News18 Odia Digital
ଭୁବନେଶ୍ୱର: ଆନ୍ତଃରାଜ୍ୟ ଡ୍ରଗ୍ଧ ମାଫିଆ ଏସ୍.କେ ଲାଲୁକୁ ପଶ୍ଚିମବଙ୍ଗରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ । ପଶ୍ଚିମବଙ୍ଗ ପୁଲିସ ସହାୟତାରେ ଲଗାତାର ୨ ଥର ଚଢଉ ପରେ ଲାଲୁକୁ ଗିରଫ କରିବାରେ ସଫଳ ହୋଇଛି ଏସ୍.ଟି.ଏଫ । ପଶ୍ଚିମବଙ୍ଗ ପଲାସିପାରା ଥାନା ବରନାଳଡାଡାରୁ ଏସ କେ. ଲାଲୁକୁ ଗିରଫ କରାଯାଇଛି । ସ୍ଥାନୀୟ କୋର୍ଟରେ ଲାଲୁକୁ ହାଜର କରିବା ପରେ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ତଦନ୍ତକାରୀ ସଂସ୍ଥା ।
ଅଭିଯୁକ୍ତ ଲାଲୁକୁ ଆନ୍ତରାଜ୍ୟ ନିଶା କାରବାର ରାକେଟ୍ ସମ୍ପର୍କରେ ଏସ.ଟି.ଏଫ ତାକୁ ପଚରାଉଚରା ଆରମ୍ଭ କରିଛି । ବିଶେଷ କରି ବ୍ରାଉନ୍ ସୁଗର କାରବାର ପଛରେ ପଶ୍ଚିମବଙ୍ଗର କେଉଁ ମାଫିଆମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ କରାଯାଉଥିବା ତଦନ୍ତକାରୀ ଟିମ ପକ୍ଷରୁ କୁହାଯାଇଛି । ସେହିପରି ଅଭିଯୁକ୍ତର ଓଡିଶା ଲିଙ୍କ ନେଇ ମଧ୍ୟ ଜେରା କରାଯାଉଛି ବୋଲି ଏସ.ଟି.ଏଫ ପକ୍ଷରୁ ସୂଚନା ମିଳିଛି ।
"ଗତ ବର୍ଷ ଅକ୍ଟୋବର ୨୦ ତାରିଖରେ ଏସ୍.ଟି.ଏଫ ସଫିକୁଲ ଏସ କେକୁ ଗିରଫ କରିଥିଲା । ତା ’ ନିକଟରୁ ୧ କେଜି ୪୩ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା । ଯାହାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ । ଗିରଫ ଅଭିଯୁକ୍ତ ସଫିକୁଲକୁ ପଚରାଉଚରା ପରେ ସେ ବ୍ରାଉନ ସୁଗର ଏସ୍.ଲାଲୁ ଠାରୁ ଆଣୁଥିବା ସ୍ବୀକାର କରିଥିଲା । ଏସ୍ଟିଏଫ ସଫିକୁଲ ତଥ୍ୟ ଆଧାରରେ ତାକୁ ଗିରଫ ପାଇଁ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ। ଗିରଫ ପାଇଁ କିଛି ଦିନ ଆଗରୁ ଏସ.ଟି.ଏଫର ତଦନ୍ତକାରୀ ଅଧିକାରୀ ପଶ୍ଚିମବଙ୍ଗରେ ଡେରା ପକାଇଥିଲେ । ଏକାଧିକ ବାର ଲାଲୁ ଘରେ ଏସ୍ଟିଏଫ ଚଢଉ କରିଥିଲେ ମଧ୍ୟ ସେ ଫେରାର ହେଉଥିଲା । କିନ୍ତୁ ଶନିବାର ରାତିରେ ଲାଲୁକୁ ଗିରଫ କରିବାରେ ସକ୍ଷମ ହୋଇଥିଲା,"କହିଛନ୍ତି ଏସ.ଟି.ଏଫ ଏସ.ପି ତେଜରାଜ ପତେଲ ।
ଡ୍ରଗ୍ସ ମାଫିଆ ଲାଲୁ ଗିରଫ ପରେ ତାକୁ ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡିଶା ଆଣିଛି ଏସ.ଟି.ଏଫ । ଅଭିଯୁକ୍ତ କିଭଳି ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଓଡିଶା ଚାଲାଣ କରୁଥିଲା । ତାକୁ କେଉଁମାନେ ସହଯୋଗ କରୁଥିଲେ । କେଉଁ ରୁଟ ଲାଇନରେ ଓଡିଶା ବଜାରକୁ ଆସୁଥିଲା ବ୍ରାଉନସୁଗାର ସେନେଇ ରିମାଣ୍ଡ ସମୟରେ ଜେରା ଆରମ୍ଭ କରିଛି ତଦନ୍ତକାରୀ ଟିମ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।