News18 Odia Digital
ଭୁବନେଶ୍ୱର: ଟମାଟୋ ଫ୍ଲୂ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ୱର ହେଉଛି। ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
୩୬ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୨୬ ଜଣ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ କୈାଣସି ଟିକା ବା ଔଷଧ ନଥିବା ବେଳେ ଲକ୍ଷଣ ଦେଖି ଚିକିତ୍ସା କରାଯାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି,"ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି HFMD କହିବା । ୩୬ ସନ୍ଦିଗ୍ଧ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି"।
ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର । ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି । ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି । କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
"କ୍ୟାପିଟାଲ ହସ୍ପିଟାଲରୁ ୨୮ଟି ସନ୍ଦିଗ୍ଧ ନମୂନା RMRCକୁ ଯାଇଥିଲା । ସେଥିରୁ ୨୪ ନମୂନା HFMD ପଜିଟିଭ ଆସିଛି । ଏ HFMD ଆଗରୁ ଥିଲା, ପିଲାଙ୍କ ନିକଟରେ ଦେଖାଯାଏ । ଟମାଟୋ ଫ୍ଲୁ ବୋଲି ଆଗରୁ କିଛି ନଥିଲା । ଟମାଟୋ ଫ୍ଲୁର କାରଣ ବୋଲି ଅନ୍ୟ ସ୍ଥାନରେ ଯାହା ଚିହ୍ନଟ ହୋଇଛି, ସେଇ ପ୍ରକାର ଭାଇରସ- ଏଣ୍ଟେରୋ ଭାଇରସ ଏବେ RMRCରେ ଚିହ୍ନଟ ହୋଇଛି । ଏବେ ସେ ସବୁ ନମୁନାର ସିରୋ ଟାଇପିଂ ଲାଗି ପୁନଶ୍ଚ ପରୀକ୍ଷା ଲାଗି NIV ପୁନେ ଯାଇଛି । ସେଠାରେ ଏହା ଜଣା ପଡ଼ିବ, ଟମାଟୋ ଫ୍ଲୁ ସହ ମିଶୁଛି କି ନାହିଁ । ଏବେ ବି ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲକୁ ୪-୫ ଏଭଳି ରୋଗୀ ଆସୁଛନ୍ତି,"କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼କ୍ଟର ଲକ୍ଷ୍ମୀଧର ସାହୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।