News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଶେଷ ହୋଇଛି। ଚୈତ୍ର ମାସର ଶେଷ ମଙ୍ଗଳବାର ରହିଥିବା ଯୋଗୁଁ ମାଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା ଶେଷ ମଙ୍ଗଳବାରରେ ବାସନ୍ତିକ ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ଶେଷ ହୋଇଛି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ଚୈତ୍ର ଯାତ୍ରା । ଦେଶର ୪ଟି ଆଦିଶକ୍ତି ପୀଠ ମଧ୍ୟରୁ ତାରାତାରିଣୀ ଅନ୍ୟତମ । ଏହି ପୀଠରେ ପ୍ରତିବର୍ଷ ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ ଚୈତ୍ରମେଳା । ଆଜି ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ହେତୁ ଉତ୍ସବ ମୁଖର ହୋଇଛି ମାଙ୍କ ପୀଠ । ଆଉ ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲିଖିତ ହୋଇଛି।
‘‘ମଙ୍ଗଳବାର ଭୋରୁ ମଙ୍ଗଳ ଆଳତି, ଅବକାଶ, ମଇଲମ ଲାଗି, ତଡ଼ପ ଲାଗି, ମହାସ୍ନାନ, ସିଙ୍ଗାର, ଷୋଡ଼ଶଉପଚାର ପୂଜା ଆଦି ସ୍ୱତନ୍ତ୍ର ରୀତିନୀତିରେ ଦିନତମାମ ପୂଜାର୍ଚ୍ଚନା କରାଯାଇଥିଲା ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିବା ମା ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଦୁଇ ବର୍ଷ ପରେ ମା ଭକ୍ତମାନଙ୍କୁ ଦେଖି ପାରିଥିବା ଯୋଗୁଁ ମା ମଧ୍ୟ ଖୁସି ଅଛନ୍ତି,‘‘ କହିଛନ୍ତି ଶ୍ରୀଅଙ୍ଗ ଲାଗି ସେବାୟତ।
ମାଙ୍କୁ ଦର୍ଶନ କରିବା ପରେ ମାନସିକ ଧାରିମାନେ ନିଜ ନିଜ ଛୁଆକୁ ଚୈତ୍ର ମେଳାରେ ମୁଣ୍ଡନ କରିଛନ୍ତି । ଚୈତ୍ରମେଳାରେ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ୱାସ । ଆଉ ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଠିଆ ହୋଇ ମାଙ୍କୁ ଦର୍ଶନ କରିବା ସହ ଭୋଗଲାଗି କରି ବେଶ ଉତ୍ସାହିତ ହୋଇଯାଇଥିଲେ ଭକ୍ତଗଣ । ଦୀର୍ଘ ଦୁଇ ବର୍ଷ ପରେ ଏହି ଯାତ୍ରା ହୋଇଥିବା ହେତୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।
ଆଜି ମାଙ୍କ ଶେଷ ମଙ୍ଗଳବାର ରହିଥିବା ଯୋଗୁଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ ମାଙ୍କ ଚୈତ୍ରମେଳାକୁ ଦୃଷ୍ଟି ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
‘‘ପାନୀୟ ଜଳ, ୨୪ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା ସହ ଭକ୍ତମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚୈତ୍ର ମେଳା ଶେଷ ପାଳି ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୭ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୨ଜଣ ଅତିରିକ୍ତ ଏସପି ସହ ୨ ଜଣ ଡିଏସପି ସହ ଇନସପେକ୍ଟର, କନେଷ୍ଟବଳ ଓ ହୋମଗାର୍ଡ ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିଲା,"କହିଛନ୍ତି ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।