ଦନ୍ତାକୁ ଗୁଳିମାଡ଼ ଘଟଣା: ପିସିସିଏଫକୁ ରିପୋର୍ଟ ମାଗିଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ

ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟ ପରେ କାରଣ ଖୋଜା ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଚିକିତ୍ସା କରିବାରେ ବହୁ ବିଳମ୍ବ ହୋଇଛି। ତେଣୁ ଅତ୍ୟଧିକ ପୂଜ ରହିବା ଫଳରେ ସଂକ୍ରମଣ ହୋଇଯାଇଥିଲା।

ଗୁଳିମାଡ଼ର ଶିକାର ହୋଇଥିବା ଦନ୍ତା (ପ୍ରତୀକାତ୍ମକ ଛବି)

ଗୁଳିମାଡ଼ର ଶିକାର ହୋଇଥିବା ଦନ୍ତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଟକ ଜିଲା ବଡ଼ମ୍ବା ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟ ପରେ କାରଣ ଖୋଜା ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଚିକିତ୍ସା କରିବାରେ ବହୁ ବିଳମ୍ବ ହୋଇଛି। ତେଣୁ ଅତ୍ୟଧିକ ପୂଜ ରହିବା ଫଳରେ ସଂକ୍ରମଣ ହୋଇଯାଇଥିଲା।  ଯାହାଫଳରେ ହାତୀକୁ ବଞ୍ଚାଇବା ସମ୍ଭବ ନଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ଟିମ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ହାତୀକୁ କିଏ ଗୁଳି ମାରିଲା ସବିଶେଷ ତଥ୍ୟ ଦେବାକୁ ପିସିସିଏଫକୁ ଚିଠି ଲେଖି ରିପୋର୍ଟ ମାଗିଛି କେନ୍ଦ୍ର ଜଙ୍ଗଲ ପରିବେଶ ବିଭାଗ ।

ସୂଚନା ଅନୁସାରେ, ଦୀର୍ଘ ୮ ଦିନ ଧରି ସଂଘର୍ଷ କଲାପରେ ଶେଷରେ ଆଖି ବୁଜିଛି ଗୁଳିବିଦ୍ଧ ଦନ୍ତା ହାତୀ । ଚିକିତ୍ସା କରୁଥିବା ଡାକ୍ତରୀ ଦଳର ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ମଙ୍ଗଳବାର  ହାତୀର ମୃତ୍ୟୁ ହୋଇଛି । ତେଣୁ ଏହି ହାତୀ ମରିବା ପଛରେ ଚିକିତ୍ସା ଅବହେଳା ହିଁ ମୁଖ୍ୟ କାରଣ । ଆଉ ଏହାରି ପଛରେ ବନ କର୍ମଚାରୀଙ୍କ ଅବହେଳା ହିଁ  ହାତୀ ମୃତ୍ୟୁର କାରଣ । କାରଣ ହାତୀଟିକୁ ୧୫ଦିନ ତଳୁ ଗୁଳି ମରାଯାଇଥିବା ବେଳେ ବନ ବିଭାଗ କିଭଳି ଜାଣି ପାରିଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଘଟଣାର ଉଚିତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ।

"ଦନ୍ତାକୁ ଚିକିତ୍ସା କରୁଥିବା ଓୟୁଏଟି ଡାକ୍ତର ଟିମ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେଇଥିଲେ । ହାତୀଟିର ଚିକିତ୍ସା ଆରମ୍ଭ ହେବାବେଳକୁ କ୍ଷତ ସଂକ୍ରମଣ ହୋଇ ପୂଜ ହୋଇ ସାରିଥିଲା । କାରଣ ହାତୀକୁ ୧୫ଦିନ ତଳେ ଗୁଳି ମରାଯାଇଥିଲା। ହାତୀର ଶୁଣ୍ଢ, କାନ ,ଗୋଡରେ ଗୁଳି ବାଜିଥିଲା। ତେଣୁ ଶୀଘ୍ର ଚିକିତ୍ସା କରିଥିଲେ ହୁଏତ ଦନ୍ତାର ଜୀବନ ବଞ୍ଚିବା ସମ୍ଭବ ହୋଇପାରିଥାନ୍ତା," କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ନିରଞ୍ଜନ ସାହୁ ।

ଗୁଳିବିଦ୍ଧ ଦନ୍ତା ଜୀବନ ବଞ୍ଚାଇବା ପାଇଁ ଆକୁଳ ହେଉଥିବା ବେଳେ ବୁଧବାର ଆଖି ବୁଝିଛି । ଦନ୍ତା ଯିବାପରେ ଆରମ୍ଭ ହୋଇଛି କାରଣ ଖୋଜା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ୯୪୭ଟି ହାତୀ ମୃତ୍ୟୁ ହୋଇଛି। କେଉଁଠି ମାରି ପୋତି ଦିଆଯାଇଛି ତ ଆଉ କେଉଁଠି ବିଭିନ୍ନ ରୋଗରେ ମଧ୍ୟ ହାତୀର ମୃତ୍ୟୁ ହୋଇଛି। କିଛି ହାତୀଙ୍କର ଟ୍ରେନ ଧକ୍କାରେ ମଧ୍ୟ ଜୀବନ ଯାଇଛି । ତେବେ ହାତୀ ଶିକାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟୁଇଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
Published by:Soumya Das
First published: