ଦୁଇ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଲୁକ ଆଉଟ ସର୍କୁଲାର ଜାରି କଲା ଇଓଡ଼ବ୍ଲ୍ୟୁ

ବେକାର ଯୁବକ ଯୁବତୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗରେ ମେସର୍ସ କିନନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡର ଦୁଇ ନିର୍ଦେଶକଙ୍କ ବିରୁଦ୍ଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ଦୁଇ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କଲା ଇଓଡ଼ବ୍ଲ୍ୟୁ (ପ୍ରତୀକାତ୍ମକ ଛବି)

ଦୁଇ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କଲା ଇଓଡ଼ବ୍ଲ୍ୟୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଚାକିରି କରାଇ ଦେବା ନାଁରେ ରାଜ୍ୟର ଶହ ଶହ ବେକାର ଯୁବକ ଯୁବତୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗରେ ମେସର୍ସ କିନନେ ଇନ୍‌ଫୋଟେକ୍‌ ପ୍ରାଇଭେଟ୍ ଲିମିଟେଡର ଦୁଇ ନିର୍ଦେଶକଙ୍କ ବିରୁଦ୍ଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଦୁଇ ନିର୍ଦ୍ଦେଶକ ହେଲେ ଭିକୁ ବିଶୋଇ ଓ ମଣିକାନ୍ଦନ। ଭିକୁର ଘର ଗଞ୍ଜାମ ଜିଲାରେ ହୋଇଥିବା ବେଳେ ମଣିକାନ୍ଦନର ଘର ଚେନ୍ନାଇ ବୋଲି ତଦନ୍ତରୁ ଜଣାପଡିଛି । ଅର୍ଥନୈତିକ ଅପରାଧ ଶାଖାର ନିବେଦନ କ୍ରମେ ଏହି ଦୁଇ ଠକଙ୍କ ବିରୋଧରେ ଇମିଗ୍ରେସନ୍‌ ବ୍ୟୁରୋ ପକ୍ଷରୁ ଏହି ଲୁକ୍‌ଆଉଟ୍ ସର୍କୁଲାର ଜାରି କରାଯାଇଛି ।

ଇଓଡ଼ବ୍ଲ୍ୟୁ ସୂଚନା ଅନୁସାରେ, ବେକାର ଯୁବକ ଯୁବତୀଙ୍କୁ ଘରେ ରହି କାର୍ଯ୍ୟ କରିବା ଭଳି ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ଭଞ୍ଜନଗର ଠାରେ କିନ୍ନେ ଇନ୍‌ଫୋଟେକ୍‌ ଏକ କାର୍ଯ୍ୟାଳୟ ଖୋଲିଥିଲା । ଠକେଇ ସମ୍ପର୍କରେ ଜଣାପଡିବାରୁ ଭଞ୍ଜନଗର ଥାନାରେ ପ୍ରଥମେ ଏକ ମାମଲା ରୁଜୁ ହୋଇଥିଲା  । ଏହି ମାମଲାର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଦାୟିତ୍ବ ନେବା ପରେ ଜଣା ପଡ଼ିଥିଲା, କରୋନା ମହାମାରୀ ସମୟରେ ଅନେକ ଯୁବକ ଯୁବତୀ ରୋଜଗାର ହରାଇଥିଲେ । ୨୦୨୧ରେ ଏହାର ସୁଯୋଗ ନେଇ ଭିକୁ ଚେନ୍ନାଇର ମଣିକାନନ୍ଦନ ସହିତ ମିଶି ଭଞ୍ଜନଗରରେ ଭିକୁ ବିଶୋଇ ମଣିକାନ୍ଦନ କିନନେ ଇନ୍‌ଫୋଟେକ୍ ନାମରେ ନିଯୁକ୍ତି ପ୍ରଦାନ କାର୍ଯ୍ୟାଳୟ ଖୋଲିଥିଲେ ଟଙ୍କା ହଡପ କରିଥିଲେ ।

"ଏହି ଦୁଇ ଠକ ଆଉ ୬ଟି ଅଂଶୀଦାର ସଂସ୍ଥା ଖୋଲି ସେଥିରେ ନିଯୁକ୍ତି ଦେବା ଲାଗି ବିଜ୍ଞାପନ ଦେଇଥିଲେ । ଏଥିରେ ଆବେଦନ କରୁଥିବା ଯୁବକ ଯୁବତୀଙ୍କୁ ଚାକିରି ପାଇବା ଲାଗି ଅର୍ଥନିବେଶ କରିବାକୁ କୁହାଯାଉଥିଲା । ଏସବୁ କମ୍ପାନୀରେ ଘରେ ବସି କାମ କରିବା ସହିତ ରୋଜଗାର କରିବା ପ୍ରଲୋଭନ ଦେଖାଯାଇଥିଲା । ବେକାର ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଆଦାୟ ଲାଗି ଦୁଇ ନିର୍ଦେଶକ ୪ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ପ୍ରାୟ ୧୦୦ରୁ ଅଧିକ ଯୁବକ ଯୁବତୀଙ୍କ ପାଖରୁ ୧କୋଟି ଟଙ୍କା ଠକି ନେଇଥିବା ତଦନ୍ତ ବେଳେ ଜଣା ପଡ଼ିଛି," କହିଛନ୍ତି ଇଓଡ଼ବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ ।

ଶହ ଶହ ବେକାର ଯୁବକଯୁବତୀ ନିଯୁକ୍ତି ଓ ରୋଜଗାର ଲୋଭରେ ଏସବୁ କମ୍ପାନୀରେ ପୁଞ୍ଜି ନିବେଶ କରିଥିଲେ । ଚାକିରି ନ ପାଇବା ପରେ ସେମାନେ ଭଞ୍ଜନଗର ଥାନାର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ କମ୍ପାନୀର ୪ କର୍ମଚାରୀଙ୍କୁ ଭଞ୍ଜନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
Published by:Soumya Das
First published: