News18 Odia Digital
ଭୁବନେଶ୍ୱର: ଆଦି ଟ୍ରାଇବାଲ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଅଗଷ୍ଟ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଟ୍ରାଇବାଲ କୁଇନ୍ ପ୍ରତିଯୋଗିତା ୨୦୨୨ । ଏହାର ନାମ ରଖାଯାଇଛି 'ଟ୍ରାଇବାଲ କୁଇନ ଗ୍ଲୋବାଲ' ପ୍ରତିଯୋଗିତା । ଏଥିରେ ଟ୍ରାଇବାଲ ଇଣ୍ଡିଆ, ଟ୍ରାଇବାଲ ୟୁନିଭର୍ସ, ଟ୍ରାଇବାଲ ଗ୍ଲୋବାଲ, ଟ୍ରାଇବାଲ ଆଇକୋନିକ୍ ଆଦି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ୩୭ଟି ଦେଶର ବିଭିନ୍ନ ଜନଜାତିର ପ୍ରତିଯୋଗୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏହା ହେଉଛି ଟ୍ରାଇବାଲ କୁଇନ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ।
ଆଦି ଟ୍ରାଇବାଲ ଫାଉଣ୍ଡେସନ ଓ କଳିଙ୍ଗ ଗୌରବ ଆୱାର୍ଡ଼ ଫାଉଣ୍ଡେସନ ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ଦେଶ ଓ ରାଜ୍ୟର ଜନଜାତି ବିକାଶ ମନ୍ତ୍ରଣାଳାୟ ଏଥିରେ ସହଯୋଗ କରିବେ। ମୁଖ୍ୟତଃ ଦେଶ ଓ ବିଦେଶରେ ଥିବା ବିଭିନ୍ନ ଜନଜାତିର ଯୁବତୀଙ୍କ ଭିତରେ ଥିବା ପ୍ରତିଭାର ବିକାଶ କରିବା, ସେମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ପରମ୍ପରା ଓ ଚଳଣୀକୁ ସମ୍ମାନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ରବିବାର ମଧ୍ୟାହ୍ନରେ ଭୁବନେଶ୍ୱର କ୍ଲବ ପରିସରରେ ଉନ୍ମୋଚିତ ହୋଇଥିଲା ଟ୍ରାଇବାଲ କୁଇନ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣର ମାସ୍କଟ୍ ଓ ପୁସ୍ତିକା। ବଲିଉଡ଼ର ସିନେ ନିର୍ମାତା, ନିର୍ଦ୍ଦେଶକ, କଥାକାର ତଥା ଅଭିନେତା ଇମିତ୍ଆଜ ଅଲ୍ଲୀ ଏହି ମାସ୍କଟ ଓ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଇମିତ୍ଆଜ୍ ଜନଜାତିଙ୍କ ଜୀବନଶୈଳୀ ଓ ଭାବନାକୁ ଉଚ୍ଚ ପ୍ରଶଂସା କରିବା ସହିତ ଏଭଳି ଉଦ୍ୟମକୁ ପ୍ରୋତ୍ସାହନ ମିଳିବା ଉଚିତ୍ ବୋଲି ମତ ରଖିଥିଲେ।
ଆଦି ଟ୍ରାଇବାଲ ଫାଉଣ୍ଡେସନ ପକ୍ଷରୁ ୨୦୧୮ ମସିହାରେ ଆୟୋଜିତ ଟ୍ରାଇବାଲ କୁଇନ୍ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ବିଜେତା ବିଜେତା ପଲ୍ଲବୀ ଦୁରୁଆ ଉପସ୍ଥିତ ରହିବା ସହ ଏହି ପ୍ରତିଯୋଗିତା ଆଦିବାସୀଙ୍କ ମନୋବଳକୁ ଉତ୍ସାହ ଭରି ପାରିଛି ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଉପସ୍ଥିତ ରହି ନିରୀହ ଜନଜାତିଙ୍କ ଭାବନା ଓ ଚଳଣୀକୁ ଆଧାର କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ଗୁରୁତ୍ୱ ରଖିଥିଲେ ।

ଆଦି ଟ୍ରାଇବାଲ୍ ଫାଉଣ୍ଡେସନ ସଂସ୍ଥା ଦ୍ୱାରା ଆଦିବାସୀ ଜନଜାତିଙ୍କର ଜୀବନଶୈଳୀ ଓ ପରମ୍ପରାକୁ ପୁନରୁଦ୍ଧାର କରାଯିବା ସହ ତାକୁ ବିଶ୍ଵ ଦରବାରରେ ଉପସ୍ଥାପନ କରିବାର ଚେଷ୍ଟା କରାଯାଇ ଆସୁଛି। ବିଶେଷ କରି ଆଦିବାସୀ ଜନଜାତିଙ୍କ ପରମ୍ପରା ଓ ଚଳଣୀକୁ ଅନୁଧ୍ୟାନ କରିବା ସହ ବିଶେଷ ଭାବେ ପାରମ୍ପରିକ ଓ ସାଂସ୍କୃତିକ ଜୀବନଶୈଳୀ ସହ ଜଡ଼ିତ ମହିଳାମାନଙ୍କ ସଶକ୍ତିକରଣ ଏହି ଅନୁଷ୍ଠାନର ପ୍ରଥମ ଲକ୍ଷ୍ୟ। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ଵରେ ୩୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଏହି ସଂସ୍ଥା ସହ ଜଡ଼ିତ ଅଛନ୍ତି। ଏହି ଅନୁଷ୍ଠାନ ଦ୍ଵାରା ଭାରତର ପ୍ରଥମ ଆଦିବାସୀ ଜନଜାତି କୁଇନ୍ ପ୍ରତିଯୋଗିତା ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିଲା ଯାହା ଆଦିବାସୀଙ୍କ କଳା ନୈପୁଣ୍ୟ, ପରମ୍ପରାକୁ ପ୍ରଦର୍ଶିତ କରି ସମଗ୍ର ବିଶ୍ଵରେ ଭାରତୀୟ ଇତିହାସକୁ ନେଇ ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।