News18 Odia Digital
ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ୍ । ନୂଆ ଡିସିପି ଭାବେ ଦାୟିତ୍ବ ନେବେ ଯୁବ ଆଇପିଏସ ଅଧିକାରୀ ପ୍ରତୀକ ସିଂ । ଖୁବ ଶୀଘ୍ର ସେ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି । ଡ଼ିସିପି ପରିବର୍ତ୍ତନ ହେଲେ, କିନ୍ତୁ ସରିଲାନି ତଦନ୍ତ । ରାଜଧାନୀରେ ଏମିତି ଅନେକ ଗୁଡ଼ିଏ ଅପରାଧ ଏବେ ବି ସସପେନ୍ସରେ ଛନ୍ଦି ହୋଇ ରହିଛି ।
ରାଜ୍ୟ ରାଜଧାନୀରେ ଲୋକଙ୍କୁ ଅଣନିଶ୍ୱାସୀ କରି ଦେଇଛି ହତ୍ୟା, ଚୋରୀ ଓ ଠକେଇ ଭଳି ଅପରାଧ। ପୂର୍ବତନ ପୋଲିସ ଡିଜି କହିଛନ୍ତି, "ଅଧିକାରୀ ବଦଳିଲେ ତଦନ୍ତର ଦିଗ ବଦଳିବା ଉଚିତ ନୁହେଁ । ନୂଆ ଅଧିକାରୀ ସେସବୁକୁ ଗୁରୁତର ସହ ନେଇ ତଦନ୍ତ କରିବା ଆବଶ୍ୟକ" ।
ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି,"ମୁଖିଆ ବଦଳିଲେ ତଦନ୍ତ ଦିଗହରା ହେବା ନୂଆ କଥା ନୁହେଁ । ପୂର୍ବରୁ ରହସ୍ୟରେ ଅଟକି ରହିଛି ଅନେକ ମାମଲା । ଅପରାଧିକ ମାମଲା ହେଉ ଅବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା । ପୋଲିସ ପୂର୍ବ ମାମଲା ଗୁଡିକୁ ଅଧିକ ଗୁରୁତ୍ୱ ଦେଇ କାମ କରିବା ଉଚିତ । ମାମଲା ଗୁଡ଼ିକର ତଦନ୍ତ କରି ଯଥାଶୀଘ୍ର ଚାର୍ଜସିଟ ଦାଖଲ କରିବା କଲେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବେ"।
ସୂଚନାଯୋଗ୍ୟ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଡିଆଇଜି ହେବାପରେ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇବେ। କଟକରେ କାର୍ଯ୍ୟରତ ଡିସିପି ପ୍ରତୀକ ସିଂ ଭୁବନେଶ୍ୱର ଡିସିପି ଭାବେ ଯୋଗ ଦେବେ। ଅପେକ୍ଷା ଅଧୁରା ରହି ଯାଇଥିବା ମାମଲାଗୁଡ଼ିକୁ କେତେ ଶୀଘ୍ର ସମାଧାନ କରୁଛନ୍ତି ନୂଆ ଡିସିପି ।
ମାର୍ଚ୍ଚ ୧୨, ୨୦୨୧। ରାଜଧାନୀ ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରୁ ମହିଳାଙ୍କ କଙ୍କାଳ ଜବତ । ଜୁଲାଇ ୨୨, ୨୦୨୧। ମଞ୍ଚେଶ୍ୱର ଥାନା କୁଆଖାଇ ନଦୀ ପଠା ବାଲି ଭିତରୁ ଯୁବକର ମୃତଦେହ ଉଦ୍ଧାର । ଡିସେମ୍ବର ୫, ୨୦୨୧। ଡେଲ୍ଟା ଛକ ନିକଟ ଲଷ୍ମୀନାରାୟନ ସୁନା ଦୋକାନରୁ କୋଟିଏ ଟଙ୍କାର ସୁନା ଗହଣା ଲୁଟ । ଏପ୍ରିଲ ୫, ୨୦୨୨। ଲିଙ୍ଗିପୁର ଏଟିଏମ୍ ମେସିନ ଟେକିନେଇ ଲୁଟିନେଲେ ୨୦ଲକ୍ଷରୁ ଅଧିକ ଟଙ୍କା । ଏସବୁ ଘଟଣା ଏବେ ବି ସସପେନ୍ସ ହୋଇ ରହିଛି ।
ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ଜବତ ଘଟଣାରେ ମିଳିଲାନି ମହିଳାଙ୍କ ପରିଚୟ । ସେହିଭଳି କୁଆଖାଇ ନଦୀବାଲି ପଠାରୁ ଜବତ ମୃତ ଯୁବକ ଏବେ ବି ପରିଚୟ ଖୋଜୁଛି । ଡେଲ୍ଟା ଛକ ସୁନା ଦୋକାନ ଲୁଟ ଘଟଣାରେ ସିସିଟିଭି ଥାଇ ମଧ୍ୟ ପୋଲିସର ହାତ ଖାଲି । ଲିଙ୍ଗିପୁର ଏଟିଏମ ମେସିନ ଉଠାଇନେଇ ଟଙ୍କା ଲୁଟ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି, ହେଲେ ଜବତ ହୋଇନି ଲୁଟ ଟଙ୍କା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।