News 18 Odia Digital
ଜଗତସିଂହପୁର; ଘରର ରୋଜଗାରିଆ ପୁଅ ଟ୍ରେନ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ଼ ହରାଇବା ପରେ ଏବେ ଶଯ୍ୟାଶାୟୀ । ପୁଅର ଆଵଶ୍ୟକୀୟ ଚିକିତ୍ସା ସହ ପରିବାର କେମିତି ଚଳିବ ଏବେ ସେଇ ଚିନ୍ତା ଘାରିଛି ବୃଦ୍ଧ ବାପା ମା'ଙ୍କୁ । ଜଗତସିଂହପୁର ଜିଲ୍ଲା ମହିରା ଗାଁର ମିଟୁ ସାମଲ । ଗାଁ ନିକଟରେ ଥିବା ଏକ ଅକେଷ୍ଟ୍ରା ପାର୍ଟିରେ ଗୀତ ଗାଇ ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଇଥିରେ କଷ୍ଟେ ମଷ୍ଟେ ପରିବାର ଚଳୁଥିଲା । ହେଲେ ଲକ ଡାଉନ ଯୋଗୁ ଅକେଷ୍ଟ୍ରା ବନ୍ଦ ହୋଇଯିବା ପରେ କାମଧନ୍ଦା ହରାଇ ନିରୁପାୟ ହେବା ପରେ ଶେଷରେ ମିଟୁ ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇ ସେଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ପ୍ରାୟ ଏକ ବର୍ଷ ସେଠାରେ କାମ କରିବା ପରେ ଗତ ଦଶହରାକୁ ଘରକୁ ଆସି ବୁଲାବୁଲି କରିବା ସହ ପୁଣି ନିଜର କର୍ମସ୍ଥଳୀ ବାଙ୍ଗାଲୋରକୁ ଫେରୁଥିଲେ । ହେଲେ ଫେରିବା ବାଟରେ କଟକ ରେଳ ଷ୍ଟେସନରେ ଟ୍ରେନରେ ଚଢ଼ୁଥିବା ସମୟରେ ହାତ ଖସିଯିବାରୁ ତଳେ ପଡିଯାଇଥିଲେ ମିଟୁ ।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ଼ ହରାଇ ବସିଲେ ମିଟୁ । ମହିଳା ସମିତିରୁ ଟଙ୍କା ଧାର କରି ବୃଦ୍ଧ ବାପ ମାଆ ପୁଅର ଚିକିତ୍ସା କରିବା ପରେ ଏବେ ଘରକୁ ଫେରିଛନ୍ତି ମିଟୁ । ହେଲେ ଏବେ ଶଯ୍ୟାଶାୟୀ ପାଲଟି ଗୋଟିଏ ଜାଗାରେ ପଡି ରହିଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅ ଘରେ ପଡିବା ପରେ ଏବେ ବୃଦ୍ଧ ବାପ ମାଆଙ୍କ ପକ୍ଷେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା କାଠିକର ପାଠ ହୋଇ ପଡୁଛି । ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛିବି ସହାୟତା ମିଳିବା ସମ୍ଭବ ହେଉନାହିଁ ।
ଏହି ପରିବାରର ଦୁର୍ଦଶା ଦେଖି ଗ୍ରାମବାସୀ ମାନେ ଯାହା କିଛି ସାହାଯ୍ୟ କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି । ଫଳରେ ପ୍ରଶାସନ ପକ୍ଷରୁ ମିଟୁ ଓ ତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ଯଦି କେହି ସରକାରୀ ବା ବେସରକାରୀ ଅନୁଷ୍ଠାନ ମିଟୁଙ୍କୁ ସହଯୋଗ କରିବାକୁ ଚାହାଁନ୍ତି ତାଙ୍କର ଠିକଣା , ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଛି ।
SamalAt- Mahira, Po- Kortal, District- Jagatsinghpur
A/C No. 34878982756CIF No . 88411384917IFSC: SBIN0003943
MOB No. 9692433200
ରିପୋର୍ଟ- ସରୋଜ ସାହୁPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।