ଆୟୋଜିତ ହେଲା 'ଚଲୋ ଦେଖେ ଆପନା ଦେଶ' କାର୍ଯ୍ୟକ୍ରମ; ଜମ୍ମୁ ଭ୍ରମଣ ପାଇଁ ଦର୍ଶକଙ୍କୁ କରାଯାଉଛି ଆକୃଷ୍ଟ

ଜାମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ‘ଚଲୋ ଦେଖେ ଆପନା ଦେଶ’ କାର୍ଯ୍ୟକ୍ରମ । ଭୂସ୍ବର୍ଗ ଜାମ୍ମୁ କାଶ୍ମୀରକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମରେ ଉଦ୍ଦେଶ୍ଯ ରହିଛି ।

ଭୁବନେଶ୍ୱରରେ ଆୟୋଜିତ ହେଲା 'ଚାଲୋ ଦେଖେ ଅପନା ଦେଶ' କାର୍ଯ୍ୟକ୍ରମ (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱରରେ ଆୟୋଜିତ ହେଲା 'ଚାଲୋ ଦେଖେ ଅପନା ଦେଶ' କାର୍ଯ୍ୟକ୍ରମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କୋଭିଡ଼ ମହାମାରୀରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଛି ଜାମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟଟନ ବିଭାଗ । ଏହିକ୍ରମରେ ଭୁବନେଶ୍ୱରରେ ଆୟୋଜିତ  ହୋଇଛି ‘ଚଲୋ ଦେଖେ ଆପନା ଦେଶ’ କାର୍ଯ୍ୟକ୍ରମ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ ।

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜମ୍ମୁ କଶ୍ମୀର ରାଜୌରୀ ପର୍ଯ୍ୟଟନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ୍ ପୁରୀଙ୍କ ସୂଚନା ଅନୁସାରେ, ଗତ ଦୁଇବର୍ଷ ଧରି ପ୍ରଭାବିତ ହୋଇଥିବା ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ  ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ବ୍ୟାପକ ପ୍ରସାର ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସେଠାକାର ପର୍ଯ୍ୟଟନ ବିଭାଗ। ମୁଖ୍ୟତଃ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ପାଇଁ ୭୫ଟି ନୂଆ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯାଇଛି । ସେ ଭିତରେ ରହିଛି ଦୁଃସାହସିକ ପର୍ଯ୍ୟଟନ, ନୌଚାଳନା, ତୁଷାର ଆଚ୍ଛାଦିତ ପର୍ବତମାଳା,ବନ୍ୟପ୍ରାଣୀ ସ୍ଥଳୀ, ଆଞ୍ଚଳିକ ହସ୍ତଶିଳ୍ପ ବଜାର ଇତ୍ୟାଦି ।

ସେ ଆହୁରି କହିଛନ୍ତି,"ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେ ଭିତରେ ଅଛି ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ।  ଏଥିସହିତ ବିଭିନ୍ନ ଧାର୍ମିକସ୍ଥଳୀ ଯଥା ମାତା ବୈଷ୍ଣବଦେବୀ, ଅମରନାଥ ଗୁମ୍ଫା, ଚଣ୍ଡିମାତା ମନ୍ଦିର, ଅଷ୍ଟଦଶଭୁଜା ମନ୍ଦିର,ସାହାଦ୍ରା ସରିଫା ଇତ୍ୟାଦି । ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଗ୍ରହ ରଖୁଥିବା ପର୍ଯ୍ୟଟନ ପାଇଁ ତୁଲିପ୍ ଗାର୍ଡ଼େନ, ସାଲିମାର ବାଗ୍‌, ମୋଗଲ ଗାର୍ଡ଼େନ,ଗୁଲମାର ପଟନୀଟର୍ପ, ଡ଼ାଲ ହ୍ରଦ ଓ ମାନସର ହ୍ରଦ ଆଦି ରହିଛି"।

ସେହିଭଳି କାଶ୍ମୀର ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଆସାନ୍‌-ଉଲ-ହକ୍ କହିଛନ୍ତି,"ଗୋଟିଏ ସମୟ ଥିଲା ଯେଉଁ ସମୟରେ ପର୍ଯ୍ୟଟନ କଥା ଆସିଲେ ପ୍ରଥମେ ଜମ୍ମୁ କଶ୍ମୀରର ନାଁ ମନକୁ ଆସୁଥିଲା । କିନ୍ତୁ କୋଭିଡ଼ କାରଣରୁ ଏହି ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି, ଯାହାର ପ୍ରଚାର ପ୍ରସାର ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ କରାଯାଇଛି । ଏହି କ୍ରମରେ ବିଭିନ୍ନ ସ୍ଥାନରେ ଜମ୍ମୁ କଶ୍ମୀର ପର୍ଯ୍ୟଟନ ଶିଳ୍ପ ବିଭାଗ ପକ୍ଷରୁ ପ୍ରଚାର କାର୍ଯ୍ୟ ଆୟୋଜନ କରାଯାଉଛି"।

ଓଡ଼ିଶାରେ ଜମ୍ମୁ କଶ୍ମୀର ଭ୍ରମଣ ପାଇଁ ପର୍ଯ୍ୟଟକ ଆଗ୍ରହୀ ଥିବା ବେଳେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଦୁଇ ଦିନିଆ କନକ୍ଲେଭର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଗାମୀ ଦିନରେ ' ଚଲୋ ଦେଖେ ଆପ୍‌ନା ଦେଶ୍' କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଏଭଳି ଉଦ୍ୟମ ଜାରି ରହିବ ବୋଲି କୁହାଯାଇଛି।

ଉପନିର୍ଦ୍ଦେଶକ ଆସାନ୍‌-ଉଲ-ହକ ସ୍ପଷ୍ଟ କରିଛନ୍ତି ଯେ, ଗୋଟିଏ ସମୟ ଥିଲା ଯେଉଁ ସମୟରେ ଜାମ୍ମୁ କାଶ୍ମୀର କଥା ମନକୁ ଆସିଲେ ପ୍ରଥମେ ଆତଙ୍କବାଦୀଙ୍କ କଥା ମନକୁ ଆସୁଥିଲା। ସେ ସମୟ ଏବେ ନାହିଁ। ଜାମ୍ମୁ କାଶ୍ମୀର ଏବେ ବାସ୍ତବରେ ବିଶ୍ବର ସବୁଠାରୁ ସୁନ୍ଦରତମ ଭୂଖଣ୍ଡ ପାଲଟିଛି। ଏବେ ସେଠି ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ତେଣୁ ଏଭଳି ପ୍ରଚାରର ଉଦ୍ଦେଶ୍ୟ ହେଉଛି ଭୂସ୍ବର୍ଗ ଜାମ୍ମୁ କାଶ୍ମୀରକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବା।
Published by:Soumya Das
First published: