ପ୍ରଭୁଙ୍କ ନାମ ଜପି ଟଳିପଡିଲେ ସାଧୁ... ଶବକୁ ଅପମାନ; ଟ୍ରଲିରେ ଗଲା ସ୍ୱର୍ଗଦ୍ୱାର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଆସିବା ପରେ ଶ୍ରୀଜଗନ୍ନାଥଙ୍କ ନାମ ଜପିି ସାଧୁଙ୍କର ପ୍ରାଣବାୟୁ ଉଡ଼ିଗଲା । କିନ୍ତୁ ମୃତ୍ୟୁ ପରେ ମର ଶରୀରକୁ ମିଳିଲାନି ଉଚିତ ସମ୍ମାନ ।

ପ୍ରଭୁଙ୍କ ନାମ ଜପି ଟଳିପଡିଲେ ସାଧୁ... ଶବକୁ ଅପମାନ; ଟ୍ରଲିରେ ଗଲା ସ୍ୱର୍ଗଦ୍ୱାର

ପ୍ରଭୁଙ୍କ ନାମ ଜପି ଟଳିପଡିଲେ ସାଧୁ... ଶବକୁ ଅପମାନ; ଟ୍ରଲିରେ ଗଲା ସ୍ୱର୍ଗଦ୍ୱାର

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ସଂସାର ମୋହମାୟା ତ୍ୟାଗ କରି ମଠରେ ରହୁଥିଲେ । ସମାଜ ମଙ୍ଗଳ କାମନା କରି ପ୍ରଭୁଙ୍କ ଗୁଣ ପ୍ରଚାର କରୁଥିଲେ । ଜଗନ୍ନାଥଙ୍କ ପ୍ରେମରେ ବାନ୍ଧି ହୋଇ ସୁଦୂର ମହାରାଷ୍ଟ୍ରରୁ ଆସି ପୁରୀର ସର୍ପ ମଠରେ ରହୁଥିଲେ ୭୦ ବର୍ଷୀୟ ସାଧୁ ଜିତୁ ଠାକୁର । ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଆସିବା ପରେ ଶ୍ରୀଜଗନ୍ନାଥଙ୍କ ନାମ ଜପିି ତାଙ୍କର ପ୍ରାଣବାୟୁ ଉଡ଼ିଗଲା । କିନ୍ତୁ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ମିଳିଲାନି ଉଚିତ ସମ୍ମାନ । ସ୍ୱର୍ଗଦ୍ୱାରକୁ ଶେଷଯାତ୍ରା ପାଇଁ ମିଳିଲାନି ଗାଡ଼ି । ସାଥୀ ସାଧୁମାନେ ତାଙ୍କ ମର ଶରୀରକୁ ଟ୍ରଲିରେ ବୋହି ସ୍ୱର୍ଗଦ୍ୱାର ଆଣିଲେ ।

ମଠ ମହନ୍ତ ତପନ ଦାସଙ୍କ କହିବା ମୁତାବକ, ଜିତୁ ଠାକୁର ଲୋକନାଥ ରୋଡ୍‌ ସ୍ଥିତ ସର୍ପ ମଠରେ ରହୁଥିଲେ । ଶନିବାର ରାତିରେ ସେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ମଠର ଅନ୍ୟ ସାଧୁମାନେ ଏକ ବ୍ୟାଟେରୀ ଅଟୋ ଯୋଗେ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନା ନେଇ ଆସିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏକ ଅଟୋ ଯୋଗେ ତାଙ୍କୁ ସ୍ୱର୍ଗଦ୍ୱାର ନେବାର ବ୍ୟବସ୍ଥା କରିଦେବେ ବୋଲି ହସ୍ପିଟାଲ କର୍ମଚାରୀମାନେ କହିଥିଲେ । କିନ୍ତୁ ଏଥିପାଇଁ ସାଧୁମାନଙ୍କ ପାଖେ ଆବଶ୍ୟକ ଟଙ୍କା ନଥିଲା । ସବୁ ଗାଡ଼ି ୨ହଜାର ଟଙ୍କାରୁ ଅଧିକ କହୁଥିଲେ ।

ମହାପ୍ରୟାଣ ଗାଡ଼ି ବାବଦରେ ମଧ୍ୟ ସେ ଅବଗତ ନଥିଲେ । ଏଣୁ ମହନ୍ତଙ୍କ ସମେତ ମଠର ୫ ଜଣ ସାଧୁ କୋକେଇ ବାନ୍ଧି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଶବ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମହନ୍ତ ତପନ ପ୍ରକାଶ କରିଛନ୍ତି । ଟ୍ରଲିରେ ଶବ ବୁହାଯାଇଥିବା କଥା ସେ ସ୍ୱୀକାର କରିନଥିଲେ ମଧ୍ୟ ସାଧୁମାନେ ଟ୍ରଲିରେ ଶବ ବୋହି ନେଉଥିବାର ଏକ ଫଟୋ ‘ନ୍ୟୁଜ୧୮ ଓଡ଼ିଆ’ର ହସ୍ତଗତ ହୋଇଛି ।

ସୂଚନା ମୁତାବକ, ସାଧୁଙ୍କ ଶବ ବ୍ୟବଚ୍ଛେଦ କରାଯାଇନାହିଁ କି ତାଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇନାହିଁ । ସାଧୁ ସଂସାର ତ୍ୟାଗୀ ହୋଇଥିବାରୁ ତାଙ୍କ ମଠର ସଦସ୍ୟ ହିଁ ତାଙ୍କ ପରିବାର ବୋଲି ମହନ୍ତ ସୂଚନା ଦେଇଛନ୍ତି । ମହାପ୍ରୟାଣ ଗାଡ଼ି ସୁବିଧା ଥିଲେ ମଧ୍ୟ ଏନେଇ ଜନସଚେତନତା ସୃଷ୍ଟି କରାନଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସ୍ୱର୍ଗଦ୍ୱାର ମହାପ୍ରୟାଣ ଗାଡ଼ି ସେବାରେ ନିଯୁକ୍ତ ଥିବା ଜଣେ କର୍ମଚାରୀ କହିଛନ୍ତି, ୨୪ ଘଣ୍ଟା ଟୋଲ୍‌ ଫ୍ରି ନମ୍ବରରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ପୁରୀର ୧୨ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ପ୍ରତ୍ୟେକ ସ୍ଥାନକୁ ପହଞ୍ଚି ଶବ ଅଣାଯାଉଛି । ଶବ ପିଚ୍ଛା ୭୫୦ ଟଙ୍କା ସଂଗ୍ରହ କରାଯାଉଛି ।
Published by:Soubhagya Mishra
First published: