ମେଡ଼ିକାଲରେ ମୃତ, ପାଞ୍ଚ ଘଣ୍ଟା ପରେ ଜୀବିତ ହେଲା ଶିଶୁପୁତ୍ର

ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । କିନ୍ତୁ ଘରେ ଜୀବିତ ହୋଇଗଲା ଶିଶୁପୁତ୍ର ।

ଜୀବିତ ହୋଇଗଲା ଶିଶୁପୁତ୍ର

ଜୀବିତ ହୋଇଗଲା ଶିଶୁପୁତ୍ର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଢେଙ୍କାନାଳ: ନବ ଜନ୍ମିତ ଜୀବିତ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଦେଲେ ପ୍ରସୁତି ବିଭାଗର ଡାକ୍ତର। ଘୋଷଣାର ପାଞ୍ଚ ଘଣ୍ଟା ପରେ ପିଲାଟି ବଞ୍ଚି ଥିବାର ଜାଣି ହସ୍ପିଟାଲର ପ୍ରସୁତି ବିଭାଗରେ ପହଞ୍ଚିଲେ ଜନ୍ମିତ ଶିଶୁର ପିଉସୀ ନାନୀ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଢେଙ୍କାନାଳ ସହରର ଖମାରସାହିର ପ୍ରଣତି ଦେହୁରୀଙ୍କର ପ୍ରସବ ବେଦନା ହେବାରୁ ସ୍ୱାମୀ କୁନା ପ୍ରଧାନ ତାଙ୍କୁ ନେଇ ରବିବାର ସକାଳ ୭ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଜନ୍ମ ସମୟରେ ଶିଶୁପୁତ୍ରର ଓଜନ ୬ଶହ ଗ୍ରାମ ଓଜନର ଥିଲା। ଶିଶୁ ଜନ୍ମ ହେବାର କିଛି ସମୟ ପରେ ଜୀବିତ ଥିବା ଅବସ୍ଥାରେ ଜନ୍ମିତ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର ବୋଲି ଅଭିଯୋଗ କରିଛନ୍ତି ଜନ୍ମିତ ଶିଶୁର ପରିବାର ଲୋକ। ଏହାର ସଠିକ ତଦନ୍ତ କରାଯାଇ ଡାକ୍ତରଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ହସ୍ପିଟାଲ ଆସିବା ସମୟରେ କିନ୍ତୁ ପ୍ରସୁତି  ପ୍ରଣତିଙ୍କୁ ବାତ ମାରୁଥିଲା ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଡାକ୍ତର।ଛୁଆ ଜନ୍ମ ହେବା ପରେ ମା' ପ୍ରଣତିଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର ପାଇଁ କହିଥିଲେ। ତେଣୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ନେଇଥିଲେ ପରିବାର ଲୋକ।

ପିଲା ଜନ୍ମ ହେବାପରେ ଡାକ୍ତର ପିଲାଟି ମରି ଯାଇଛି ବୋଲି କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଜନ୍ମିତ ଶିଶୁର ପିଇସି ନାନି କୁନି ଦେହୁରୀ। ଏହି ଖବର ଶୁଣି ସେ ହସ୍ପିଟାଲରେ ପହଞ୍ଚି ତାଙ୍କ ଭାଉଜ ପ୍ରଣତିଙ୍କୁ କଟକ ସ୍ଥାନାନ୍ତର କରିବା ସହ ପିଲାଟିକୁ ଘରକୁ ନେଇ ଯାଇଥିଲେ। କିନ୍ତୁ ଘରେ ପିଲାଟି ଶୁକୁଶୁକ ହେଉଥିବା ଦେଖି ତାକୁ ନେଇ ପୁଣି ହସ୍ପିଟାଲରେ ପହଞ୍ଚି ଥିଲେ କୁନି । କିନ୍ତୁ ଏନେଇ ଡାକ୍ତରଙ୍କୁ ପଚାରିବାରୁ ସେ ଜନ୍ମିତ ଶିଶୁକୁ ମୃତ ଘୋଷଣା କରିଥିବା କଥାକୁ ଖଣ୍ଡନ କରିଥିଲେ ବୋଲି  କହିଛନ୍ତି କୁନି ଦେହୁରୀ ।

ନିର୍ଦ୍ଧାରିତ ସମୟ ପୂର୍ବରୁ ସାତ ମାସରେ ପିଲାଟି ଜନ୍ମ ହୋଇଥିଲା। ତେଣୁ ତାର ଓଜନ ମାତ୍ର ୬ଶହ ଗ୍ରାମ ରହିଥିଲା। ସାଧାରଣତଃ ଏଭଳି ଅବସ୍ଥାରେ ନବ ଜନ୍ମିତ ପିଲାଙ୍କର ବଞ୍ଚିବାର ଆଶା କମ ରହିଥାଏ। ତେଣୁ ତାକୁ ସ୍ୱତନ୍ତ୍ର ନବଜାତ ଯତ୍ନ ବିଭାଗ (SNCU)ରେ ରଖିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର ଭାନୁ ଆଚାର୍ଯ୍ୟ। କିନ୍ତୁ ତାଙ୍କ ପରିବାର ଲୋକ ଛୁଆଟିକୁ ନେଇ ହସ୍ପିଟାଲରୁ ପଳାଇ ଯାଇଥିବା ନିଜ ସଫେଇରେ କହିଛନ୍ତି।
Published by:Soumya Das
First published: