OSCPCR ଅଧ୍ୟକ୍ଷା (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର : ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥା ଯୁବ-କ୍ରୀଡ଼ାର ସଂସଦୀୟ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି OSCPCR ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ବିବାହ ପାଇଁ ଝିଅଙ୍କ ବୟସ ରହିବ ୧୮। ଯଦି ୨୧ ହେବ ତେବେ ଆଇନଗତ ଦ୍ଵନ୍ଦ ବି ରହିଛି। କିଏ ତାକୁ ଦୂର କରିବ। ପୋକ୍ସୋ ଆକ୍ଟର ହେବ ଉଲଂଘନ। ଅନେକ କୁମାରୀ ମାତୃତ୍ଵ ଲାଭ କରିବେ । ଏଭଳି ଅନେକ ପଏଣ୍ଟ ନିଜ ଚିଠିରେ ଲେଖିଥିବା ବେଳେ ଯାହାକୁ ନେଇ ବିଭିନ୍ନ ମହଲରୁ ବିଭିନ୍ନ ମତ ଆସିଛି।
ସନ୍ଧ୍ୟାବତୀ ଲେଖିଥିବା ଚିଠିରେ 4 ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି।
୧.ବିବାହ ବୟସ ୨୧କୁ ବୃଦ୍ଧି ଫଳରେ ବାଲ୍ୟ ବିବାହ ବନ୍ଦ ହେବ ନାହିଁ ବରଂ ଆଇନ, ପରମ୍ପରା ଏବଂ ଚଳଣି ଅଯଥା ଚାପଗ୍ରସ୍ତ ହେବ । ଦାରିଦ୍ର୍ୟ, ଆବଶ୍ୟକ ସଂଖ୍ୟକ ସ୍କୁଲ ଅଭାବ, ପିତୃକୈନ୍ଦ୍ରିକ ମାନସିକତା ଯୋଗୁଁ ଆଜି ମଧ୍ୟ ୧୮ ବର୍ଷ ନହେଉଣୁ ଦେଶରେ ୨୩.୩ ପ୍ରତିଶତ ଝିଅ ବାଲ୍ୟ ବିବାହ କରୁଛନ୍ତି। ୨୦୧୮ରେ ଯାହା ୫୦୧ ଏବଂ ୨୦୧୯ରେ ୫୨୩ ଥିଲା ତାହା ୨୦୨୦ରେ ୭୮୫କୁ ବୃଦ୍ଧି ପାଇଛି। ଏହାଦ୍ଵାରା ଆଇନଗତ ଦ୍ବନ୍ଦ୍ବ ହେବ।
୨.ଏହା ପରିବର୍ତ୍ତେ ଏଭଳି ସଚେତନ କରାଯାଉ ଯେ ପିଲା ନିଜେ ବାଲ୍ୟ ବିବାହକୁ ନା’ କହିବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ୱ ପୁଅ-ଝିଅଙ୍କ ଭିତରେ ଶାରୀରିକ ସମ୍ପର୍କ ବୈଧ। ଅର୍ଥାତ ଦୁଇ ଜଣ ୧୮ ବର୍ଷରୁ ଶାରୀରିକ ସମ୍ପର୍କ ରଖିବେ କିନ୍ତୁ ବିବାହ କରିବାକୁ ୨୧ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଅନେକ ଅବିବାହିତ ମା’ ହେବେ ଏବଂ ପରିତ୍ୟକ୍ତ ଶିଶୁ ସମସ୍ୟା ବଢ଼ିବ।
୩.୨୦୦୬ ମସିହାରେ ଏହିଭଳି ଏକ ସ୍ଥିତି ଉପୁଜିଥିଲା ଯେଉଁଥିରେ ଜାତୀୟ ମହିଳା କମିସନ ଏବଂ ରାଜ୍ୟ ମହିଳା କମିସନ ଦିଲ୍ଲୀ ପକ୍ଷରୁ ଶିଶୁର ସଂଜ୍ଞା ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାୟର କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ୨୦୦୮ ମସିହାରେ ଆଇନ କମିସନ ପକ୍ଷରୁ ଉଭୟ ଝିଅ ଓ ପୁଅ ପାଇଁ ବିବାହ ବୟସ ୧୮ କରିବାକୁ ସୁପାରିସ କରାଯାଇଥିଲା।
୪. ବାଲ୍ୟ ବିବାହ ନିରୋଧ ବିଲ୍ ୨୦୦୪ ଲୋକସଭାରେ ଆଗତ ବେଳେ ଉଭୟ ଝିଅ ଏବଂ ପୁଅଙ୍କ ବିବାହ ବୟସ ୧୮ କରାଯିବାକୁ ସଂସଦୀୟ କମିଟି ସୁପାରିସ କରିଥିଲା। ମାତ୍ର ଏହାକୁ ସେତେବେଳେ ଗ୍ରହଣ ନକରି ପୁଅର ବୟସ ୨୧ ଏବଂ ଝିଅର ୧୮ ବର୍ଷ ରଖିଥିଲା।
ସେପଟେ ଏ ନେଇ ଗ୍ରାଉଣ୍ଡ ଜିରୋରେ କାମ କରୁଥିବା ସମାଜସେବୀ ଓ ଡକ୍ଟର ରଖିଛନ୍ତି ଭିନ୍ନ ମତ। ଡକ୍ଟର ଚିଦାତ୍ମିକା ଖଟୁଆ କହିଛନ୍ତି,"ଝିଅଙ୍କ ବିବାହ ବୟସ ୨୧ ରହିବା ଉଚିତ୍। କାରଣ ଏହାଦ୍ବାରା ଝିଅଙ୍କର ଶାରିରୀକ, ବୌଦ୍ଧିକ ଓ ମାନସିକ ବିକାଶ ହୋଇଥାଏ। ୧୮ ବର୍ଷ ପ୍ରଯୁଜ୍ୟ ନୁହେଁ। ୨୧ ବର୍ଷ ହିଁ ବିବାହ ପାଇଁ ଠିକ୍।"
ମାତ୍ର ସମାଜସେବୀ ସୁଦତ୍ତା ଖୁଣ୍ଟିଆ କହିଛନ୍ତି," ୨୧ ବର୍ଷ ହେଲେ ବହୁତ୍ କୁମାରୀ ମାତୃତ୍ଵ ଲାଭ କରିବେ। ପିତାମାତା ଓ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ଆଚରଣଗତ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ, ପୃଥକ ଭାବରେ ଆଇନର ପରିବର୍ତ୍ତନ କଦାପି ସନ୍ତାନ ବିବାହ ବନ୍ଦ କରିବାରେ ସମର୍ଥ ହେବ ନାହିଁ।"ତେବେ ଏହି ଚିଠିର ପ୍ରାସଙ୍ଗିକତାକୁ କେତେ ବୁଝୁଛି କେନ୍ଦ୍ର ତାହା ଦେଖିବାର ବାକି ରହିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।