ଉଦଘାଟନ ହେଲା ଅତ୍ୟାଧୁନିକ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକ୍ ପରିସରରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର। ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହି ଅତ୍ୟାଧୁନିକ ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ଲାଇନ୍ରେ କାରବାର ସମୟରେ ଉପୁଜୁଥିବା ସାଇବର ଆଟାକ୍ ଘଟଣାକୁ ରୋକାଯାଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଡ଼ିପାର୍ଟମେଣ୍ଟ ତଥା ଓକାକ୍ର ମିଳିତ ସହଯୋଗରେ ଏହି ସେଣ୍ଟର ପ୍ରତିଷ୍ଠା ହୋଇଛି, ଯାହା ଅତ୍ୟାଧୁନିକ କାରିଗରି ଜ୍ଞାନକୌଶଳରେ ସମୃଦ୍ଧ ବୋଲି କୁହାଯାଇଛି। ଏହି କେନ୍ଦ୍ର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହୋଇଥିବା କାରଣରୁ ବିଭିନ୍ନ ସମୟରେ ସରକାରୀ ତଥ୍ୟ ଚୋରିକୁ ନେଇ ଉପୁଜୁଥିବା ସମସ୍ୟାକୁ ଏହା ରୋକିବାରେ ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।
ସୂଚନା ଅନୁସାରେ, ଏହି ଅତ୍ୟାଧୁନିକ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଏକାଧିକ କ୍ଷେତ୍ରରେ ସାଇବର ହ୍ୟାକରଙ୍କ ଆକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିବ। ବିଶେଷକରି ଏହି କେନ୍ଦ୍ରରେ ଡ଼ାଟା ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇ ଏହାର ସଠିକ୍ ବିଶ୍ଲେଷଣ ସହିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। ଏହା ବାଦ୍ ବିପଦପୂର୍ଣ୍ଣ ଆଇପିଗୁଡ଼ିକର ଠିକଣା ସଂଗ୍ରହ କରାଯାଇ ଏହା ଜରିଆରେ ଯେଭଳି ହ୍ୟାକରମାନଙ୍କୁ ରୋକାଯାଇପାରିବ ତାହା ଏହି କେନ୍ଦ୍ରରେ ପ୍ରୟୋଗ କରାଯିବ। ରାଜ୍ୟର ସମସ୍ତ ସରକାରୀ ୱେବସାଇଟ୍ଗୁଡ଼ିକର ଡ଼ାଟା ସୁରକ୍ଷା ପାଇଁ ଏହି କେନ୍ଦ୍ର ପ୍ରାଥମିକତା ଦେବା ସହ ଏଠି ୨୪ x ୭ ମୋଡ଼ରେ କାମ କରାଯିବ। ସବୁଠାରୁ ବଡ଼ କଥା ହେଉଛି ହ୍ୟାକରମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ୱେବସାଇଟ୍ ବ୍ୟବହାରକାରୀମାନଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଉପଦେଷ୍ଟାବଳୀ ଉପଲବ୍ଧ କରାଯିବ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି,"ସୂଚନା ଓ ପ୍ରଯୁକ୍ତି ବିଦ୍ୟା ହେଉଛି ୫ଟିର ପ୍ରମୁଖ ଉପାଦାନ। ପ୍ରଯୁକ୍ତି ବିଦ୍ୟା ଦ୍ୱାରା ରାଜ୍ୟର ଅନେକ ପ୍ରକଳ୍ପ ସ୍ୱଂୟଚାଳିତ ହୋଇପାରିଛି । ତେବେ ଦେଶ ଓ ବିଦେଶରୁ ତଥ୍ୟ ଚୋରି ପାଇଁ ଆସୁଥିବା ଉଦ୍ୟମକୁ ରୋକିବାରେ ସହାୟକ ହେବ ଏହି କେନ୍ଦ୍ର । ମୋଟ ଉପରେ କ୍ରମାଗତ ଭାବେ ବଢିଚାଲିଥିବା ସାଇବର ଆକ୍ରମଣକୁ ପ୍ରତିହତ କରିବାରେ ଏହି କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରିବ । ଏହି ପ୍ରତିଷ୍ଠାନର ପରିକଳ୍ପନା ଓ ପରିଚାଳନା ରାଜ୍ୟ ସରକାରଙ୍କ ଏକକ ଉଦ୍ୟମର ପ୍ରତିଫଳନ । ରାଜ୍ୟର ସରକାରୀ ତଥ୍ୟକୁ ସୁରକ୍ଷା ଦେବା ଏବେ ଏକ ସମସ୍ୟା ଭାବେ ଉଭା ହୋଇଛି । ଏହି କାରଣରୁ ଓକାକ୍ ପରିସରରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । କହିବାକୁ ଗଲେ ମୋଟ ଉପରେ ଷ୍ଟେଟ୍ ଡ଼ାଟା ସେଂଟର, ଷ୍ଟେଟ୍ ୱାଇଡ଼୍ ଏରିଆ ନେଟ୍ୱାର୍କ ଓ ସଚିବାଳୟ ନେଟ୍ୱାର୍କର ସମସ୍ତ ଗତିବିଧିକୁ ଓକାକ୍ ନଜର ରଖୁଥିବା ବେଳେ ଏହି ନୂଆ ସେଣ୍ଟର ଏ କ୍ଷେତ୍ରରେ ଏକ ବଡ଼ ସହଯୋଗ ଦେଇପାରିବ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।