ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବସ୍ତି ଜଗିବ ବସ୍ତି ମିତ୍ର; ରୋକିବ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପ

ବସ୍ତି ଜଗିବ ବସ୍ତି ମିତ୍ର; ରୋକିବ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପ

ରାଜଧାନୀରେ ଥିବା ବସ୍ତିଗୁଡିକୁ ଅପରାଧମୁକ୍ତ କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି 'ବସ୍ତିକୁ ଚାଲ' ଅଭିଯାନ । ବସ୍ତି ବାସିନ୍ଦାଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଓ ବନ୍ଧୁତ୍ବରେ ହାତ ବଢାଇବା ପାଇଁ ପୋଲିସ ଗଠନ କଲା 'ପୋଲିସ ମିତ୍ର' ଟିମ।

ବସ୍ତି ଜଗିବ ବସ୍ତି ମିତ୍ର; ରୋକିବ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପ
ବସ୍ତିକୁ ଅପରାଧମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 8, 2021, 7:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀରେ ଥିବା ବସ୍ତିଗୁଡିକୁ ଅପରାଧମୁକ୍ତ କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି 'ବସ୍ତିକୁ ଚାଲ' ଅଭିଯାନ । ବସ୍ତି ବାସିନ୍ଦାଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଓ ବନ୍ଧୁତ୍ବରେ ହାତ ବଢାଇବା ପାଇଁ ପୋଲିସ ଗଠନ କଲା 'ପୋଲିସ ମିତ୍ର' ଟିମ। ବସ୍ତିରେ ବଢୁଥିବା ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ପୋଲିସ ମିତ୍ର ବେଶ ସହାୟକ ହେବା ଲକ୍ଷ୍ୟ ରଖିଛି କମିସନରେଟ ପୋଲିସ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ୩୦ଟି ବସ୍ତିକୁ ଅଧିକ ଫୋକସ କରିଛି ପୋଲିସ । ସେହି ବସ୍ତି ଗୁଡ଼ିକରୁ  ୧୦୦ ଜଣଙ୍କୁ ନେଇ ଗଠନ ହୋଇଛି ପୋଲିସ ମିତ୍ର । ଏହି ବସ୍ତି ମିତ୍ର ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ  ଟ୍ରେନିଂ ଦେଇଛନ୍ତି  ପୋଲିସ କମିଶନର । ବସ୍ତି ମିତ୍ର ମାନଙ୍କୁ ସ୍ୱତନ୍ତ୍ର ଡ୍ରେସକୋର୍ଡ, ଟୋପି ଓ ଆଇ.ଡ଼ି କାର୍ଡ଼ ପ୍ରଦାନ କରାଯାଇଛି ।

"ବସ୍ତିରେ ବିଭିନ୍ନ ସମୟରେ ଅପରାଧିମାନେ ରହୁଛନ୍ତି। ଡ୍ରଗ୍ସ କାରବାର ବି ବୃଦ୍ଧି ପାଉଛି । ଅପରାଧିମାନେ ଅପରାଧ କରି ଲୁଚୁଛନ୍ତି । ଏଭଳି କ୍ଷେତ୍ରରେ ବସ୍ତିଗୁଡ଼ିକରୁ ଅପରାଧ ନିୟନ୍ତ୍ରଣ କରିବା ଆମର ମୂଳ ଲକ୍ଷ୍ୟ । ତେଣୁ ଆମେ ଆରମ୍ଭ କରିଥିଲୁ ବସ୍ତିକୁ ଚାଲ ଅଭିଯାନ । ଯେଉଁଥିରେ ପ୍ରତି ବସ୍ତିରେ ଦୁଇଜଣ ପୋଲିସ କର୍ମଚାରୀ ନଜର ରଖିବେ । ଲୋକଙ୍କ ସହ ମିଶିବେ । ବସ୍ତିର ଖବର ରଖିବେ ।  ଆମେ ଏହି ଯୋଜନାରେ ସଫଳ ହୋଇଥିଲୁ । ଜନ ସାଧାରଣଙ୍କ ବିଶ୍ୱାସ ରହିବା ସହ ଉତ୍ତମ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା । ତେଣୁ ଏବେ ଏହାକୁ ଆଉ ଟିକେ ଅଧିକ କ୍ରିୟାଶୀଳ କରାଯାଇଛି । 'ପୋଲିସ ମିତ୍ର' ନାମକରଣ କରି ଏହାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ରଖାଯାଇଛି,"କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପ୍ରତି ବସ୍ତିର କିଛି କିଛି ଯୁବକକୁ ନେଇ ଗଠନ ହୋଇଛି 'ପୋଲିସ ମିତ୍ର' । ଏହା ବସ୍ତି ମାନଙ୍କ ଉପରେ ନଜର ରଖିବେ । କେଉଁ ବସ୍ତିରେ କଣ ହେଉଛି, ସବୁ ତଥ୍ୟ ପୋଲିସ କୁ ଦେବେ । ମୂଳ ଲକ୍ଷ୍ୟ ହେଲା ବସ୍ତିରେ ନିଶା କାରାବାର ଓ ଅପରାଧ କାର୍ଯ୍ୟକଳାପ ଉପରେ ନଜର ରଖିବେ । ପ୍ରଥମ ପର୍ଯ୍ୟାୟରେ ୧୦୦ଜଣଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଡିସିପି । ସେମାନଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ଆଇ କାର୍ଡ ଦେବା ସହ ସାମାଜିକ ଦାଇତ୍ୱକୁ ନେଇ ଦିନିକିଆ ତାଲିମ ଦିଆଯାଇଛି । ପୋଲିସ ମିତ୍ରର ଚରିତ୍ର ପଞ୍ଜିକା ଉପରେ ଗୁରୁତ୍ବ ଦେଇଛ ପୋଲିସ । ଭୁବନେଶ୍ୱରରେ ୧୦୦୦ ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା ରଖିଛି ପୋଲିସ ।

"ପୂର୍ବରୁ ବସ୍ତିକୁ ଚାଲ ଅଭିଯାନ କରି ବସ୍ତି ବାସିନ୍ଦାଙ୍କ ସହ ସୁ ସଂପର୍କ ରଖିବା ପ୍ରୟାସ ଆରମ୍ଭ କରିଥିଲା ପୋଲିସ । ଏହି କ୍ରମରେ ପ୍ରତି ବସ୍ତି ପାଇଁ ଦୁଇଜଣ ପୋଲିସ ଅଧିକାରୀଙ୍କୁ ବସ୍ତି ମିତ୍ର ଭାବେ ନିଯୁକ୍ତ କରାଯାଇଛି । ବସ୍ତିକୁ ଚାଲ ଅଭିଯାନ ଆରମ୍ଭ ହେବା ଦିନ ଠାରୁ ବସ୍ତିରେ ଅପରାଧ ଓ କୌଣସି ସମସ୍ୟା ନେଇ ଥାନାକୁ ଆସିବା ମାମଲା କମିଛି । ସେହିପରି ଡ୍ରଗ୍ସ କାରବାର ଉପରେ ମଧ୍ୟ ଆମେ ସଫଳତା ପାଇଛୁ," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ୍ ।

ରାଜଧାନୀରେ ବସ୍ତିଗୁଡିକୁ ନେଇ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । କାରଣ ବସ୍ତି ଗୁଡ଼ିକରେ ବିଭିନ୍ନ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଲିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ ।
Published by: Soumya Das
First published: November 8, 2021, 7:54 PM IST