News18 Odia Digital
ଭୁବନେଶ୍ୱର: ବର୍ଷ ଆରମ୍ଭରୁ ସକ୍ରିୟ ହୋଇ ଉଠିଛନ୍ତି ବନ୍ଯ ପ୍ରାଣୀ ମାଫିଆ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନରେ ଥିବା ଏସ.ସି.ବି ଜୁନିୟର କଲେଜ ପଛପଟୁ ଦୁଇଟି କଲରାପତରିଆ ବାଘଛାଲକୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍। ଦୁଇଜଣ ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇଟି ବାଘ ଛାଲ ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରଖିଛି ତଦନ୍ତକାରୀ ସଂସ୍ଥା
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା କୁଆମାର ଗାଁର ପ୍ରଶାନ୍ତ ମହାନ୍ତି (୪୭) ଓ ବଡସାହି ଥାନା ବାଲିଯୁଡା ଗାଁର ଗୋରା ବିନ୍ଧାଣି (୪୯)। ଉଭୟଙ୍କ ଠାରୁ ଦୁଇଟି କଲରାପତିରିଆ ବାଘ ଛାଲ ଜବତ ହୋଇଛି । ଦୁଇଟି ବାଘ ଛାଲକୁ ଦୁଇ ଅଭିଯୁକ୍ତ ୧୫ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ ବୋଲି କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ କୁହାଯାଇଛି ।
"ଜବତ ଦୁଇଟି ବାଘ ଛାଲ ବେତନଟୀ ଆଖପାଖ ଜଙ୍ଗଲରୁ ଶିକାରୀମାନେ ଶିକାର କରିଛନ୍ତି । ବାଘ ଦୁଇଟିକୁ ବର୍ଷା ଦିନ ପୂର୍ବରୁ ଶିକାର କରାଯାଇଥିବା ସନ୍ଦେହ ହେଉଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମଧ୍ୟସ୍ଥି । ତେଣୁ ଏମାନେ କାହା ପାଖରୁ ବାଘ ଛାଲ ଆଣିଲେ ଓ କାହାକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ, ସେନେଇ ଏବେ ତଦନ୍ତ ଚାଲୁଛି । ଯାହା ଜଣା ପଡୁଛି ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏଭଳି କାରବାରରେ ଲିପ୍ତ ଥାଇ ପାରନ୍ତି। ତେଣୁ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ," କହିଛନ୍ତି ଏସ.ଟି.ଏଫ ଏସ.ପି ତେଜରାଜ ପଟେଲ ।
ବର୍ଷ ଆରମ୍ଭରୁ ବାଘ ଛାଲ ସ୍ମଗଲର ସକ୍ରିୟ ହେବା ତଦନ୍ତକାରୀ ଟିମ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପୂର୍ଵ ଲଗାତର ଭାବେ ବାଘ ଛାଲ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ଯୋଜନା କରିଛି ଏସଟିଏଫ । ତେବେ ତଦନ୍ତ ବେଳେ ଜଣା ପଡ଼ିଛି ଦୁଇ ଅଭିଯୁକ୍ତ ଝାଡଖଣ୍ଡ ଦେଇ ବାଘ ଛାଲକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଡିଲ ହୋଇଥିଲା । ବାଘ ଛାଲ ଡିଲ ଖବର ବୁଧବାର ପାଇବା ପରେ ଏକ ଟିମ ଆଗୁଆ ଯାଇ ଯଥା ସ୍ଥାନରେ ଛକି ବସିଥିଲା । ସନ୍ଧ୍ୟା ସମୟରେ ଡିଲ କରିବା ପାଇଁ ଦୁଇ ଅଭିଯୁକ୍ତ କଲେଜ ପଛ ପଟେ ପହଞ୍ଚିବା ପରେ ମାଡି ବସିଥିଲା ତଦନ୍ତକାରୀ ଟିମ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।