News18 Odia Digital
ଭୁବନେଶ୍ୱର: କାମର ହିସାବ ମାଗିଲେ ନବୀନ। ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, ସେ ଦିଗରେ ବିଭାଗ ଗୁଡ଼ିକ କେତେ ତତ୍ପରତା ପ୍ରକାଶ କରିଛନ୍ତି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୯ ତାରିଖରେ ନବୀନଙ୍କ ପଞ୍ଚମ ପାଳିର ସରକାରକୁ ପୁରୁଛି ୩ ବର୍ଷ। ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କେତେ ପାଳନ ହୋଇଛି ପ୍ରତିଶୃତି?ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗଗୁଡ଼ିକ କି ପଦକ୍ଷେପ ନେଇଛନ୍ତି ? ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ଗତ ୩ ବର୍ଷ ମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ହିସାବ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି। ମେ’ ୨୯ତାରିଖ ନବୀନ ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି ହେଉଥିବାରୁ ୨୦୧୯ ମେ’ରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗଗୁଡ଼ିକ କି ପଦକ୍ଷେପ ନେଇଛନ୍ତି, ବର୍ତ୍ତମାନର ସ୍ଥିତାବସ୍ଥା କ’ଣ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ମେ’ ୨୯ତାରିଖରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଗୃହୀତ ହୋଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ସମ୍ପୃକ୍ତ ବିଭାଗ କି ପଦକ୍ଷେପ ନେଇଛି ତାହା ମେ’ ୭ ତାରିଖ ସୁଦ୍ଧା ଜଣାଇବାକୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ନିର୍ଦ୍ଦେଶ ଦେଇଥିଲା। ବିଶେଷକରି ଜଳେସଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ପଛୁଆ ବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା ନେଇ ବିଏସକେଓ୍ବାଇ ଯୋଜନା, ପକ୍କା ଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ଓ୍ବେ ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟ ମନ୍ତ୍ରିପରିଷଦରେ ପାରିତ ସଂକଳ୍ପ ଅନୁସାରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନାକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମ ଓ ସରକାରୀ ନିଯୁକ୍ତି ସିଲାବସରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାସହିତ ବିପର୍ଯ୍ୟୟ ମୁକାବିଲା ଦିଗରେ ରାଜ୍ୟରେ ପ୍ରତ୍ୟେକଙ୍କୁ ଜଣେ ଲେଖାଁଏ ଯୋଦ୍ଧା ଭାବେ ବିକଶିତ କରିବାକୁ ଏହି ସଂକଳ୍ପରେ ସାମିଲ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଶିକ୍ଷିତ ପାଇଁ ସଂକଳ୍ପରେ ପାରିତ ହୋଇଥିଲା । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ ବିଭାଗ ନିର୍ବାଚନୀ ଇସ୍ତାହାର ସହ ଜଡ଼ିତ ପ୍ରସଙ୍ଗ ଉପରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି ।ଇସ୍ତାହାର ପ୍ରତିଶ୍ରୁତି ପାଳନ କରିବାରେ ଗଣଶିକ୍ଷା ବିଭାଗ ସବୁଠୁ ପଛରେ ଥିଵା ଜଣାପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।