News 18 Odia Digital
କଟକ: କୋରିୟର ସଂସ୍ଥା (Courier Service)ର ତ୍ରୁଟି ଯୋଗୁଁ ବଦଳି ଗଲାଶବର ଠିକଣା । ରାଜସ୍ଥାନ (Rajasthan) ଜୟପୁରର ଜଣେ ବ୍ୟକ୍ତିଙ୍କ ଶବ କଟକ (Cuttack) ଜିଲ୍ଲା ନେମାଳରେ ପହଞ୍ଚିଗଲା । ଆଶ୍ଚର୍ଯ୍ୟର କଥା, ଘର ଲୋକ ବି ମୃତକଙ୍କୁ ଚିହ୍ନି ନ ପାରି ତରବରିଆ ଭାବେ ଶବ ସତ୍କାର ମଧ୍ୟ କରିଦେଲେ । ସେପଟେ ମୃତ ବ୍ୟକ୍ତିଙ୍କ ଚିତାଭସ୍ମ ସଂଗ୍ରହ ପାଇଁ ଜୟପୁରର ବାସିନ୍ଦାଙ୍କ ସମ୍ପର୍କୀୟ ନେମାଳ ଆସୁଛନ୍ତି । ଓଡ଼ିଆ ଯୁବକଙ୍କ ମୃତଦେହ ମଧ୍ୟ ଓଡ଼ିଶା ଆସୁଛି । ସିନେମା କାହାଣୀ ପରି ଲାଗୁ ଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଜୟପୁର ବ୍ୟକ୍ତିଙ୍କ ମୃତଦେହ କଟକ ଜିଲ୍ଲା ନେମାଳରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ସାହି ବାସିନ୍ଦା ମୃତକଙ୍କୁ ନେଇ ମଶାଣୀରେ ଦାହ କରିଦେଲେ । ମୃତଦେହର ମୁହଁଟି ଫୁଲିଯାଇଥିଲା ଏଥିସହ ମୁହଁରେ ଅବିର ଲାଗିଥିବାରୁ ଚିହ୍ନିବା ବି ମୁସ୍କିଲ୍ ହେଉଥିଲା । ଫଳରେ ଏହାକୁ ହଠାତ୍ ଦେଖି ଚିହ୍ନିବା କିମ୍ବା ସନ୍ଦେହ କରିବା ପରିସ୍ଥିତିରେ ନଥିଲେ ପରିବାର ଲୋକେ । ଆଉ ଶବ ସଂସ୍କାର ପରେ ସାମ୍ନାକୁ ଆସିଲା ଅଲଗା ତଥ୍ୟ । ଜଣେ ପଡିଲା ଯେ, ଏହି ଶବଟି ନେମାଳର କୁଆଁଡଳା ଗାଁର ବିଳାସ ଭୂୟାଁଙ୍କର ନୁହେଁ । ମୃତ ବ୍ୟକ୍ତି ହେଉଛନ୍ତି ରାଜସ୍ଥାନ ଜୟପୁରର ଜନୈକ ବ୍ୟକ୍ତିଙ୍କର । ବର୍ତ୍ତମାନ ଏହି ଘଟଣା ଜଣା ପଡିବା ପରେ ରାଜସ୍ଥାନ ଜୟପୁରରୁ ସେହି ବ୍ୟକ୍ତିଙ୍କ ପରିବାର ଲୋକେ ଚିତାଭସ୍ମ ସଂଗ୍ରହ ପାଇଁ ଆସୁଛନ୍ତି କଟକ ନେମାଳ ।
୭ ଦିନ ତଳେ ମୁମ୍ବାଇରେ ଶ୍ରମିକ ଭାବେ କାମ କରୁଥିବା ବିଳାସ ଭୂୟାଁଙ୍କର ବ୍ରେନ୍ ଷ୍ଟ୍ରୋକ (brain stroke)ରେ ମୃତ୍ୟୁ ହୋଇଥିଲା । ବିଳାସଙ୍କ ପରିବାର ଲୋକେ ମୃତ ଦେହକୁ ଚିହ୍ନିପାରିଲେନାହିଁ । କିନ୍ତୁ ଜୟପୁରର ମୃତକ ପରିବାର ପାର୍ସଲ ଆସିଥିବା ଶବ ତାଙ୍କର ନୁହେଁ ବୋଲି ଜାଣି ପାରିଛନ୍ତି । ଏହାସହ ଶବ ସତ୍କାର ନକରି ଖୋଳତାଡ଼ ଆରମ୍ଭ କରିଥିଲେ । ଶେଷରେ ନେମାଳ ଠିକଣା ପାଇ ବିଳାଶଙ୍କ ମୃତଦେହକୁ ପଠାଇବା ବନ୍ଦୋବସ୍ତ କରିଛନ୍ତି । ଏପଟେ ବିଳାସଙ୍କ ପରିବାର ମଧ୍ୟ ଜୟପୁର ବ୍ୟକ୍ତିଙ୍କ ଚିତାଭସ୍ମ ସୁରକ୍ଷିତ ଭାବରେ ରଖିଛନ୍ତି, ଯାହାକୁ ସେ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବେ । କୋରିୟର ସଂସ୍ଥା ଏମିତି ତ୍ରୁଟି କରିବ କେହି କେବେ ଚିନ୍ତା ବି କରିନଥିଲେ । ସିନେମା କାହାଣୀ ପରି ଲାଗୁଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ସେପଟେ ବୁଧବାର ବିଳାସଙ୍କର ଶବ ବିମାନରେ ଭୁବନେଶ୍ୱରରେ ପହଞ୍ଚିବ ।
କୋରିୟର ସଂସ୍ଥାର ଏପରି ତ୍ରୁଟି କାରଣରୁ ଗୋଟିଏ ପରିବାର ଦୁଇ ଥର ଶବ ଶତ୍କାର କରିବେ । ଅନ୍ୟପଟେ ଆଉ ଏକ ପରିବାର ତାଙ୍କ ଆତ୍ମୀୟଙ୍କ ଶେଷ ଦର୍ଶନ କରିବାର ସୁଯୋଗ ଓ ସତ୍କାର କରିବାର ଅଧିକାର ପାଇଲେ ନାହିଁ ।
ଏହି ଖବର ପଢ଼ନ୍ତୁ -
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ ! କୋର୍ଟରେ ହାଜର ଅର୍ଚ୍ଚନାଙ୍କ ସହ ଜଗବନ୍ଧୁPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।