News 18 Odia Digital
ଭୁବନେଶ୍ଵର: ବାତ୍ୟା-ଋତୁ ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟ ସରକାର । ଚଳିତ ମାସଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ ଅକ୍ଟୋବର ଓ ନଭେମ୍ବର ମାସରେ ଓଡ଼ିଶାରେ ଅନେକ ସମୟରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଏସବୁ ଦିଗକୁ ବିଚାରକରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିବା ସହ ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି” ।
ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ସୁରେଶ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବସିଥିବା ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ, ଓଡ଼ିଶାର ବର୍ତ୍ତମାନ ଜଳବାୟୁ ସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ । ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି ବୋଲି ବୈଠକରୁ ଜଣାପଡ଼ିଥିଲା । ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି । ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି ।
ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର) ସ୍ଥାପନ କରାଯାଇଛି । ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର୍ଯ୍ୟକରିପାରିବ । ଏସବୁ ଆଧୂନିକ ଭିତ୍ତିଭୂମି ସ୍ଥିତିର ପର୍ଯ୍ୟବେକ୍ଷଣ କରିବାସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି । ବତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାଓ୍ୱାର, ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବ୍ଷ୍ଟେସନ୍, ଏବଂ ଯଥେଷ୍ଟ ସଂଙ୍ଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଏହାଛଡା ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡ ପମ୍ପ ଗୁଡିକୁ କାର୍ଯ୍ୟକ୍ଷମ ରଖିବା ସହ ବାତ୍ୟା ଅତିକ୍ରାନ୍ତ ହେବା ସଙ୍ଗେସଙ୍ଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡ଼ାକ୍ତରୀ ଟିମ୍ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ମଧ୍ୟ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମମାନଙ୍କର ସବୁ ଉପକରଣକୁ ସଠିକ ଭାବରେ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା । ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ । ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।