News18 Odia Digital
ଭୁବନେଶ୍ୱର: ବିଫଳ ହେଲା ରାଜ୍ୟ ସରକାର ଓ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା। ଦାବି ପୂରଣ ପାଇଁ ସମୟ ମାଗିଲେ ଗଣଶିକ୍ଷା ସଚିବ। ଜିଦରେ ଶିକ୍ଷକ ସଂଘ, ଜାରି ରହିବ ଆନ୍ଦୋଳନ। ରାଜ୍ୟ ସରକାର ଲିଖିତ ପ୍ରତିଶୃତି ନ ଦେବା ପର୍ଯ୍ୟନ୍ତ ରାସ୍ତାରେ ବସିବେ ଲକ୍ଷାଧିକ ଶିକ୍ଷକ।
ଦ୍ଵିତୀୟ ଦିନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଦେଇଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନରୁ ଓହରିବୁ ନାହି ବୋଲି ଚେତାବନୀ ଦେଇଛି ସଂଘ। ଗତକାଲି ରାଜ୍ୟ ସରକାର ଏବାବଦରେ ଆଲୋଚନା ପାଇଁ ଡାକିଥିଲେ। ଗଣଶିକ୍ଷା ସଚିବଙ୍କ ସହ ଆଲୋଚନା କରିଥିଲେ ସଂଘର ୧୬ ଜଣିଆ ସଦସ୍ୟ। ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିଲା ସଚିବାଳୟରେ ଆଲୋଚନା ହୋଇଥିଲା। ୩ଟି ଦାବିକୁ ପୁଙ୍ଖାନୁପୁଙ୍ଖ ଭାବେ ସଚିବଙ୍କୁ ବୁଝାଇଥିଲେ ଶିକ୍ଷକ ନେତା ମାନେ। ଦାବି ପୂରଣ ପାଇଁ ସମୟ ଲାଗିବ ବୋଲି କହିଥିଲେ ଗଣଶିକ୍ଷା ସଚିବ। ସ୍କୁଲ୍ ଫେରିଯିବାକୁ ମଧ୍ୟ ଶିକ୍ଷକ ମାନଙ୍କୁ କହିଥିଲେ। ଯେଉଁଥିରେ ସନ୍ତୁଷ୍ଟ ହୋଇନାହିଁ ଶିକ୍ଷକ ସଂଘ। ଏଣୁ ଏ ଆନ୍ଦୋଳନ ଆଗକୁ ଏମିତି ଜାରି ରହିବ ବୋଲି କହିଛି ସଂଘ।
ଅନ୍ୟପଟେ ଦୁଇ ଦିନ ହେବ ଖରା ଓ ଶୀତ କୁ ଖାତିର ନ କରି ରାଜରାସ୍ତାରେ ବସି ରହିଛନ୍ତି ହଜାର ହଜାର ଶିକ୍ଷକ। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରାଥମିକ ଶିକ୍ଷକ ନିଜର ହକ ପାଇଁ ରାଜଧାନୀର ଗାନ୍ଧିମାର୍ଗରେ ଦେଇଛନ୍ତି ଧାରଣା। କିଏ ପରିବାର ପିଲା ଛୁଆ ଛାଡି ଆସିଥିବାରୁ ଦୁଃଖ ପ୍ରକାଶ କରୁଛି ତ ଆଉ କିଏ କୋଳରେ କୁନି ପିଲାକୁ ଧରି ଧାରଣା ଦେଇଛି। ହେଲେ ସଭିଙ୍କର ଗୋଟିଏ କଥା ଗୋଟିଏ ଜିଦ୍ ସରକାର ଦାବି ପୂରଣ ନ କଲେ ଆନ୍ଦୋଳନରୁ ହଟିବୁ ନାହିଁ। ସେପଟେ ମାଷ୍ଟର କ୍ୟାଣ୍ଟିନ ଛକରେ ଶିକ୍ଷକ ଆନ୍ଦୋଳନ ଯୋଗୁଁ ପ୍ରବଳ ଭିଡ ଲାଗିଥିବାବେଳେ ଚକାଜାମ ପରିସ୍ଥିତି ଦେଖିବାକୁ ମିଳିଥିଲା।
ନିଜ ନିଜ ଜିଦରେ ସମସ୍ତେ ଅଟଳ। ନା ସରକାର ଶୁଣିବାକୁ ପ୍ରସ୍ତୁତ ନା ବୁଝୁଛନ୍ତି ଶିକ୍ଷକ। କେମିତି ଚାଲିବ ରାଜ୍ୟର ଶିକ୍ଷା ବ୍ୟବସ୍ଥା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।