News18 Odia Digital
ଭୁବନେଶ୍ୱର: ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ରକ୍ଷେତ୍ର। ଆରମ୍ଭ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ବିନ୍ଦୁସାଗର କୂଳରେ ଚାପ ଡଙ୍ଗାରେ ଚାଲିଛି ରଙ୍ଗ କାମ।
ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୁ ଲିଙ୍ଗରାଜ ମାଆ ପାର୍ବତୀଙ୍କୁ ନେଇ ଚାପ ଖେଳିବେ। ଏନେଇ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି। ପ୍ରଥମେ ଚାପ ଡଙ୍ଗାର ମରାମତି କରି ତାକୁ ସଫା କରାଯାଇଛି। ପରେ ସେଥିରେ କଳା ରଙ୍ଗ ଦିଆଯାଉଛି। ରଙ୍ଗ କାମ ସରିବା ପରେ ସେଥିରେ ବିଭିନ୍ନ ପ୍ରକାର ଚିତ୍ରକଳା ଅଙ୍କାଯିବ। ସେହିପରି ବିନ୍ଦୁସାଗର ଭିତରେ ଥିବା ମନ୍ଦିରରେ ଚାଲିଛି ରଙ୍ଗ କାମ। ଚାପ ଖେଳିବା ପରେ ସେହି ମନ୍ଦିରରେ ପ୍ରଭୁ ଲିଙ୍ଗରାଜ ବିଶ୍ରାମ ନେବେ।

ରୁକୁଣା ରଥଯାତ୍ରାରେ ମାତା ପାର୍ବତୀଙ୍କୁ ସାଙ୍ଗରେ ନ ନେଇ ମାଉସୀ ଘରକୁ ଯାଇଥିଲେ ପ୍ରଭୁ ଲିଙ୍ଗରାଜ। ସେଥିପାଇଁ ଅଭିମାନ କରିଥିଲେ ମାଆ ପାର୍ବତୀ। ସେବେଠୁ ଅଭିମାନରେ ଥିବା ମା ପାର୍ବତୀଙ୍କୁ ସାଥିରେ ନେଇ ଚନ୍ଦନଯାତ୍ରା ଅବସରରେ ପୁଣି ଥରେ ମନ୍ଦିରରୁ ବାହାରିବେ ପ୍ରଭୁ ଲିଙ୍ଗରାଜ। ବିନ୍ଦୁସାଗର ପୁଷ୍କରିଣୀରେ ଚାପ ଖେଳିବେ। ଏହି ଅବସରରେ ଦେବଦମ୍ପତିଙ୍କ ସହ ଡ଼ଙ୍ଗାରେ ବିରାଜମାନ କରିବେ ପ୍ରଭୁ ଦୋଳଗୋବିନ୍ଦ। ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ପୂଜା ପରମ୍ପରା ଭିତରେ ଚନ୍ଦନଯାତ୍ରା ଏକ ଦୀର୍ଘତମ ଯାତ୍ରା।
ପ୍ରଚଣ୍ଡ ଗରମ ବେଳେ ପ୍ରଭୁଙ୍କର ଏହି ଅନନ୍ୟ ଲୀଳା ଯାତ୍ରା ଦେଖିବାକୁ ବିନ୍ଦୁସାଗର କୂଳରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ତେବେ ଚଳିତବର୍ଷ ପ୍ରଶାସନର ପ୍ରସ୍ତୁତି ନେଇ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶେଷ କରି ବିନ୍ଦୁସାଗରରୁ ଦଳ ସଫା ହୋଇନଥିବାରୁ ଚାପ ଖେଳରେ ସମସ୍ୟା ହେବ ବୋଲି ଅଭିଯୋଗ ହୋଇଛି।

"ଯେଉଁ ଘାଟରୁ ପ୍ରଭୁ ଚାପ ଡ଼ଙ୍ଗାରେ ବସିବେ ସେଠି ଦଳ ଭର୍ତ୍ତି ରହିଛି। ଫଳରେ ଚାପ ଖେଳ ବେଳେ ସମସ୍ୟା ସୃଷ୍ଟି ହେବ। ଏନେଇ ପୂର୍ବରୁ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଥିଲା। ହେଲେ ଏବେ ଯାଏ କିଛି ପଦକ୍ଷେପ ନିଆଯାଇନି," କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି।
ବିଧି ଅନୁସାରେ ଚନ୍ଦନଯାତ୍ରା ପାଇଁ ଦୁଇଟି ଡଙ୍ଗାକୁ ପୁଷ୍କରିଣୀରୁ ବାହାର କରାଯାଇଛି। ଦୁଇଟି ଡ଼ଙ୍ଗାକୁ ଯୋଡି ଚାପ ଖେଳ ହେବ। ଅଷ୍ଟଚଣ୍ଡୀଙ୍କ ନାମରେ ଡ଼ଙ୍ଗା ସାତ ଘେରା ବୁଲିବ। କିନ୍ତୁ ବିନ୍ଦୁସାଗରର ଦଳ ଭଉଁରୀ ଖେଳରେ ସମସ୍ୟା ସୃଷ୍ଟି କରିବ। ଆଉ ମାତ୍ର କମ ଦିନ ରହିଲା। ପୁରୀ ଶ୍ରୀମନ୍ଦିରରେ ୨୧ ଦିନ ଧରି ଚାପ ଖେଳ ହେଉଥିବା ବେଳେ ଏକାମ୍ରକ୍ଷେତ୍ରରେ ୨୨ ଦିନ ଧରି ଚାଲିବ ଚନ୍ଦନଯାତ୍ରା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।