ସମୟ ପରେ ସମୟ ଗଡୁଛି; ଶେଷ ହୋଇପାରୁନାହିଁ ଗଞ୍ଜାମ ମଲାଡ଼ର ମେଗା ପାନୀୟ ଜଳ ପ୍ରକଳ୍ପ

ଅଗଷ୍ଟ ପରେ ଅଗଷ୍ଟ ଗଡ଼ୁଛି କିନ୍ତୁ ଶେଷ ହୋଇପାରୁନାହିଁ ଗଞ୍ଜାମ ମଲାଡ଼ର ମେଗା ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପ ଆରମ୍ଭ ହେବାର ୪ ବର୍ଷ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟ ଶେଷ ନ ହେବାରୁ ହୋଇପାରୁନାହିଁ ।

ଶେଷ ହୋଇପାରୁନାହିଁ ଗଞ୍ଜାମ ମଲାଡ଼ର ମେଗା ପାନୀୟ ଜଳ ପ୍ରକଳ୍ପ (ପ୍ରତୀକାତ୍ମକ ଛବି)

ଶେଷ ହୋଇପାରୁନାହିଁ ଗଞ୍ଜାମ ମଲାଡ଼ର ମେଗା ପାନୀୟ ଜଳ ପ୍ରକଳ୍ପ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ଅଗଷ୍ଟ ପରେ ଅଗଷ୍ଟ ଗଡ଼ୁଛି କିନ୍ତୁ ଶେଷ ହୋଇପାରୁନାହିଁ ଗଞ୍ଜାମ ମଲାଡ଼ର ମେଗା ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପ ଆରମ୍ଭ ହେବାର ୪ ବର୍ଷ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟ ଶେଷ ନ ହେବାରୁ ହୋଇପାରୁନାହିଁ । ସେପଟେ ପ୍ରକଳ୍ପର କାର୍ଯ୍ୟକୁ ସମୀକ୍ଷା କରିବା ସହିତ ଖୁବଶୀଘ୍ର ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଜୟ ଦାସ ବର୍ମା ।

ଋଷିକୂଲ୍ୟା କଂସାରୀଗଣ୍ଡରୁ ପାଣି ଉଠାଇ ଏହାକୁ ଫିଲଟର କରାଯାଇ ଗଞ୍ଜାମ ବ୍ଳକ ଓ କୃଷ୍ଣପ୍ରସାଦ ବ୍ଳକର ପ୍ରାୟ ୧୪୭ଟି ଗ୍ରାମକୁ ଜଳଯୋଗଣ କରାଯିବା ନେଇ ଯୋଜନା କରାଯାଇଥିଲା । ଏହି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ବରଦା ନିକଟରେ ରହିଥିବା କଂସାରୀଗଣ୍ଡରୁ ପାଣି ଉଠାଯିବା ପରେ ଏହି ପାଣିକୁ ମଲାଡ଼ ନିକଟରେ ବସିଥିବା ପ୍ରକଳ୍ପରେ ପାଣିକୁ ଫିଲଟର କରାଯାଇ ଗଞ୍ଜାମ ବ୍ଳକ ଓ କୃଷ୍ଣପ୍ରସାଦ ବ୍ଳକକୁ ପଠାଯିବା ନେଇ କାମ ଜାରି ରହିଛି ।

‘‘ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ପ୍ରକଳ୍ପ ଆରମ୍ଭ ହେବାର ଦୀର୍ଘ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା କାମ ଅଧା ଶେଷ ହୋଇନାହିଁ । ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳର ଅନେକ ରାସ୍ତାକୁ ଖୋଳାଖୋଳି କରାଯିବା ସହିତ ପାଇପ ଲାଇନ ବିଛାଯାଇଛି । ଏହା ସହିତ ପ୍ରତି ଘର ସମ୍ମଖରେ ପାଇପ ପୋଷ୍ଟ ମଧ୍ୟ ଦିଆଯାଇଛି । କିନ୍ତୁ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଉଥିବା ଯୋଗୁଁ  ଅସନ୍ତୋଷ ପ୍ରକାଶ କରିଛନ୍ତି,‘‘ ବରଦା ବାସିନ୍ଦା ଉତ୍ସବ ବାରିକ ।

ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ କିଭଳି ଚାଲିଛି ସେ ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା । ସଞ୍ଜୟ ଦାସ ବର୍ମା ବରଦା ଓ ମଲାଡ଼ ଯାଇ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହାପରେ ଛତ୍ରପୁର ସ୍ଥିତ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ପ୍ରକଳ୍ପରେ ନିୟୋଜିତ ଥିବା ଯନ୍ତ୍ରୀଙ୍କ ସହିତ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରିଥିଲେ । ୨୦୧୮ ମସିହା ଅଗଷ୍ଟ ମାସ ୨୮ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥା ଏହି ମେଗା ପ୍ରକଳ୍ପର କାମ ହାତକୁ ନେଇଥିଲା । ୨୦୨୦ ଅଗଷ୍ଟ ୨୬ ତାରିଖ ସୁଦ୍ଧା କାମ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ପ୍ରକଳ୍ପ କାର୍ଯ୍ୟରେ ଅନେକ ବାଧା ଉପୁଜିବା କାରଣରୁ ପ୍ରକଳ୍ପର କାର୍ଯ୍ୟ ଆଉ ଦୁଇ ବର୍ଷ ଅଧିକା ତଥା ୨୦୨୨ ଅଗଷ୍ଟ ୨୬ ତାରିଖରେ ଶେଷ କରିବା ନିମନ୍ତେ ପୁଣି ଲକ୍ଷ୍ୟ ରଖାଯାଇଛି ।

‘‘ଏହି ମେଗା ପ୍ରକଳ୍ପ ପାଇଁ ୨୦୩ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନୁମୋଦନ ହେବା ପରେ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଆଉ ୧୯ କୋଟି ଯଙ୍କା ଅତିରିକ୍ତ ଅର୍ଥ ମଧ୍ୟ ସରକାର ମଞ୍ଜୁର କରିଛନ୍ତି । ପ୍ରକଳ୍ପକୁ ଶେଷ କରିବା ନିମନ୍ତେ ଅନେକ ବାଧା ସୃଷ୍ଟି ହେଉଥିବା ବେଳେ କିଛି ସମସ୍ୟାର ସମାଧାନ ହୋଇଛି ବଳକା ସମସ୍ୟାକୁ ଆଉ କିଛି ଦିନରେ ସମାଧାନ କରିବା ପରେ ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଆଶା ରଖାଯାଇଛି,‘‘ କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ।
Published by:Soumya Das
First published: