ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବଜାରକୁ ଆସିବ ଚିକୁନଗୁନିଆର ଟିକା; ଓଡ଼ିଶାର ସମରେ ଆରମ୍ଭ ହେଲା ମାନବ ପରୀକ୍ଷଣ

ବଜାରକୁ ଆସିବ ଚିକୁନଗୁନିଆର ଟିକା; ଓଡ଼ିଶାର ସମରେ ଆରମ୍ଭ ହେଲା ମାନବ ପରୀକ୍ଷଣ

ଆଉ ବର୍ଷକ ଭିତରେ ବଜାରକୁ ଆସିପାରେ ଚିକୁନଗୁନିଆର ଟିକା। ଓଡ଼ିଶାର ଏକମାତ୍ର ଟେଷ୍ଟିଂ ସେଣ୍ଟର ଭାବେ ସମ୍ କୋଭ୍ୟାକ୍ସିନ ସେଣ୍ଟରକୁ ଏହି ଟିକା ପରୀକ୍ଷଣ ଦାୟିତ୍ୱ ମିଳିଛି।

ବଜାରକୁ ଆସିବ ଚିକୁନଗୁନିଆର ଟିକା; ଓଡ଼ିଶାର ସମରେ ଆରମ୍ଭ ହେଲା ମାନବ ପରୀକ୍ଷଣ
ଆସନ୍ତା ବର୍ଷକ ଭିତରେ ବଜାରରେ ଚିକୁନଗୁନିଆ ଟିକା ଆସିପାରେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 26, 2021, 5:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଗୋଟିଏ ଭଲ ଖବର ଆସି ପହଞ୍ଚିଛି। ଆସନ୍ତା ବର୍ଷକ ଭିତରେ ବଜାରରେ ଚିକୁନଗୁନିଆ ରୋଗର ଟିକା ଉପଲବ୍ଧ ହୋଇପାରେ । ପ୍ରଥମ ଥର ପାଇଁ ଏଭଳି ଟିକା ପ୍ରସ୍ତୁତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ଭାରତ ବାୟୋଟେକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି ।

ଦେଶର ଏକାଧିକ କେନ୍ଦ୍ର ସମେତ ଓଡ଼ିଶାର ଏକମାତ୍ର ଟେଷ୍ଟିଂ ସେଣ୍ଟର ଭାବେ ସମ କୋଭ୍ୟାକ୍ସିନ ସେଣ୍ଟରକୁ ଏହି ଦାୟିତ୍ୱ ମିଳିଛି। ଦାୟିତ୍ୱ ମିଳିବା ପରେ କେନ୍ଦ୍ର ପକ୍ଷରୁ ମାନବ ପରୀକ୍ଷଣ ଆରମ୍ଭ ହୋଇଛି।

ସମ୍ କୋଭ୍ୟାକ୍ସିନ ସେଣ୍ଟରର ଚିଫ ଇନଭେସ୍ଟିଗେଟର ଡ଼ ଇପାରୀ ଭେଙ୍କଟ ରାଓ କହିଛନ୍ତି,"ମାତ୍ର ବର୍ଷକ ଭିତରେ କୋଭିଡ଼ ପାଇଁ ଟିକା ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ଭାରତ ବାୟୋଟେକ ପକ୍ଷରୁ ଚିକୁନ୍‌ଗୁନିଆ ରୋଗ ପାଇଁ ଟିକା ପ୍ରସ୍ତୁତ ଉଦ୍ୟମ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ସଂଖ୍ୟାଧିକ କେନ୍ଦ୍ରରେ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏକମାତ୍ର କେନ୍ଦ୍ର ଭାବେ ସମ ହସପିଟାଲର କୋଭ୍ୟାକ୍ସିନ ସେଣ୍ଟରକୁ ଏହି ଦାୟିତ୍ୱ ମିଳିଛି । ଆସନ୍ତା ବର୍ଷକ ଭିତରେ ଏହି ଟିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଛି।"

ସେ ଆହୁରି ମଧ୍ୟ କହିଛନ୍ତି,"ଡ଼େଙ୍ଗୁ ଭଳି ଚିକୁନ୍‌ଗୁନିଆ ହେଉଛି ଏକ ମାରାତ୍ମକ ରୋଗ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର ହେବାର ସହିତ ଦେହରେ ସେମାନେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥାନ୍ତି। ନିର୍ଦ୍ଧିଷ୍ଟ ଭାବେ ଏହାର ପ୍ରତିକାର ପାଇଁ ଔଷଧ ସହିତ ଟିକାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାଦ୍ୱାରା ଚିକୁନ୍‌ଗୁନିଆ ସଂକ୍ରମଣ କମିବ ବୋଲି ଆଶା କରାଯାଉଛି"।

ସମରେ ଚିକୁନଗୁନିଆ ଟିକା ପରୀକ୍ଷଣ ଆରମ୍ଭ ହୋଇଛି (ପ୍ରତୀକାତ୍ମକ ଛବି)


ଡ଼.ଇପାରୀ ଭେଙ୍କେଟରାଓଙ୍କ ସୂଚନା ଅନୁସାରେ, ପୂର୍ବରୁ ଡ଼େଙ୍ଗୁ ରୋଗର ଟିକା ପ୍ରସ୍ତୁତ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା । କୋଭିଡ଼ ପରେ ଏବେ ଚିକୁନ୍‌ଗୁନିଆ ରୋଗର ପ୍ରତିକାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଭାରତ ବାୟୋଟେକ୍ ପକ୍ଷରୁ ବିଭିନ୍ନ ଟୀକା ପ୍ରସ୍ତୁତି କେନ୍ଦ୍ରକୁ ମାନବ ପରୀକ୍ଷଣ ପାଇଁ ଦାୟିତ୍ୱ ଦିଆଯାଇଛି । କୋଭିଡ଼ ଟୀକା ପ୍ରସ୍ତୁତ ଭଳି ଏହାର ତିନୋଟି ପର୍ଯ୍ୟାୟରେ ମାନବ ପରୀକ୍ଷଣ କରିବାକୁ କୁହାଯାଇଛି ।

ମୋଟ ଉପରେ ୧୨ରୁ ୬୫ ବର୍ଷ ବୟସ ଲୋକଙ୍କ ଦେହରେ ଏହି ପରୀକ୍ଷଣ ପାଇଁ ଅନୁମତି ମିଳିଥିବା ବେଳେ ସମ କୋଭ୍ୟାକ୍ସିନ୍ ସେଣ୍ଟରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଟ୍ରାଏଲ ଆରମ୍ଭ ହୋଇଛି । ତେବେ ନିର୍ଦ୍ଧିଷ୍ଟ ଭାବେ କେତେ ସ୍ୱେଚ୍ଛାସେବୀଙ୍କ ଦେହରେ ଏହି ଟ୍ରାଏଲ କରାଯିବ ତାକୁ ଗୁପ୍ତ ରଖାଯାଇଛି ।

ଡ଼ାକ୍ତର ଶୋଭନ ରଥଙ୍କ ମତରେ କୋଭିଡ଼ ଓ ଡ଼େଙ୍ଗୁ ତୁଳନାରେ ଚିକୁନ୍‌ଗୁନିଆ ସଂକ୍ରମଣ କମ୍ ରହିଥିଲେ ମଧ୍ୟ କିଛି କିଛି ଅଞ୍ଚଳରେ ଘାତକ ମଧ୍ୟ ସାବ୍ୟସ୍ତ ହେଉଛି । ଏହାର ଲମ୍ବା ଚିକିତ୍ସା କାରଣରୁ ସଂକ୍ରମଣ ବ୍ୟକ୍ତି ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ସେ ଦୃଷ୍ଟିରୁ ଚିକୁନ୍‌ଗୁନିଆ ପାଇଁ ଟିକା ପ୍ରସ୍ତୁତ ଆରମ୍ଭ ହେବ ଓ ସେଥିରେ ଓଡ଼ିଶାର ପରୀକ୍ଷଣ କେନ୍ଦ୍ର ସାମିଲ ହେବା ଭଲ କଥା ନିଶ୍ଚୟ ।
Published by: Soumya Das
First published: September 26, 2021, 5:39 PM IST