ଓଡ଼ିଶାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା; ଶୁଭାରମ୍ଭ କଲେ ମୁଖ୍ୟ ମନ୍ତ୍ରୀ

ଆସନ୍ତାକାଲଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଉପାନ୍ତ ଅଞ୍ଚଳର ଲୋକଙ୍କୁ ମିଳିବ ଉପଯୁକ୍ତ ସ୍ବାସ୍ଥ୍ୟ ସେବା।

ବାୟୁ ହେଲ୍ଥ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ବାୟୁ ହେଲ୍ଥ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ରଚିବ ଓଡ଼ିଶା। ଆସନ୍ତାକାଲଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଉପାନ୍ତ ଅଞ୍ଚଳର ଲୋକଙ୍କୁ ମିଳିବ ଉପଯୁକ୍ତ ସ୍ବାସ୍ଥ୍ୟ ସେବା। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବାକୁ ଥିବାବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ସ୍ବାଗତ କରିଛନ୍ତି।

ଉପାନ୍ତ ସହ ଦୂରଦୂରାନ୍ତ ଲୋକଙ୍କୁ ମିଳିବ ଉନ୍ନତ ମାନର ଚିକିତ୍ସା। ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଏହି ସେବା ମାଧ୍ୟମରେ ରୋଗୀ ପାଖରେ ବିଶେଷଜ୍ଞ ଡାକ୍ତର ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ ।

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେଉଥିବା ବେଳେ। ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ରୋଗୀ ଏହି ବାୟୁ ସ୍ୱାସ୍ଥ୍ୟସେବା ପାଇବେ । ମାଲକାନଗିରି, ନବରଙ୍ଗଗପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଟିମ୍ । ଆବଶ୍ୟକସ୍ଥଳେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।

ଭୌଗଳିକ ଭାବେ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ସୁବିଧା ନଥିବାରୁ ଏହା ବେଶ୍ ସହାୟକ ହେବ। ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଞ୍ଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଞ୍ଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ବି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାକୁ ସ୍ବାଗତ କରିଛନ୍ତି।

ଡାକ୍ତର ନିରଜ ମିଶ୍ର କହିଛନ୍ତି,"ବହୁତ ଭଲ ପଦକ୍ଷେପ ନେଇଛନ୍ତି ସରକାର। ଦୂରଦୂରାନ୍ତରେ ଥିବା ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିପାରୁ ନାହିଁ। ଅତି ଦୁର୍ବଳ ରୋଗୀ, ଗୁରୁତର ରୋଗୀଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିବ। ଯେଉଁଠି ବଡ଼ଧରଣର କିଛି ଦୁର୍ଘଟଣା ଘଟୁଛି ସେଠାରେ ଆବଶ୍ୟକ ସରଞ୍ଜାମ ନେଇ ଏକ୍ସପୋର୍ଟ ଟିମ ପହଞ୍ଚି ପାରିବେ ଲୋକ ଉପକାର ପାଇବେ। ଯଦି ଆବଶ୍ୟକ ପଡ଼ିବ ରୋଗୀକୁ ବି ଏୟାରଲିଫ୍ଟ କରି ଆଣିପାରିବେ। ବହୁତ ସ୍ବାଗତଯୋଗ୍ୟ ପଦକ୍ଷେପ।"

ମାଲକାନଗିରିରୁ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ଡିସେମ୍ବର ୧୫ରେ ଯାଜପୁରରେ ଶେଷ ହୋଇଛି। ରାଜ୍ୟର ୩୦ ଜିଲ୍ଲାରେ ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହାଦ୍ବାରା ଦେଶର ୨୦୦ ଟି ବଛା ବଛା ହସ୍ପିଟାଲରେ ବିଏସକେୟାଇ କାର୍ଡ଼ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁଛି । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ନୂଆ ଆଶା ସଞ୍ଚାର କରିଛି।
Published by:Soumya Das
First published: