ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ ତାଲିକା; କଟ ଅଫରେ ଆଗୁଆ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ ତାଲିକା; କଟ ଅଫରେ ଆଗୁଆ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଆସନ୍ତା କାଲିଠୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଆଡ଼ମିଶନ ପ୍ରକ୍ରିୟା। ପ୍ରଥମ ପର୍ଯ୍ଯାୟରେ ୩,୮୬,୪୬୪ଜଣ ନାମ ଲେଖାଇବେ।

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ ତାଲିକା; କଟ ଅଫରେ ଆଗୁଆ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଆଜି ପ୍ରକାଶ ପାଇଲା ପ୍ରଥମ କଟ ଅଫ ମାର୍କ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 13, 2021, 6:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ୨ କଟ ଅଫ ମାର୍କ। ଆସନ୍ତାକାଲିଠୁ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୮୬ ହଜାର ୪୬୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ନାମଲେଖା ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି ହେଲା ।

ଗତବର୍ଷ ଭଳି ଏବର୍ଷ ବି କଟ ଅଫ ମାର୍କରେ ଆଗରେ ରହିଛି ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ। ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ ସହ ଆଗରେ ରହିଛି। କଳାରେ ୭୮.୩%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ସହ ରେଭେନ୍ସା ଆଗରେ ରହିଛି । ସେହିଭଳି କଳାରେ ୭୮% ସହ ଦ୍ବିତୀୟରେ ରହିଛି ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରୀ ସ୍କୁଲ ଓ ୬୫% ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି । ସେହିଭଳି ବିଜ୍ଞାନରେ ୯୦.୬୭% ସହ ବିଜେବି ଦ୍ଵିତୀୟ ଓ ବ୍ରହ୍ମପୁର ନୀଳକଣ୍ଠ ନଗର ଉଚ୍ଚ ମାଧ୍ୟମିକ ସ୍କୁଲ ୮୭.୮୩% ସହ ତୃତୀୟରେ ରହିଛି। ବାଣିଜ୍ୟରେ ୮୦.୮୩% ସହ ରାଉରକେଲା ଉଚ୍ଚ ମାଧ୍ୟମିକ ସ୍କୁଲ ଦ୍ଵିତୀୟ ଓ ୭୭.୬୭% ସହ  ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ତୃତୀୟରେ ରହିଛି। ଚଳିତବର୍ଷ ମାଟ୍ରିକରେ ପାସ ହାର ବୃଦ୍ଧି ପାଇବା ସହ କଟ ଅଫ ମାର୍କ ମଧ୍ୟ ବଢିଛି। କଟ ଅଫ ମାର୍କ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବାକୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ମନୋନୀତ ହୋଇଛନ୍ତି। କଳାରେ ସର୍ବାଧିକ ୨,୪୭,୯୦୬ ଜଣ ବାଣିଜ୍ୟରେ ୨୪,୫୬୦ଜଣ ଓ ବିଜ୍ଞାନରେ ୧୦୦,୭୩୭ ଜଣ ମନୋନୀତ ହୋଇଛନ୍ତି।

"ଆଜି ଯୁକ୍ତ୨ କଟ ଅଫ ପ୍ରକାଶ ହୋଇଛି। ସାମସ ପୋର୍ଟାଲରେ ବି ଉପଲବ୍ଧ ହେଇଛି, ପିଲାମାନେ ଦେଖିପାରିବେ। ଆମେ ଆଡ଼ମିଶନ ପାଇଁ କଲେଜଗୁଡ଼ିକ କୋଭିଡକୁ ଦେଖି ଲମ୍ବା ସମୟ ଦିଆଯାଇଛି। ତେବେ ନିୟମରେ ଯେମିତି କେହି ଖିଲାପ ନ ହେଉ ସେନେଇ ଆମେ ଧ୍ଯାନ ଦେବା," କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିକାଶ ମହାପାତ୍ର।

ମନୋନୀତ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ କଲେଜରେ ଯାଇ ନାମ ଲେଖାଇବେ। ସକାଳ ୧୦ରୁ ୫ ଟା ମଧ୍ଯରେ ନାମଲେଖା ପ୍ରକ୍ରିୟା ଚାଲୁ ରହିବ । ଗୋଟିଏ ଦିନରେ ପ୍ରତି ସ୍କୁଲରେ ୯୦ରୁ ୧୦୦ ଜଣ ପିଲାଙ୍କ ଆଡ଼ମିଶନ ପାଇଁ ବ୍ୟବସ୍ଥା ହୋଇଛି। ଘଣ୍ଟାକୁ ୧୫ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ନାମ ଲେଖାଇ ପାରିବେ। ଜଣେ ଛାତ୍ର କିମ୍ବା ଛାତ୍ରୀ ସହ ଜଣେ ଅଭିଭାବକ ଉପସ୍ଥିତ ରହିବେ ବୋଲି ଗାଇଡ଼ଲାଇନ ଜାରି କରିଛି ନିର୍ଦ୍ଦେଶାଳୟ। ସେହିଭଳି କୋଭିଡ ନେଇ ମଧ୍ୟ ଗତବର୍ଷ ଭଳି ଏବର୍ଷ ମଧ୍ୟ ଏସ.ଓ.ପି ଜାରି ହୋଇଛି। ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖି ନାମ ଲେଖା ପାଇଁ ଅଧିକ କାଉଣ୍ଟର କରାଯାଇଛି। ଯେଉଁଭଳି ପିଲାମାନଙ୍କର କୌଣସି ଅସୁବିଧା ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ନାମାଲେଖା ଚାଲିବାକୁ ଥିବାବେଳେ ପିଲାମାନେ ସ୍କୁଲ ଲିଭିଂ ସାର୍ଟିଫିକେଟ, କଣ୍ଡକଟ ସାର୍ଟିଫିକେଟ, ମାର୍କସିଟର ଓରିଜିନାଲ କପି ରଖିବାକୁ କହିଛନ୍ତି କର୍ତ୍ତୃପକ୍ଷ।

"ଆମେ ନାମ ଲେଖା ପ୍ରକ୍ରିୟା ପାଇଁ ପ୍ରସ୍ତୁତ ଅଛୁ। ଗୋଟିଏ ଦିନରେ ମାତ୍ର ୧୦୦ ପିଲାଙ୍କ ଆଡ଼ମିଶନ ପାଇଁ ନିୟମ ହୋଇଛି। ଏଣୁ ଆମର କୌଣସି ଅସୁବିଧା ହେବନାହିଁ। ଯଥେଷ୍ଟ କାଉଣ୍ଟର ସାଙ୍ଗକୁ ପିଲାମାନେ କେମିତି ଭଲରେ ଆଡ଼ମିଶନ କରିବେ ଆମେ ସଜାଗ ଅଛୁ। ନିର୍ଦ୍ଦେଶାଳୟ କଟକଣା ଓ ନିୟମ ଅନୁଯାୟୀ କାଲିଠୁ ୨୧ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଚାଲିବ," କହିଛନ୍ତି ମହର୍ଷି ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ଯକ୍ଷ ଅଦ୍ୱେତ ପ୍ରସାଦ।

"ମୋର ୯୩% ନମ୍ୱର ରଖିଥିବାରୁ ମୋ ପସନ୍ଦ କଲେଜରେ ପଢ଼ିବାର ସୁଯୋଗ ମିଳିଛି। ବିଜେବି କଲେଜରେ ଆଡ଼ମିଶନ ଅଛି। କାଲି ଆଡ଼ମିଶନ ଅଛି। ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବର୍ତ୍ତମାନ ସ୍ଥିତିରେ କଲେଜରେ ପଢ଼ିବାର ସୁଯୋଗ ମିଳିବ ନାହିଁ ସନ୍ଦେହ ରହିଛି" କହିଛନ୍ତି ଛାତ୍ରୀ ପ୍ରଜ୍ଞା ନିବେଦିତା ସାହୁ।

ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ପର୍ଯ୍ୟାୟ କଟ ଅଫ ତାଲିକା। ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ହେବ ନାମଲେଖା ପ୍ରକ୍ରିୟା। ବଳକା ସିଟ ତାଲିକା ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ। ୫ରେ ପଞ୍ଜିକରଣ ଓ ୭ ସ୍ପଟ ଆଡ଼ମିଶନ ହେବ ।
Published by: Soumya Das
First published: September 13, 2021, 6:32 PM IST