ହିଟ ୱେଭ ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ; ସଜାଗ ରହିବାକୁ ଦେଲେ ନିର୍ଦ୍ଦେଶ

୮ ସହରରେ ୩୯ ଡ଼ିଗ୍ରୀ କିମ୍ବା ଓ ଏହା ଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି। ତାପମାତ୍ରା ବୃଦ୍ଧି ସହ ଚଳିତ ଋତୁରେ ସମ୍ଭାବ୍ୟ ହିଟ ୱେଭ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

ହିଟ ୱେଭ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ (ପ୍ରତୀକାତ୍ମକ ଛବି)

ହିଟ ୱେଭ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସାରା ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ୮ ସହରରେ ୩୯ ଡ଼ିଗ୍ରୀ କିମ୍ବା ଓ ଏହା ଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି। ତାପମାତ୍ରା ବୃଦ୍ଧି ସହ  ଚଳିତ ଋତୁରେ ସମ୍ଭାବ୍ୟ ହିଟ ୱେଭ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହା ସହ ଆଗାମୀ ସ୍ଥିତିର ମୁକାବିଲା ନେଇ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୪୦.୬ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ବୌଦ୍ଧରେ ୪୦.୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଭୁବନେଶ୍ୱରରେ ୩୬.୨ ଡ଼ିଗ୍ରୀ ଓ କଟକରେ ୩୭.୮ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ଼ କରାଯାଇଛି। ପ୍ରତିଦିନ ତାପମାତ୍ରା ମଧ୍ୟ ଧୀରେ ଧୀରେ ବଢୁଛି। ତାପମାତ୍ରା ବୃଦ୍ଧି କୁ ଦେଖି ସଚେତନ ହେଉଛନ୍ତି ସରକାର।

ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସ୍ତରୀୟ କମିଟି ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।  ଯେଉଁଥିରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ରହି ଯୋଜନା ବିଷୟରେ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ।  ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ହିଟ ୱେଭର ଯେକୌଣସି ପରିସ୍ଥିତିକୁ ହ୍ରାସ କରିବା ପାଇଁ ସିଷ୍ଟମକୁ ପ୍ରସ୍ତୁତ ରଖିବାକୁ ମୁଖ୍ୟ ସଚିବ ଶ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ ଯୋଗାଣ, ନିୟମିତ ରକ୍ଷଣାବେକ୍ଷଣ ଓ ନଳକୂପ ରକ୍ଷଣାବେକ୍ଷଣ, ଡାକ୍ତରଖାନାରେ ସନଷ୍ଟ୍ରୋକ ଔଷଧର ଆଗୁଆ ସଂରକ୍ଷଣ,  ସନଷ୍ଟ୍ରୋକ ରୋଗୀଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା, କେନାଲରେ ଜଳ ଯୋଗାଣ, ଜଙ୍ଗଲରେ ନିଆଁ ରୋକିବା ପାଇଁ  ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଥିଲା। ଛୋଟ ସ୍ରୋତରେ ବାଲି-ପ୍ୟାକ୍ ବ୍ୟବହାର କରି ଚେକ୍ ଡ୍ୟାମ୍ ରୋକିବା ସହ  ପ୍ରାଣୀ ଏବଂ ପକ୍ଷୀମାନଙ୍କ ପାଇଁ ନଳକୂପ ଏବଂ  କୂଅ ନିକଟରେ ବ୍ୟବସ୍ଥା କରିବାକି ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ  ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପଶୁମାନଙ୍କ ପାଇଁ ଘର ସମ୍ମୁଖରେ ପାଣି ହାଣ୍ଡି ରଖିବାକୁ। ସମସ୍ତ ପରିବାରକୁ ଅନୁରୋଧ କରିଥିଲେ।

ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ବୈଠକରେ କହିଛନ୍ତି ଫେବୃଆରୀରୁ ହିଟ ୱେଭ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୨ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇ  ସଂପୃକ୍ତ ବିଭାଗକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗ ଗୁଡିକ ଯୋଜନାଗୁଡିକର କାର୍ଯ୍ୟକାରିତା କୁ ସଠିକ ଭାବେ ପାଳନ କରିବା ସହ ଅଗ୍ରଗତି ବିଷୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ବିଭାଗଗୁଡ଼ିକୁ କହିଛନ୍ତି ଏସାରସି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏନଜିଓ, ପିପୁଲ୍ସ କମିଟି, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସଙ୍ଗଠନ ଗୁଡିକୁ ସାମିଲ କରି ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟରେ ସମୟର ପରିବର୍ତ୍ତନ, ଖରା ସମୟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବ୍ୟବସ୍ଥା, ବସ୍‌ରେ ଜଳ ଓ ପ୍ରାଥମିକ ସହାୟତା ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଲୋକଙ୍କ ପାଇଁ ସହାୟତା ଆଦି ଉପରେ ବୈଠକରେ  ଆଲୋଚନା କରାଯାଇଥିଲା।
Published by:Soumya Das
First published: