ମାନସ ହତ୍ୟାକାଣ୍ଡ ଉପରୁ ପରଦା ଉଠାଉଛି କ୍ରାଇମ ବ୍ରାଞ୍ଚ; ଜବତ କଲା ଅଧାପୋଡ଼ା ଶାଢ଼ୀ ଓ ଚପଲ

ମୃତ ମାନସଙ୍କ ବିଭିନ୍ନ ସାମଗ୍ରୀ ସହିତ ତାଙ୍କ ମୃତ ଦେହକୁ ଭର୍ତ୍ତି କରାଯାଇଥିବା ଅଖା ସହିତ ଏକ ଶାଢିର ଅଧାପୋଡ଼ା ଅଂଶ, ଅଧାପୋଡ଼ା ଚପଲ, ମୋବାଇଲ ଇୟର ଫୋନ ସହିତ ଏହି ସବୁ ସାମଗ୍ରୀକୁ ପୋତିବା ପାଇଁ ବ୍ୟବହାର ହୋଇଥିବା ଗଇଁତି ଓ କୋଦାଳକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

କ୍ରାଇମବ୍ରାଞ୍ଚ ଟିମକୁ ଘଟଣା ସ୍ଥଳ ଦେଖାଉଛି ଅଭିଯୁକ୍ତ ରଞ୍ଜନ ନାୟକ

କ୍ରାଇମବ୍ରାଞ୍ଚ ଟିମକୁ ଘଟଣା ସ୍ଥଳ ଦେଖାଉଛି ଅଭିଯୁକ୍ତ ରଞ୍ଜନ ନାୟକ

  • Share this:
News18 Odia Digital

କଟକ: ଖୋଲୁଛି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଗୁମର । ଏହି  ହତ୍ୟାକାଣ୍ଡ ମାମଲା ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଦିନ ମୃତ ମାନସଙ୍କ ବିଭିନ୍ନ ସାମଗ୍ରୀ ସହିତ ତାଙ୍କ ମୃତ ଦେହକୁ ଭର୍ତ୍ତି କରାଯାଇଥିବା ଅଖା ସହିତ ଏକ ଶାଢିର ଅଧାପୋଡ଼ା ଅଂଶ, ମାନସଙ୍କ ଅଧାପୋଡ଼ା ଚପଲ, ଅଧାପୋଡ଼ା ମୋବାଇଲ ଇୟର ଫୋନ ସହିତ ଏହି ସବୁ ସାମଗ୍ରୀକୁ ପୋତିବା ପାଇଁ ବ୍ୟବହାର ହୋଇଥିବା ଗଇଁତି ଓ କୋଦାଳକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ସେହି ସାମଗ୍ରୀ ଗୁଡ଼ିକ ଚଣ୍ଡିଖୋଲ ବଜାର ଠାରୁ ଦୁଇ କିଲୋମିଟର ଦୂର ଦୈତାରୀ-ପାରାଦୀପ ଏକ୍ସପ୍ରେସ ହାଇଓ୍ବେ ନିକଟରେ ଥିବା ଏକ ସ୍ଥାନରେ ନଷ୍ଟ କରାଯାଇଥିବା ଜାଣିବା ପରେ ଗୁରୁବାର ସକାଳୁ ତଦନ୍ତକାରୀ ଦଳ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ ସହିତ ସାଇଣ୍ଟିଫିକ ଟିମକୁ ସାଥିରେ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ ରଞ୍ଜନ ନିଜେ ହିଁ କ୍ରାଇମବ୍ରାଞ୍ଜ ଟିମକୁ ସେହି ସ୍ଥାନ ସହିତ ଅଧାପୋଡା ରହିଥିବା ବିଭିନ୍ନ ସାମଗ୍ରୀକୁ ଚିହ୍ନାଇବା ଦେଇଥିଲେ ।

ଏହି ଠାରେ ହିଁ ନଷ୍ଟ କରାଯାଇଥିଲା ପ୍ରମାଣ


"କ୍ରାଇମବ୍ରାଞ୍ଚ ଯାହାବି କିଛି ପ୍ରମାଣ ସଂଗ୍ରହ କରିଛି ତାହା ରଞ୍ଜନ ଦେଇଥିବା ବୟାନ ଆଧାରରେ କରିଛି । କିନ୍ତୁ ଶର୍ମିଷ୍ଠାଙ୍କ ଦୋଷ ପ୍ରମାଣିତ କରିବା ଭଳି କିଛି ବି ପ୍ରମାଣ ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହାତରେ ଲାଗିନାହିଁ । କାରଣ କିଛି ସହ ଅଭିଯୁକ୍ତଙ୍କ ବୟାନ ଆଧାରରେ ହିଁ ଶର୍ମିଷ୍ଠାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଯଦି ସେମିତି କିଛି ଠୋଷ ପ୍ରମାଣ ନ ମିଳେ ତେବେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲେ ମଧ୍ୟ ତାର ଫାଇଦା ଶର୍ମିଷ୍ଠାଙ୍କୁ ମିଳିଯିବ," କହିଛନ୍ତି ଓକିଲ ମାନସ ଚାନ୍ଦ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସୂଚନା ମୂତାବକ ଏହି ହତ୍ୟାକାଣ୍ଡ ଓ ହତ୍ୟା ପୂର୍ବରୁ ଅପହରଣ ଓ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ହୋଇଥିବା ଉଦ୍ୟମକୁ ଅଭିଯୁକ୍ତ ରଞ୍ଜନ ସ୍ବୀକାର କରିଛି । ରଞ୍ଜନ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ ମୁତାବକ ସେ ଶର୍ମିଷ୍ଠା, ଝୁନା ଓ ଭାଗ୍ୟଧର ନାୟକ ସହିତ ମିଶି କରି ଭଦ୍ରକ ପଳାଶପୁରରୁ ମାନସକୁ ଅପହରଣ କରିଥିଲେ । ଶର୍ମିଷ୍ଠାଙ୍କ କାରରେ ମାନସକୁ ଦୟାଲ ଆଶ୍ରମ ଆଣିଥିଲେ । ସେଠାରେ ନିରଞ୍ଜନ ସହ ମିଶି କରି ସମସ୍ତେ ଏକାଠି ହୋଇ ମାନସକୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ମାଡ଼ ଖାଇବା ଦ୍ବାରା ହିଁ ମାନସଙ୍କ ମୃତ୍ୟୁ ହୋଇଥିଲା ।

କ୍ରାଇମବ୍ରାଞ୍ଚ ଟିମକୁ ଘଟଣା ସ୍ଥଳ ଦେଖାଉଛି ଅଭିଯୁକ୍ତ ରଞ୍ଜନ ନାୟକ


ମୃତ୍ୟୁ ପରେ ମାନସଙ୍କ ମୃତଦେହକୁ ଶର୍ମିଷ୍ଠାଙ୍କ କାର ଡିକିରେ ଭର୍ତ୍ତି କରି ନାୟଗଡ଼ ରଣପୁର ଅଣାଯାଇଥିଲା । ସେଠାରେ ମୃତ ଦେହକୁ ପୋତି ଦେଇଥିଲେ । କିନ୍ତୁ ମୃତ ଦେହକୁ ଆଣିବା ପାଇଁ ବ୍ୟବହାର ହୋଇଥିବା ଅଖା ଓ ଏକ ଶାଢି ସହିତ ମାନସଙ୍କ ବିଭିନ୍ନ ସାମଗ୍ରୀ ପୋଡ଼ିବା ପାଇଁ ଚଣ୍ଡିଖୋଲ ବଜାର ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଦୈତାରୀ-ପାରାଦୀପ ଏକ୍ସପ୍ରେସ ହାଇଓ୍ବେର ଏକ ସ୍ଥାନକୁ ଆସିଥିଲେ ।

ଶୁକ୍ରବାର ଦିନ ଅଭିଯୁକ୍ତମାନଙ୍କର 5 ଦିନିଆ ରିମାଣ୍ଡର ଚତୁର୍ଥ ଦିନ ଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଦୟାଲ ଆଶ୍ରମ ସହ ରଣପୁର ନେଇ ଡେମୋ କରିବାର ଯୋଜନା କରିଛି କ୍ରାଇମବ୍ରାଞ୍ଚ ।
Published by:Soumya Das
First published: