News18 Odia Digital
ବ୍ରହ୍ମପୁର: ନକଲି ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ବିପୁଳ ପରିମାଣର ନକଲି ମଦ ସହିତ ପ୍ରସ୍ତୁତି ସାମଗ୍ରୀ ଜବତ ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ।
ଏକ ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଉପକଣ୍ଠ ପୁକୁଡ଼ିବନ୍ଧ ଛକରେ ଅବକାରୀ ଗୁଇନ୍ଦା ବିଭାଗର ଯାଞ୍ଚ ଚାଲିଥିଲା। ଏହି ସମୟରେ ଏକ ଅଟୋଟି ସନ୍ଦେହଜନକ ଭାବେ ଆସିବା ପରେ ଯାଞ୍ଚ କରିବାରୁ ବିଭିନ୍ନ ବ୍ରାଣ୍ଡର ୩୮୪ ବୋତଲ ନକଲି ମଦ ଜବତ କରାଯାଇଥିଲା । ଯାଞ୍ଚ ସମୟରେ ଅଟୋରେ ଉପସ୍ଥିତ ରହିଥିବା ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲା ପୋଲିସ । ଏହାପରେ ସେମାନେ ସହର ଫାଷ୍ଟଗେଟ୍ ନିକଟରେ ରହିଥିବା ଏକ ଘରେ ନକଲି ମଦ ରହିଥିବା ନେଇ ଅବକାରୀ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅବକାରୀ ଗୁଇନ୍ଦା ବିଭାଗ ଉକ୍ତ ସ୍ଥାନକୁ ଯାଇ ଯାଞ୍ଚ କରାଯିବା ପରେ ସେଠାରୁ ମଧ୍ୟ ବିପୁଳ ପରିମାଣର ନକଲି ମଦ ଓ ଲେବୁଲ, ଠିପି ସହ ମଦ ପ୍ରସ୍ତୁତି ନିମନ୍ତେ ରହିଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା ।

ଜବତ ହୋଇଥିବା ନକଲି ମଦ
‘‘ଏହି ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁରର ଅକ୍ଷୟ ବେହେରା ଓ ମୁନା ସାବତକୁ ଗିରଫ କରିଛି । ଉଭୟଙ୍କ ଠାରୁ ମୋଟ ୮୧୬ ବୋତଲ ନକଲି ମଦ, ୫ ହଜାର ଠିପି, ୫ ହଜାର ଲେବୁଲ ସହ ୪୦୦ ଲିଟର ହୋମିଓପ୍ୟାଥିକ ସ୍ପିରିଟ୍ ମଧ୍ୟ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ନକଲି ମଦକୁ ନେଇ ଦୁଇ ଜଣ ଅଭିଯୁକ୍ତ ମାନେ ବିଭିନ୍ନ ଗାଁ ଗାଁ ବୁଲି ବିକ୍ରି କରୁଥିଲେ। ଗାଁଗୁଡ଼ିକର ପାନ ଦୋକାନ ଠାରୁ ଆରମ୍ଭ କରି ଅନ୍ୟ ଦୋକାନ ମାନଙ୍କରେ କମ ଦାମରେ ବିକ୍ରି କରୁଥିଲେ । ଦୀର୍ଘ ଦିନ ଧରି ଏଭଳି ନକଲି ମଦ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ଗିରଫ ହୋଇଛି । ଏଭଳି ନକଲି ମଦ ବ୍ୟବସାୟ କରିବାରେ ଆଉ କେହି ସମ୍ପୃକ୍ତି ରହିଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି," କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗର ଡ଼େପୁଟି କମିଶନର ଅଶୋକ ଶତପଥି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।