News18 Odia Digital
ପୁରୀ: ମୃତ୍ୟୁ କେତେବେଳେ କିଭଳି ଆସେ ତାହା ଜଣା ନ ଥାଏ । ପୁଣି ନିଜ ପରିବାର ସହ ଖୁସି ମଜା ସମୟରେ ନିଜ ପିଲା ସମ୍ମୁଖରେ ଅକାଳ ମୃତ୍ୟୁ ବେଶ ଦୁଃଖଦାୟକ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପୁରୀ ବେଳାଭୂମିରେ।
"ବାଲେଶ୍ୱରର ବଂଶୀଧର ବେହେରା ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶନିବାର ସକାଳେ ପୁଅର ଚୁଟି ପକାଇବା ସମୁଦ୍ରରେ ଗାଧୋଉଥିଲା। ଆଉ ଏତିକି ବେଳେ ପୁଅକୁ ଖୁସି କରିବାକୁ ଯାଇ ସମୁଦ୍ର ଭିତରକୁ ଲମ୍ଫ ମାରିବା ପରେ ନିଖୋଜ ହୋଇଯାଇଛନ୍ତି । ଆଉ ଏସବୁ ଦୃଶ୍ୟ ବଂଶୀଧରଙ୍କ ପରିବାର ଲୋକେ ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିବା ବେଳେ ତାହା ବି ରେକର୍ଡ଼ ହୋଇଛି। ସେପଟେ ପରିବାର ଲୋକେ ପୁଅକୁ ବୁଝାଉଥିଲେ ବାପା ଆସିବେ । ଆଉ ପୁଅ ଅନେଇ ରହିଥିଲା ସମୁଦ୍ର ଜଳରାଶିକୁ । ହେଲେ ସମୟ ଗଡି ଚାଲିଲା ଆସିଲେ ନାହିଁ ବାପା । ତା ପରେ ପରିବାର ଲୋକେ ସ୍ଥାନୀୟ ଲାଇଫଗାର୍ଡ଼କୁ ଖବର ଦେଲେ । ଭିଡିଓ ଦେଖାଇଲେ । ତା ପରେ ସେଠାରେ ଖୋଜାଖୋଜି କରାଗଲା । ହେଲେ ପୂର୍ଣ୍ଣିମା ସକାଶେ ଜୁଆର ଥିବାରୁ ସେ ସମୁଦ୍ର ଗର୍ଭକୁ ଚାଲିଯାଇଥିଲେ । ତା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳି । ଆଉ ଏଭଳି ଖୁସିର ମୁହୁର୍ତ୍ତ ପାଲଟିଯାଇଥିଲା ବଂଶୀଧରଙ୍କ ପରିବାର ପାଇଁ ଦୁଃଖଦ ଘଟଣା," କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ବୁଲା ବିକାଳୀ ଏସ.ଶିବା ରାଓ।
"ପୁରୀ ବେଳାଭୂମିରେ ସମୁଦ୍ରସ୍ନାନ ପାଇଁ ୧୪ଟି ସେକ୍ଚର କରାଯାଇଛି ସେଫ ବାଥିଂ ଜୋନ । ବଂଶୀଧର ବେହେରାଙ୍କୁ ତୁରନ୍ତ ଆମେ ଖୋଜା ଖୋଜି କରିବା ସହ ଜେଟସ୍କି ସାହାର୍ଯ୍ୟରେ ସମୁଦ୍ର ଭିତରେ ବି ଖୋଜାଖୋଜି ଚାଲିଛି । ହେଲେ ଜୁଆରିଆ ଥିବାରୁ ତାଙ୍କର ସନ୍ଧାନ ମିଳିନଥିବା ବେଳେ ଆସନ୍ତାକାଲି ସୁଦ୍ଧା ମୃତଦେହ ଉଦ୍ଧାର ହେବ," କହିଛନ୍ତି ଡ୍ୟୁଟିରେ ଥିବା ଲାଇଫଗାର୍ଡ ଏସ.ଗୋପିନାଥ ।
"ଚୌତନ୍ୟ ଛକ ସେକ୍ଟର ୯ ବାଥିଂ ଜୋନରେ ଗାଧୋଉଥିବା ବେଳେ ଆଜି ଜଣେ ନିଖୋଜ ଓ ଦୁଇଜଣ ଉଦ୍ଧାର। ସମୁଦ୍ର କୂଳ ଥାନାରେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରାଯାଇ ପରିବାର ବର୍ଗ କଏଦ କରିଥିବା ଭିଡିଓକୁ ଯାଞ୍ଚ କରୁଛି ପୋଲିସ। ତେବେ ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡଙ୍କ ପକ୍ଷରୁ ଦୀର୍ଘସମୟ ସର୍ଚ୍ଚ ଅପରେସନ କରାଯାଇଥିଲେ ହେଁ ବଂଶୀଧରଙ୍କ କୌଣସି ପତ୍ତା ମିଳିପାରିନାହିଁ," କହିଛନ୍ତି ସମୁଦ୍ରକୁଳ ଥାନା ଅଧିକାରୀ ଚିନ୍ମୟ ରାଉତ"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।