କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ; କ୍ରାଇମବ୍ରାଞ୍ଚ ଉପରୁ ତୁଟୁଛି ଭରସା

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ବ୍ୟାପୀ ଆଲୋଚନା ଚାଲିଛି । କେଉଁମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ତାହା ଜଣା ପଡ଼ି ସାରିଥିଲେ ମଧ୍ୟ ଅଭିଯୁକ୍ତମାନେ କାହିଁକି ମାନସଙ୍କୁ ହତ୍ୟା କଲେ ସେହି ରହସ୍ୟକୁ ଏପର୍ଯ୍ୟନ୍ତ ଭେଦ କରି ପାରି ନାହିଁ କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଉପରୁ ତୁଟୁଛି ଭରସା (ପ୍ରତୀକାତ୍ମକ ଛବି)

କ୍ରାଇମବ୍ରାଞ୍ଚ ଉପରୁ ତୁଟୁଛି ଭରସା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଓ ଏହି ହତ୍ୟାକାଣ୍ଡ ସହିତ ଜଡ଼ିତ ଥିବା ରହସ୍ୟକୁ ନେଇ ରାଜ୍ୟ ବ୍ୟାପୀ ଆଲୋଚନା ଚାଲିଛି । କେଉଁମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ତାହା ଜଣା ପଡ଼ି ସାରିଥିଲେ ମଧ୍ୟ ଅଭିଯୁକ୍ତମାନେ କାହିଁକି ମାନସଙ୍କୁ ହତ୍ୟା କଲେ ସେହି ରହସ୍ୟକୁ ଏପର୍ଯ୍ୟନ୍ତ ଭେଦ କରି ପାରି ନାହିଁ କ୍ରାଇମବ୍ରାଞ୍ଚ  ।

ଏହାରି ଭିତରେ ଏହି ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ କରିଛନ୍ତି ମୃତ ମାନସଙ୍କ ପରିବାର ଲୋକେ ।  ଗତ ଫେବୃଆରି ମାସ ୭ ତାରିଖ ଭୋରୁ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ତାଙ୍କୁ ମାଡ଼ ମାରି ଦାୟଲ ଆଶ୍ରମରେ ହତ୍ୟା କରାଗଲା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣକୁ ଏପର୍ଯ୍ୟନ୍ତ ଖୋଜି ବାହାର କରିବାରେ ଅସମର୍ଥ ହୋଇଥିବା କ୍ରାଇମବ୍ରାଞ୍ଚକୁ ମାନସଙ୍କ ପରିବାର ଲୋକେ ସିଧାସଳଖ ଟାର୍ଗେଟ କରିବା ସହ ଚର୍ଚ୍ଚିତ ମେମୋରୀ ଚିପ ବହୁ ବଡ଼ ବଡ଼ିଆଙ୍କ ମୁଖା ଖେଲିବାକୁ ଯାଉଥିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି ପୁରା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସେପଟେ ଶର୍ମିଷ୍ଠାଙ୍କ ସହ ନିରଞ୍ଜନ ସେଠୀ, ରଞ୍ଜନ ନାୟକ ଓ ଝୁନା ଭୋଇଙ୍କୁ ପ୍ରଥମ ଦଫାର ୫ ଦିନିଆ ରିମାଣ୍ଡର ଜେରା ସନ୍ତୋଷଜନକ ମନେ ନ ହେବାରୁ ଶର୍ମିଷ୍ଠା ଓ ଝୁନାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ । ଏହି ଦ୍ବିତୀୟ ପର୍ଯ୍ୟାୟ ଜେରା ସମୟରେ ମଧ୍ୟ ମାନସଙ୍କ ଅପହରଣ ଓ ହତ୍ୟା ପଛର ପ୍ରକୃତ କାରଣକୁ ଖୋଜି ପାଇବାରେ ତଦନ୍ତକାରୀ ସଂସ୍ଥାକୁ କୌଣସି ସଫଳତା ମିଳିପାରିନାହିଁ । ଫଳସ୍ବରୂପ ଏବେ ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ଯାଉଛି କ୍ରାଇମବ୍ରାଞ୍ଚ ।

ଏହା ଭିତରେ କ୍ରାଇମବ୍ରାଞ୍ଚର ପରିବା ପଣିଆ ଆଉ ଉପଯୁକ୍ତ ତଦନ୍ତ କରିବାର ଇଚ୍ଛା ଶକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାମାତ୍ରଙ୍କ ଓକିଲ । ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ନେଇ କ୍ରାଇମବ୍ରାଞ୍ଚ ଦେଇଥିବା ଚାର୍ଜସିଟ ଓ ପୁରା ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଲଢୁଥିବା ସୌମ୍ୟରଞ୍ଜନ ଓକିଲ ତାଙ୍କ ମାମଲା ଭଳି ମାନସ ମାମଲାରେ ମଧ୍ୟ କ୍ରାଇମବ୍ରାଞ୍ଚ ପ୍ରକୃତ ଦୋଷୀଙ୍କ ପାଖରେ ପହଞ୍ଚି ପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ।

"ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାମଲାରେ ଆମେ ବିଦ୍ୟାଭାରତୀଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ ପାଇଁ କ୍ରାଇମବ୍ରାଞ୍ଚକୁ ବାରମ୍ବାର କହିଲୁ । କିନ୍ତୁ ତା ପରେ ମଧ୍ୟ କ୍ରାଇମ ସିନକୁ ବିଦ୍ୟାଭାରତୀଙ୍କୁ ନିଆଯାଇନଥିଲା । ଏହା ବ୍ୟତୀତ ସୌମ୍ୟରଞ୍ଜନ ମାମଲାରେ ବହୁତ କଥା ଏମିତି ରହିଥିଲା ଯାହା ଉପରେ କ୍ରାଇମବ୍ରାଞ୍ଚ ଜାଣି ଶୁଣି ପରଦା ପକାଇଲା । ମାନସ ସ୍ବାଇଁ ମାମଲାରେ ମଧ୍ୟ ସମାନ କଥା ଦେଖିବାକୁ ମିଳୁଛି । ଏଠି କ୍ରାଇମ ସିନ ରିକ୍ରେସନ କରା ଗଲା ସତ ହେଲେ କାହିଁକି ମାନସଙ୍କୁ ହତ୍ୟା କରାଗଲା ?  ସେହି ମେମୋରୀରେ କଣ ଥିଲା? ଓ ତାହା କୁଆଡେ କଲା? ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଜାଣି ପାରିଲା ନାହିଁ । ମାନସ ମାମଲାରେ ମଧ୍ୟ ପ୍ରମାଣ ଅଭାବରୁ ଶର୍ମିଷ୍ଠା ବି ଖସିଯିବେ । ସେହି ମେମୋରୀ ଚିପରେ ଥିବା ବଡ଼ ବଡ଼ିଆଙ୍କ ଚେହେରା ଉପରୁ କେବେ ବି ପରଦା ଉଠିପାରିବ ନାହିଁ । କ୍ରାଇମବ୍ରାଞ୍ଚ ଏଯାଏଁ ଯେତେଟି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଛି, ପ୍ରତିଟି ଘଟଣାରେ ବଡ଼ ବଡ଼ିଆ ଖସିଯାଇଛନ୍ତି, " କହିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ପାର୍ଥସାରଥୀ ନାୟକ ।

କେବଳ ଏହି ଦୁଇଟି ମାମଲା ନୁହେଁ ଅତୀତରେ କ୍ରାଇମବ୍ରାଞ୍ଜ ନେଇଥିବା ଅନେକ ମାମଲା ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଓ ବିବାଦ ଉଠିଛି । ତେବେ ମାନସ ସ୍ବାଇଁ ହତ୍ୟା ମାମଲାରେ କଣ ଏହାର ପୁନରାବୃତି ଘଟୁଛି ବା ନାହିଁ ତାହା ଦେଖିବାକୁ ବାକି ରହିଲା ।
Published by:Soumya Das
First published: