News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ସମବାୟ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଚରଣ ବିଧି ଲାଗୁ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି ।
ସମବାୟ ନିର୍ବାଚନ ଆୟୋଗଙ୍କ ସଚିବ ସବିର କୁମାର ପଣ୍ଡା ଦର୍ଶାଇଛନ୍ତି ଯେ, ଓଡ଼ିଶା ସମବାୟ ସମିତି ଆଇନ ୧୯୬୨ ଅନୁଯାୟୀ, ଏହି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଯିବ। ଯେଉଁ ଦିନଠାରୁ ସମବାୟ ନିର୍ବାଚନର କାର୍ଯ୍ୟସୂଚୀ ସମ୍ପର୍କରେ ବିବରଣୀ ପ୍ରକାଶ ପାଇବ, ସେହି ଦିନଠାରୁ ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଆଚରଣ ବିଧି ବଳବତ୍ତର ରହିବ ।
ଶ୍ରୀ ପଣ୍ଡାଙ୍କ ସୂଚନାନୁସାରେ, ନିର୍ବାଚନ ବେଳେ ପ୍ରାର୍ଥୀମାନେ କୌଣସି ସମବାୟ ସମିତି ସଭ୍ୟମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଲୋଭନ କିମ୍ବା ପ୍ରତିଶ୍ରୁତି ଦେଇପାରିବେ ନାହିଁ । ଜଣେ ସଭ୍ୟ ଅନ୍ୟ ଜଣେ ସଭ୍ୟଙ୍କ ଲାଗି ଭୋଟ ଦେଇପାରିବେ ନାହିଁ । ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି କୌଣସି ସଦସ୍ୟଙ୍କ ସହିତ କୌଣସି ପ୍ରକାର ଚୁକ୍ତିନାମା କରିପାରିବେ ନାହିଁ । ଏହା ଛଡ଼ା ଅର୍ଥ ଲୋଭ ଦେଖାଇ ପ୍ରଭାବିତ କରିପାରିବେ ନାହିଁ । ନିର୍ବାଚନ ବେଳେ ସମିତିର ଗାଡ଼ିକୁ ବ୍ୟବହାର କରାଯିବ ନାହିଁ। ଆୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଧାରିତ ନିର୍ବାଚନୀ ଖର୍ଚ୍ଚ ଅଧିକ କରିପାରିବେ ନାହିଁ, ନିର୍ବାଚନରେ ଜିତିବା ପାଇଁ କାହାକୁ ଋଣ କରାଇଦେବା କିମ୍ବା ଋଣ ଦେବା ଭଳି ପ୍ରଲୋଭନ ଦେଖାଇପାରିବେ ନାହିଁ । ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରନ୍ତି, ସମବାୟ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ସେହିପରି କୌଣସି ସରକାରୀ କିମ୍ବା ଘରୋଇ ସ୍ଥାନମାନଙ୍କରେ ପ୍ରାର୍ଥୀ ତାଙ୍କର ପ୍ରଚାର କରିପାରିବେ ନାହିଁ । ସମବାୟ ନିର୍ବାଚନ ପରିଚାଳନା ଅଧିକାରୀ ଯଦି କୌଣସି ବେଆଇନ କାର୍ଯ୍ୟ କରନ୍ତି, ତେବେ ତାହାକୁ ଦଣ୍ଡନୀୟ ଅପରାଧ ଭାବେ ଧରାଯିବ।
ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ପ୍ରତି ପ୍ରାଥମିକ ସମବାୟ ସମିତିରୁ ୧୫ ଜଣ ଲେଖାଏଁ ସଦସ୍ୟଙ୍କୁ ନିର୍ବାଚନ କରାଯିବ । ଯେଉଁମାନେ ୧୩୨ଟି କେନ୍ଦ୍ରୀୟ ସମବାୟ ସମିତିର ନିର୍ଦ୍ଦେଶକମାନଙ୍କୁ ନିର୍ବାଚିତ କରିବେ । ପ୍ରତି କେନ୍ଦ୍ରୀୟ ସମବାୟ ସମିତି ଅଧୀନରେ ୧୫ ଜଣ ଲେଖାଏଁ ନିର୍ଦ୍ଦେଶକଙ୍କୁ ନିର୍ବାଚିତ କରାଯିବ । ନିର୍ବାଚିତ ନିର୍ଦ୍ଦେଶକମାନେ ୨୧ଟି ଆପେକ୍ସ ବଡ଼ିର ନିର୍ଦ୍ଦେଶକଙ୍କୁ ନିର୍ବାଚିତ କରିବେ । ପ୍ରତି ଆପେକ୍ସ ବଡ଼ି ଅଧୀନରେ ୨୧ଜଣ ଲେଖାଏଁ ନିର୍ଦ୍ଦେଶକ ନିର୍ବାଚିତ ହେବେ । ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ କେନ୍ଦ୍ରୀୟ ସମବାୟ ସମିତି ନିର୍ବାଚନ ଓ ତାର ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ।
ରାଜ୍ୟ ସରକାରଙ୍କ ୫ଟି ବିଭାଗ ଅଧୀନରେ ସମବାୟ ସମିତିଗୁଡ଼ିକ ରହିଛି । ସେ ଭିତରେ ସମବାୟ ବିଭାଗର ୪୧୫୨ଟି ସମବାୟ ସମିତି, ହସ୍ତତନ୍ତ ଓ ବୟନ ଶିଳ୍ପର ୮୦୩ଟି ସମବାୟ ସମିତି, ମତ୍ସ୍ୟ ସମ୍ପଦର ୧୯୧୨ଟି ସମବାୟ ସମିତି, MSMEର ୨୦୮ ଏବଂ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏଯାଏଁ ୩୦ ଲକ୍ଷ ୯୦ ହଜାର ୧୦୫ ଚାଷୀ ଭୋଟର ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।