News18 Odia Digital
ଭୁବନେଶ୍ୱର: ୨୦୨୪ ପାଇଁ ପାଗଭିଡା। ଫାଇନାଲ ଲଢେଇ ପାଇଁ ଶ୍ରୀକ୍ଷେତ୍ରରୁ ପଡ଼ିବ ଭିତ୍ତିଭୂମି। ରୌପ୍ୟ ଜୟନ୍ତୀ ଅବସରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି। ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରି ବିରୋଧୀଙ୍କୁ ଚେକ୍ ଦେବାକୁ ଯୋଜନା କରିଛି ଶାସକଦଳ। ପୁରୀ ତାଳବଣିଆ ପଡ଼ିଆରେ ଏକାଠି ହେବେ ସାରା ରାଜ୍ୟର ତୁଙ୍ଗ ନେତାଙ୍କ ସହ ଛାମୁଆ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି। ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ।
ସମାବେଶରେ ଫୋକସରେ ରହିବ ନାରୀ ଶସକ୍ତି କରଣ, ସରକାରଙ୍କ ଲୋକାଭିମୁଖୀ ଯୋଜନା, କେନ୍ଦ୍ରୀୟ ଅବହେଳା ପରି ପ୍ରସଙ୍ଗ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପ୍ରତିଷ୍ଠା ଦିବସକୁ ବ୍ୟାପକ କରିଛି ବିଜେଡି। ପୁରୀରେ ରାଜ୍ୟସ୍ତରୀୟ ସମାବେଶ ପରେ ୧୫ ଦିନ ଧରି ନିର୍ବାଚନ ମଣ୍ଡଳୀ ସ୍ତରରେ ସମାବେଶ କରିବ ଦଳ। ଦଳର ୨୫ ବର୍ଷର ସଫଳତା ସହ ନବୀନଙ୍କ ସନ୍ଦେଶକୁ ନେଇ ଗାଁ ଗାଁ କୁ ଯିବେ କର୍ମୀ। ପଞ୍ଚାୟତ, ପୌର ନିର୍ବାଚନ ସହ ପଦ୍ମପୁର ଫଳାଫଳ ବିଜେଡି କ୍ୟାମ୍ପ କୁ ଉତ୍ସାହିତ କରିଥିବା ବେଳେ ସାଧାରଣ ନିର୍ବାଚନର ଏହାର ପ୍ରତିଫଳନ ନେଇ ଦଳ ଆଶାବାଦୀ। ଷଷ୍ଠ ଥର ଶାସନ ଗାଦିରେ ବସିବାକୁ ବିଜେଡି ପୁରା ପ୍ରସ୍ତୁତ କରିଥିବା ବେଳେ ଶ୍ରୀକ୍ଷେତ୍ରରୁ ପଡ଼ିବ ଏହାର ମୂଳଦୁଆ।
ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ୨୫ ବର୍ଷ ଲୋକଙ୍କ ସେବାରେ ସମର୍ପିତ ବିଜେଡି। ଲୋକେ ବାରମ୍ବାର ବିଜେଡି ଉପରେ ଭରସା କରି ଆସୁଛନ୍ତି। ଆଗକୁ ବି ଲୋକଙ୍କ ପାଇଁ ସେବା କରିବାକୁ ଦଳ ବଦ୍ଧ ପରିକର। ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ଯେଉଁ ସନ୍ଦେଶ ଦେବେ ତାକୁ ନେଇ ତୃଣମୂଳ ସ୍ତରରେ ପହଞ୍ଚିବ ଦଳ। ଏପଟେ ବିଜେପି ବି ଆକ୍ସନ ମୋଡକୁ ଆସିଛି ।
ରାଜ୍ୟ ବିଜେପିକୁ ବଳ ନେବାକୁ ତୁହାକୁ ତୁହା ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ର ନେତୃତ୍ବ। ସେପ୍ଟେମ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିଥିବା ବେଳେ ପୁନର୍ବାର ୨୮ ତାରିଖରେ ଆସୁଛନ୍ତି ଜେପି ନଡ୍ଡା। ପୁରୀ ଓ କନ୍ଧମାଳ ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରବାସ କାର୍ଯ୍ୟକ୍ରମ କରି ଲୋକଙ୍କ ସହ ଯୋଡ଼ି ହେବେ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି କାର୍ଯକ୍ରମରୁ ବିରାଟ ଫାଇଦା ନେବାକୁ ଲକ୍ଷ ରଖିଛି ରାଜ୍ୟ ବିଜେପି।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ମୋଦି ସରକାର ଯେଉଁ ସବୁ ଲୋକାଭିମୁଖୀ ଯୋଜନା କରିଛନ୍ତି ସେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବାକୁ ଉଦ୍ୟମ କରିବ ଦଳ। ରାଷ୍ଟ୍ରୀୟ ସଭାପତି ବର୍ଷ ଶେଷରେ ସେପ୍ଟେମ୍ବର ମାସରେ ଓ ଏବେ ପ୍ରାୟ ଦୁଇ ଥର ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ର କୁ ଆଧାର କରି ଦଳ ଆଗକୁ ବଢିବ।
ପୂର୍ବତନ ପିସିସି ସଭାପତି ସମୀର ଜୟଦେବ ଜେନା କହିଛନ୍ତି କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ଆରମ୍ଭ ହେବ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ। ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ଏଭଳି କାର୍ଯକ୍ରମ କରୁଛି ଦଳ। ଆଗକୁ କିପରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବୁ ସେ ନେଇ ପ୍ରୟାସ କରିବୁ। ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ତିନି ଦଳ। ବିଜେଡିର ଘନ ଘନ ବୈଠକ ବସୁଥିବା ବେଳେ କର୍ମୀଙ୍କୁ ମନ୍ତ୍ରଣା ଦେବାକୁ ତୁହାକୁ ତୁହା ଓଡ଼ିଶା ଗସ୍ତ କରିଛନ୍ତି ବିଜେପିର କେନ୍ଦ୍ର ନେତୃତ୍ବ। ଶିଥିଳ ପଡ଼ିଥିବା କଂଗ୍ରେସ ଭାରତ ଯୋଡ ଯାତ୍ରା ପରେ ରାଜ୍ୟ କ୍ୟାମ୍ପ ରେ ନୂଆ ସମ୍ଭାବନା ଆଶାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।