News 18 Odia Digital
ପୁରୀ; ବନ୍ୟା ପାଣିରେ ବି ପେଟର ଭୋକ ଖୋଜୁଛନ୍ତି ବନ୍ୟା ପିଡ଼ିତ । ଘରେ ଖାଦ୍ୟ ସାମଗ୍ରୀ ନଥିବାରୁ ଏବେ ପେଟ ଭୋକ ପାଇଁ ଘରୁ ମସାରି, ଲୁଗା ଓ ଜାଲ ଧରି ଲୋକେ ମାଛ ମାରୁଛନ୍ତି । ଖୁସିରେ ନୁହେଁ ଦୁଃଖ ପଡ଼ିଥିବାରୁ ଏଭଳି ପିଲା ଛୁଆଙ୍କୁ ଧରି ମାଛ ମାରିବା ପାଇଁ ଆସିଛୁ ବୋଲି କିଛି ବନ୍ୟା ପିଡ଼ିତ କହିଛନ୍ତି । ତେବେ ବିଭିନ୍ନ ଅଞ୍ଚଳରେ ଛୁଆଠୁ ବଡ଼ ସଭିଏଁ ମାଛ ମାରୁଥିବା ଦେଖିବାକୁ ମିଳିଛି ।

ଗୋପ ଓ ପୁରୀ ରାସ୍ତାର ଷୋଳପୁର ନିକଟରେ ରାସ୍ତା ଉପରେ ୫ ଫୁଟର ବନ୍ୟା ପାଣି ରହିବା କାରଣରୁ ବାହାର ସ୍ଥାନରୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଛି । ଷୋଳପୁରରୁ ଗଣେଶ୍ୱରପୁର ପ୍ରାୟ ୫ କିଲୋମିଟର ରାସ୍ତାରେ ବନ୍ୟା ପାଣିର ସୁଅ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲୋକେ ରାସ୍ତାରେ ବାଲିବସ୍ତା ପକାଇ ରାସ୍ତା ବନ୍ଦ କରିଛନ୍ତି । ଗତକାଲି କୁଶଭଦ୍ରାର ଖଣ୍ଡିଆକୁଦ ଘାଇ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ, ଚୁପୁରିଙ୍ଗ ପଂଚାୟତରେ ବନ୍ୟା ଜନିତ ସମସ୍ୟା ଦେଖାଦେଇଛି । ପାହିଲୁଣ୍ଡିରେ ଦୟା ନଦୀର ଶାଖା ମକରା ନଦୀରେ ୨୦ ଫୁଟର ଘାଇ ହେବା ଫଳରେ ୫ଟି ପଂଚାୟତର ୨୫ଟି ଗାଁ ପ୍ରଭାବିତ ହୋଇଛି । ଘାଇ ମୁହଁରେ ପଡ଼ି ଷଣ୍ଢ ଭାଷି ଯାଇଥିବା ସୂଚନା ମିଳିଛି । ବିଶେଷ କରି ସୁନାଖଳା, ଅଂଜିରା, ବାଲିପଡା, ଅଣ୍ଡାଲ, ଜଗନାଥପୁର, ଓସ୍ତାପରି, ବଳଭଦ୍ରପୁର ଗାଁ ଅଧିକ ପ୍ରଭାବିତ ହୋଇଥିବା ଜଣା ପଡ଼ିଛି ।

ଗତକାଲି ପୁରୀ ଜିଲ୍ଲାରେ ସାମ୍ଭାବ୍ୟ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ମହାନଦୀର ବନ୍ୟାଜଳ ପୁରୀ ଜିଲ୍ଲାର ଦୟା , ଭାର୍ଗବୀ , ରତ୍ନଚିରା , ଲୁଣା ଏବଂ ମକରା ନଦୀ ପଟେ ଚିଲିକା ଦେଇ ସମୁଦ୍ରକୁ ନିଷ୍କାସିତ ହେବ । ଫଳରେ ପୁରୀ ଜିଲ୍ଲାର ଏଗାରଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷକରି ଦୟାନଦୀ ଅବବାହିକା କଣାସର ଚୁପୁରିଙ୍ଗି, ବଡପୁଟ, ଢୋଲପାଟଣା ଅଞ୍ଚଳ ପ୍ରଭାବିତ ହେବ ।
ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବା ସହ ରିଲିଫ, ଶୁଖିଲା ଖାଦ୍ୟ, ଔଷଧ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜରୀ ପାଲ ଆଦି ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ପାଇଁ ବିଡିଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।