦୋକାନ ଖାଲି କରିବା ନିମନ୍ତେ ନୋଟିସ ଦିଆଯାଇଛି । କର୍ପୋରେସନ ରୋଡ଼ ଠାରେ ରହିଥିବା ଅନ୍ୟ ଏକ ସ୍ଥାନରେ ସେମାନଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରାଯିବ। ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ବ୍ୟବସାୟୀ ମାନେ ଦୋକାନ ଛାଡ଼ିବା ପରେ କମ୍ପ୍ଲେକ୍ସକୁ ଭଙ୍ଗାଯିବ,‘‘ କହିଛନ୍ତି ବିଏମସି କମିଶନର ଜେ.ସୋନାଲ।
‘‘୧୯୪୭ ମସିହା ମେ ମାସ ୨୪ ତାରିଖରେ ଗିରି ମାର୍କେଟ କମ୍ପ୍ଲେକ୍ସ ପ୍ରତିଷ୍ଠା ହୋଇଥିଲା। ଭାରତର ଚତୁର୍ଥ ରାଷ୍ଟ୍ରପତି ଭି.ଭି.ଗିରି ଏହି ମାର୍କେଟ୍ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ । ରାଷ୍ଟ୍ରପତିଙ୍କ ନାମରେ ଏହି ମାର୍କେଟ କମ୍ପ୍ଲେକ୍ସର ନାମ ଗିରି ମାର୍କେଟ କମ୍ପ୍ଲେକ୍ସ ନାମକରଣ ହୋଇଥିଲା । ତେବେ ଦୀର୍ଘ ବର୍ଷ ହେଲା ମରାମତି ଅଭାବ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ପରିତ୍ୟକ୍ତ ହୋଇ ପଡ଼ିରହିଥିଲା ଏହି ମାର୍କେଟ କମ୍ପ୍ଲେକ୍ସ,’’କହିଛନ୍ତି ବ୍ରହ୍ମପୁର ବାସିନ୍ଦା ପ୍ରମୋଦ ମହାରଣା ।
ବର୍ତ୍ତମାନ ଗିରି ମାର୍କେଟ କମ୍ପ୍ଲେକ୍ସରେ ୧୫୦ରୁ ଅଧିକ ବ୍ୟବସାୟୀ ମାନେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଥିବା ବେଳେ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ କମ୍ପ୍ଲେକ୍ସ ହେବା ପରେ ପୂର୍ବରୁ ବ୍ୟବସାୟୀ କରୁଥିବା ବ୍ୟକ୍ତିଙ୍କୁ ଦୋକାନ ଗୃହ ବଣ୍ଟନ କରିବା ନିମନ୍ତେ ବିଏମସି ପଦକ୍ଷେପ ନେବା ଜରୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।