ବ୍ରହ୍ମପୁର: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୂଳରେ ପହଞ୍ଚିଲେ ମତ୍ସ୍ୟଜୀବୀ

ବାତ୍ୟା ଅସାନିର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଜାରି ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ବାହାରି ଆସିଛନ୍ତି ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୂଳରେ ପହଞ୍ଚିଲେ (ପ୍ରତୀକାତ୍ମକ ଛବି)

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୂଳରେ ପହଞ୍ଚିଲେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ବାତ୍ୟା ଅସାନିର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଜାରି ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାର ଓ ପାଣିପାଗ ବିଭାଗର ନିର୍ଦ୍ଧେଶ କ୍ରମେ ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୂଳକୁ ଫେରି ଆସିବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ବାହାରି ଆସିଛନ୍ତି । ଏହାସହିତ ନିଜର ସମସ୍ତ ଡ଼ଙ୍ଗା, ଜାଲ ସହ ଅନ୍ୟାନ୍ୟ ସାମଗ୍ରୀଙ୍କୁ ମଧ୍ୟ ସୁରକ୍ଷିତ ଭାବେ ରଖିଛନ୍ତି । ସେପଟେ ବାତ୍ୟାକୁ ନେଇ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ । ବାତ୍ୟା ହେଉ ଅଥବା ବର୍ଷା ଯେଉଁ ପରିସ୍ଥିତିରେ ମଧ୍ୟ ମୁକାବିଲା କରିବା ନିମନ୍ତେ ନିଜର ସମସ୍ତ ପ୍ରକାରର ସରଞ୍ଜାମକୁ ପ୍ରସ୍ତୁତ କରି ରଖୁଛନ୍ତି ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ।

ପ୍ରତି ବର୍ଷ ଜିଲ୍ଲାରେ ବାତ୍ୟାର ପ୍ରଭାବ ନିଶ୍ଚିତ ଭାବେ ଦେଖିବାକୁ ମିଳେ । କେଉଁ ବାତ୍ୟାରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୁଏ ତେ ଆଉ କେଉଁ ବାତ୍ୟାରୁ ସୁରୁଖୁରୁରେ ମୁକୁଳି ଯାଇଥାଏ ଗଞ୍ଜାମ । ସେହିକ୍ରମରେ ବର୍ତ୍ତମାନ ଆସୁଥିବା ବାତ୍ୟା ଅସାନିକୁ ନେଇ ମଧ୍ୟ ଗଞ୍ଜାମ ଜିଲ୍ଲା ପ୍ରସ୍ତୁତ ହୋଇ ରହିଛି । ଗତକାଲି ପାଣିପାଗ ବିଭାଗ ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀ ମାନେ କୂଳକୁ ଆଜି ସୁଦ୍ଧା ଫେରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

‘‘ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଗତକାଲି ଗୋପାଳପୁର, ମାର୍କଣ୍ଡି, ଆର୍ଯ୍ୟପଲ୍ଲୀ ଭଳି ସମୁଦ୍ର କୂଳ ଅଞ୍ଚଳଗୁଡ଼ିକରେ ଡ଼ାକବାଜି ଯନ୍ତ୍ର ଯୋଗେ ମତ୍ସ୍ୟଜୀବୀମାନଙ୍କୁ ବାତ୍ୟାକୁ ନେଇ ସଚେତନ କରାଯାଇଥିଲା । ଏହା ସହିତ ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନେ ଖୁବଶୀଘ୍ର ସମୁଦ୍ର କୂଳକୁ ଆସିବା ନିମନ୍ତେ ମତ୍ସ୍ୟଜୀବୀଙ୍କୁ କୁହାଯାଇଥିଲା,‘‘କହିଛନ୍ତି ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ତପନ କୁମାର ମହାପାତ୍ର ।

‘‘ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମତ୍ସ୍ୟଜୀବୀମାନେ ଆଜି ସକାଳୁ ସମୁଦ୍ର କୂଳକୁ ଫେରିବା ସହ ନିଜର ସମସ୍ତ ପ୍ରକାରର ସାମଗ୍ରୀକୁ ମଧ୍ୟ ସୁରକ୍ଷିତ ରଖିଛନ୍ତି । ବାତ୍ୟା ଯୋଗୁଁ ୩ ରୁ ୪ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହେ ତେବେ ମାଛ ଧରିବାକୁ ସମୁଦ୍ରକୁ ଯାଇହେବ ନାହିଁ । ଯାହାଫଳରେ ପରିବାର ପ୍ରତିପୋଷଣ ଅସୁବିଧା ହେବ । ତେଣୁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇବା ନିମନ୍ତେ ଅନୁରୋଧ କରିଛନ୍ତି,‘‘ କହିଛନ୍ତି ମତ୍ସ୍ୟଜୀବୀ ଏ.ଗୋପାଳ ।

‘‘ବାତ୍ୟାର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି ବ୍ରହ୍ମପୁର ଅଗ୍ନିଶମ ବିଭାଗ । ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ଦୁଇଟି ୟୁନିଟ୍‌ ପ୍ରସ୍ତୁତ ହୋଇ ରହିଛି । ବାତ୍ୟା ପ୍ରଭାବରେ ଯେ କୌଣସି ସ୍ଥାନରେ ଗଛ ପଡ଼େ ଅଥବା ଅନ୍ୟ କୌଣସି ଦୁର୍ଘଟଣା ଘଟେ ସେହି ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ଟିମ । ଅଗ୍ନିଶମ ବିଭାଗର ପକ୍ଷରୁ ରହିଥିବା ଗଛକଟା ଯନ୍ତ୍ର, ପାଓ୍ବାର ବୋଟ, ଆସିକା ଲାଇଟ୍‌, ଲୁହା ସାମଗ୍ରୀ କାଟିବା ନିମନ୍ତେ ପ୍ଲାଜମା କଟର ଗାଡ଼ି ମଧ୍ୟ ରହିଛି । ଏହି ସମସ୍ତ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି ଯେଉଁ ସମୟରେ ଯାହାର ଆବଶ୍ୟକ ପଡ଼େ ତାହାକୁ ବ୍ୟବହାର କରାଯିବ,‘‘ କହିଛନ୍ତି ବ୍ରହ୍ମପୁର ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ସୁରେଶ କୁମାର ମିଶ୍ର ।
Published by:Soumya Das
First published: