ଠକେଇ ଟଙ୍କାରେ ବିମାନରେ ଉଡୁଥିଲେ ଡାକ୍ତର ରମେଶ; ଦ୍ୱିତୀୟ ପତ୍ନୀ ସାଜିଥିଲେ ମାଷ୍ଟର ମାଇଣ୍ଡ

ଲୋକଙ୍କ ଠକେଇ ଟଙ୍କାରେ ବିମାନରେ ବୁଲୁଥିଲା ଏହି ମହାଠକ ଡାକ୍ତର ରମେଶ । ବିମାନରେ ବୁଲିବା ସହ ଭିଡ଼ିଓ କରି ଲୋକଙ୍କୁ ପଠାଉଥିଲା । ଯାହାଫଳରେ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଥିଲା ରମେଶ । ଆଉ ଏସବୁ ପଛରେ ମାଷ୍ଟର ମାଇଣ୍ଡ ସାଜିଥିଲେ ଦ୍ଵିତୀୟ ପତ୍ନୀ।

ଠକେଇ ପଇସାରେ ବିମାନ ଉଡୁଥିଲେ ଡାକ୍ତର (ପ୍ରତୀକାତ୍ମକ ଛବି)

ଠକେଇ ପଇସାରେ ବିମାନ ଉଡୁଥିଲେ ଡାକ୍ତର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ଗିରଫ ଠକ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁର ଖୋଳୁଛି ଠକେଇର ଗୁମର । ଲୋକଙ୍କ ଠକେଇ ଟଙ୍କାରେ ବିମାନରେ ବୁଲୁଥିଲା ଏହି ମହାଠକ । ବିମାନରେ ବୁଲିବା ସହ ଭିଡ଼ିଓ କରି ଲୋକଙ୍କୁ ପଠାଉଥିଲା । ଯାହାଫଳରେ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଥିଲା ରମେଶ । ଆଉ ଏସବୁ ପଛରେ ମାଷ୍ଟର ମାଇଣ୍ଡ ସାଜିଥିଲେ ଦ୍ଵିତୀୟ ପତ୍ନୀ। ପୋଲିସ ତାଙ୍କୁ ମଧ୍ୟ ପଚରାଉଚୁରା କରିବ ବୋଲି ଜଣା ପଡ଼ିଛି। ଦିନକୁ ଦିନ ରମେଶ ବିରୁଦ୍ଧରେ ଠକେଇ ଅଭିଯୋଗ ବଢ଼ୁଥିବାରୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ପୁଣି ଏକ ଟିମ ଗଠନ କରିଛି କମିସନରେଟ ପୋଲିସ ।

ପ୍ରଥମେ ଏକାଧିକ ରାଜ୍ୟରେ ପତ୍ନୀ ଆଉ ଏବେ ଏକାଧିକ ଜିଲ୍ଲାରେ ଠକେଇ  ।  ବୌଦ୍ଧରୁ କେନ୍ଦ୍ରାପଡା, ଜଗତସିଂହପୁରରୁ ଭୁବନେଶ୍ୱର। କେତେବେଳେ  ମିଛ ସ୍ୱାମୀ ହୋଇ ବିବାହ କରି ପତ୍ନୀଙ୍କୁ ଠକିଛି, ଆଉ କେତେବେଳେ ନିଜକୁ ଡାକ୍ତର କହି ଡାକ୍ତରକୁ ଠକିଛି । ଆଉ ସେଇ ଠକେଇ ଟଙ୍କାରେ ମଉଜ କରୁଥିଲା, ବିମାନରେ ଉଡୁଥିଲା ।  ଆଉ ଏବେ ସବୁ ଠକେଇର ଗୁମର ଖୋଲିବା ପାଇଁ ପ୍ରୟାସ ଆରମ୍ଭ କରିଛି କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ ।

ଠକ ରମେଶ ସ୍ଵାଇଁ ଏବେ ପୋଲିସର ୫ଦିନିଆ ରିମାଣ୍ଡରେ ଅଛି। ତେଣୁ ତା ଠକେଇର ଚେର ଖୋଜିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ । ସେ ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡା, ଭୁବନେଶ୍ୱର ଆଦି ସ୍ଥାନରେ ଲୋକଙ୍କୁ ଠକେଇ କରିଛି । କାହାକୁ ଚାକିରୀ କରେଇଦେବାକୁ କହି ଟଙ୍କା ନେଇଛି ତ ଆଉ କାହାକୁ ମେଡ଼ିକାଲ କଲେଜରେ ସିଟ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛି । ତେଣୁ ଏହି ସବୁ ଅଭିଯୋଗ ଗୁଡ଼ିକର ତଦନ୍ତ ସ୍ବତନ୍ତ୍ର ଟିମ ଦ୍ୱାରା କରାଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

"ପ୍ରତିଦିନ ରମେଶ ବିରୁଦ୍ଧରେ ଅଭିଯୋଗ ବଢୁଛି । ଶନିବାର ଦିନ ଭରତପୁର ଥାନାରେ ୧୧ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଜଣେ ମହିଳାଙ୍କୁ ଏମ୍ସରେ ଷ୍ଟାଫ ନର୍ସ କରାଇ ଦେବାକୁ କହି ରମେଶ ଟଙ୍କା ନେଇଥିଲା। ଟଙ୍କା ନେବାପରେ ଆଉ ଧରାଛୁଆ ଦେଇ ନଥିଲା । ରମେଶ ଗିରଫ ପରେ ଏନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତତନ୍ତ ଆରମ୍ଭ କରାଯାଇଥିବା," କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ।

ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ  କହିଛନ୍ତି, " ଏସବୁ ଅପରାଧରୁ ସହଜରେ ଜାମିନ ପାଇବା ମୁସ୍କିଲ । ପୋଲିସ ପ୍ରତି ଅଭିଯୋଗକୁ ପୃଥକ ପୃଥକ ନେଇ ତଦନ୍ତ କରିବା ଉଚିତ। ଯେହେତୁ ଠକେଇ ଅଭିଯୋଗ ରହିଛି ତେଣୁ ପୋଲିସ ସଠିକ ତଦନ୍ତ କରି ଚାର୍ଜସିଟ ଦାଖଲ କରିବ ତେବେ ଅଭିଯୁକ୍ତକୁ କଠୋର ସଜ୍ଜା  ମିଳିପାରିବ" ।
Published by:Soumya Das
First published: