କଲେଜରୁ ୯୭ଲକ୍ଷ ଟଙ୍କା ଠକେଇ ଘଟଣା; ହଡ଼ପ ଟଙ୍କାରେ ସିମଲାରେ ମଉଜ କରୁଥିଲେ ପ୍ରେମୀଯୁଗଳ

ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ଠକେଇ ଘଟଣାରେ ୩ଦିନିଆ ରିମାଣ୍ଡରେ ଆସିବେ ଠକ ପ୍ରେମୀ ଯୁଗଳ। ହଡ଼ପ ଟଙ୍କାରେ ରାଜ୍ୟ ବାହାରେ ଉଭୟ ମଉଜ କରୁଥିବା କିଛି ଫଟୋ ପୋଲିସ ହାତରେ ଲାଗିଛି ।

ହଡ଼ପ ଟଙ୍କାରେ ସିମଲାରେ ମଉଜ କରୁଥିଲେ ପ୍ରେମୀଯୁଗଳ (ପ୍ରତୀକାତ୍ମକ ଛବି)

ହଡ଼ପ ଟଙ୍କାରେ ସିମଲାରେ ମଉଜ କରୁଥିଲେ ପ୍ରେମୀଯୁଗଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ଠକେଇ ଘଟଣାରେ ୩ଦିନିଆ ରିମାଣ୍ଡରେ ଆସିବେ ଠକ ପ୍ରେମୀ ଯୁଗଳ। ଗୁରୁବାର ଉଭୟଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡ ବେଳେ ହଡ଼ପ ଟଙ୍କାର ହିସାବ ଖୋଜିବ ତଦନ୍ତକାରୀ ଟିମ । ସେପଟେ ଅଭିଯୁକ୍ତ ପ୍ରେମିକ ବିକାଶ ମୋବାଇଲ ଫୋନ ଜବତ କରିଛି ପୋଲିସ । ଯେଉଁଥିରେ ହଡପ ଟଙ୍କାରେ ରାଜ୍ୟ ବାହାରେ ଉଭୟ ମଉଜ କରୁଥିବା କିଛି ଫଟୋ ଥିବା ଜଣା ପଡ଼ିଛି ।

" ପ୍ରେମୀଯୁଗଳ ପାୟଲ ମହାପାତ୍ର ଓ ବିକାଶ କୁମାରକୁ ଆମେ ୩ଦିନ ପାଇଁ ରିମାଣ୍ଡରେ ଆଣିବୁ । ଉଭୟଙ୍କୁ 7ଦିନ ପାଇଁ ରିମାଣ୍ଡ ଆବଦେନ କରିଥିବା ବେଳେ କୋର୍ଟ ୩ଦିନ ଅନୁମତି ପ୍ରଦାନ କରିଛନ୍ତି । ଗୁରୁବାର ଠାରୁ ଉଭୟଙ୍କୁ ରିମାଣ୍ଡ ଆଣି ମୁହାଁମୁହିଁ ଜେରା କରାଯିବ । କଲେଜର ହଡ଼ପ ଟଙ୍କାରେ କିଭଳି ରାଜ୍ୟ ବାହାରେ ମଉଜ କରୁଥିଲେ ସେନେଇ ତଦନ୍ତ କରିବ ପୋଲିସ । ଏହା ସହ ବିକାଶର ମୋବାଇଲ ଫୋନରୁ ଅନେକ ତଥ୍ୟ ଆମେ ପାଇଛୁ । ଅନଲାଇନ ଗେମ ଆପ ରହିଛି । ତେଣୁ ସେସବୁ ଆପରେ କିଭଳି ଟଙ୍କା ବିନିଯୋଗ କରାଯାଇଛି ସେନେଇ ତଦନ୍ତ କରାଯିବ,"କହିଛନ୍ତି ଅତିରିକ୍ତ ଡିସିପି ପ୍ରକାଶ ପାଲ।

ଅଭିଯୁକ୍ତ ବିକାଶ ମୋବାଇଲ ଫୋନରୁ ଅନେକ ଗୁଡିଏ ଫଟୋ ଜବତ ହୋଇଛି । ଯେଉଁଥିରେ ପାୟଲଙ୍କ ସହ ବିକାଶ ସିମଲା, ଜାମ୍ମୁ କାଶ୍ମୀର, ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନ ବୁଲିବା ସହ ମଉଜ କରୁଥିବା ଦେଖିବାକୁ ମିଳିଛି। ଉଭୟ କେବେ ଓ କେଉଁ କେଉଁ ସ୍ଥାନକୁ ବୁଲିଯାଇଥିଲେ ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ତମାଣ୍ଡୋ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଜି.ଏମ ଏକାଉଣ୍ଟାଣ୍ଟ  ଭାବରେ ୨୦୧୭  ମସିହାରୁ କାର୍ଯ୍ୟରତ ଅଛନ୍ତି ପାୟଲ। ବିଭିନ୍ନ ସମୟରେ କଲେଜ ଟଙ୍କାକୁ ଝାଡ଼ଖଣ୍ଡରେ ରହୁଥିବା  ପ୍ରେମିକ ବିକାଶ କୁମାରଙ୍କ ପାଖକୁ ପଠାଉଥିଲେ । ବିକାଶ ମଧ୍ୟ  ସେ କଲେଜର ପୂର୍ବତନ ଛାତ୍ର । ପାଠ ପଢ଼ିବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ବିକାଶ ବିଭିନ୍ନ ସମୟରେ ଆଳ ଦେଖାଇ ତାଙ୍କ ପାଖରୁ ଟଙ୍କା ନେଇଥାନ୍ତି । ପାୟଲ କଟକ ସ୍ଥିତ ଅକ୍ସିସ କ୍ୟାଙ୍କ ଏଟିଏମରୁ ଟଙ୍କା ଟ୍ରାଞ୍ଜକ୍ସନ କରୁଥିବା କଥା ଜଣା ପଡ଼ିଛି ।
Published by:Soumya Das
First published: